ବେଙ୍ଗାଲୁରୁ-ଗୌହାଟୀ ଟ୍ରେନ୍‌ରୁ ଖସି ଯୁବକଙ୍କ ମୃତ୍ୟୁ : ପୁଅ ମୃତ୍ୟୁକୁ ନିକଟରୁ ଦେଖିଲେ ବାପା

ବୈତରଣୀରୋଡ଼ : ଯାଜପୁର ଜିଲ୍ଲା ଅନ୍ତର୍ଗତ ବୈତରଣୀ ରୋଡ଼ ଷ୍ଟେସନ୍‌ ନିକଟ ଜଳନ୍ଦା ଗ୍ରାମ ପାଖରେ ଟ୍ରେନ୍‌ରୁ ଖସି ଜଣେ ପ୍ରାଣ ହରାଇଛନ୍ତି। ଉଭୟ ବାପା ପୁଅ ବେଙ୍ଗାଲୁରୁରୁ ନିଜ ରାଜ୍ୟ ଆସାମକୁ ଯାତ୍ରା କରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି। ବାପା ଆଗରେ ପୁଅ ଟ୍ରେନ୍‌ରୁ ଖସି ପଡ଼ିବା ଦୃଶ୍ୟ କେତେ କରୁଣ, ତାହା ପ୍ରତ୍ୟକ୍ଷଦର୍ଶୀଙ୍କ ବର୍ଣ୍ଣନାରୁ ଜଣାପଡ଼ିଛି।

ମୃତକ ଜଣକ ଆସାମ ରାଜ୍ୟ ଧୁପୁରୀ ଜିଲ୍ଲା ହାରଚିଙ୍ଗ୍‌ମାରି ଥାନା ଫେକ୍‌ମାରି ପଞ୍ଚାୟତ ଅନ୍ତର୍ଗତ ରୋଗବରାଗ ଗାଁର ସପିିହଲ୍‌ ମହମ୍ମଦ ହକ୍‌ଙ୍କ ପୁଅ ଇଲିୟସ ଅହମ୍ମଦ ଅଲ୍ଲୀ ହକ୍‌ (୧୮)। ବେଙ୍ଗାଲୁରୁରେ କାମ କରୁଥିବା ଏହି ବାପାପୁଅ ଆଜି ଟ୍ରେନ୍‌ରେ ନିଜ ଘର ଅଭିମୁଖେ ଫେରୁଥିଲେ। ଉଭୟ ଟ୍ରେନର ଦ୍ୱାର ନିକଟରେ ବସିଥିବା ବେଳେ ଭୋର ୫ଟା ବେଳେ ବୈତରଣୀରୋଡ଼ ରେଳ ଷ୍ଟେସନ ପାଖ ଜଳନ୍ଦା ଗାଁ ନିକଟରେ ପୁଅ ଇଲିୟସ ଟ୍ରେନରୁ ଖସିପଡ଼ିଥିଲା। ବାପା ସପିିହଲ କୌଣସି ଉପାୟ ନପାଇ ଭଦ୍ରକ ଷ୍ଟେସନ୍‌ରେ ଓହ୍ଲାଇ ପୁଣି ଡିଏମୟୁ ପାସେଞ୍ଜର ଟ୍ରେନରେ ଆସି ବୈତରଣୀରୋଡ଼ ରେଳ ଷ୍ଟେସନରେ ଓହ୍ଲାଇ ସେହି ଜଳନ୍ଦା ଗାଁ ନିକଟକୁ ଯାଇଥିଲେ। ସେଠାରେ ପୁଅ ରେଳଲାଇନ କଡ଼ରେ ମରି ପଡ଼ଥିବା ଦେଖି ବୈତରଣୀରୋଡ଼ ରେଳ ଷ୍ଟେସନରେ ସୂଚନା ଦେଇଥିଲେ। ଖବରପାଇ ଭଦ୍ରକ ଜିଆରପି ଶବକୁ ବ୍ୟବଚ୍ଛେଦ ପାଇଁ ନେବା ସହ ଏକ ମାମଲା ରୁଜୁ କରିଛି।

ଏହି ଘଟଣା ଦେଖଣାହାରୀଙ୍କ ଭିତରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର