ବୀରମହାରାଜପୁର: ଫାଇଲେରିଆ ଔଷଧ ସେବନ ପରେ ଗୁରୁବାର ସୁବର୍ଣ୍ଣପୁରଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ଉଫୁଲା ପଞ୍ଚାୟତ ବିକଳପାଲି ଗାଁର ହମିତ ରଣା (୨୪ ବର୍ଷ) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଔଷଧ ପ୍ରତିକ୍ରିୟାରେ ଏପରି ‌ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପରେ ଗ୍ରାମବାସୀ ଓ ପରିବାର ଲୋକେ କ୍ଷତିପୂରଣ ଦାବିରେ ଶବ ରଖି ବୀରମହାରାଜପୁର-ସୁବର୍ଣ୍ଣପୁର ରାସ୍ତା ଅବରୋଧ କରିଥିଲେ। ପରିବାର ଲୋକଙ୍କ କହିବା ଅନୁସାରେ, ଗତ ୧୨ ତାରିଖ ମଙ୍ଗଳବାର ଦିନ ଗାଁର ଆଶା ଓ ଅଙ୍ଗନବାଡ଼ି କର୍ମୀ ଘରକୁ ଆସି ଫାଇଲେରିଆ ଔଷଧ ଖାଇବାକୁ ଦେଇଥିଲେ। ହମିତଙ୍କ ପରିବାରର ୧୦ ଜଣ ସଦସ୍ୟ ଏହି ଔଷଧ ଖାଇଥିଲେ। ଏହାପରେ ପ୍ରଥମେ ହମିତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ବୀରମହାରାଜପୁର ଡାକ୍ତରଖାନା ଓ ପରେ ବୁର୍ଲା ବଡ଼ଡାକ୍ତରଖାନା ନିଆଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ହମିତଙ୍କ ମୃତ୍ୟୁ ହୋଇଥିଲା। ସେହିଭଳି ହମିତଙ୍କ ଝିଆରୀ ମଧ୍ୟ ଗୁରୁବାର ଅସୁସ୍ଥ ହୋଇଥିଲେ। ତାଙ୍କୁ ପ୍ରଥମେ ବୀରମହାରାଜପୁର ଓ ପରେ ସୋନପୁର ଡାକ୍ତରଖାନାକୁ ନିଆଯାଇଥିଲା। ହମିଦଙ୍କ ବଡ଼ଭାଇ ମହେନ୍ଦ୍ର ମଧ୍ୟ ଅସୁସ୍ଥତା ଅନୁଭବ କରୁଥିବା କହିଛନ୍ତି। ରାସ୍ତାରୋକ ଯୋଗୁଁ ଦିନ ୧୦ଟାରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ସ୍ଥାନୀୟ ବିଧାୟକ ରଘୁନାଥ ଜଗଦଲା, ବ୍ଲକ୍‌ ଉପାଧ୍ୟକ୍ଷ ନାରାୟଣ ଲୁହା, ଉପଜିଲ୍ଲାପାଳ, ତହସିଲଦାର ସୁଚିସ୍ମିତା ପାଣିଗ୍ରାହୀ, ଏଏସ୍‌ପି କେ. ହରିପ୍ରସାଦ, ଏସ୍‌ଡିପିଓ ହେମନ୍ତ ରାଓ, ଆଇଆଇସି ସାରଙ୍ଗଧର ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ। କ୍ଷତିପୂରଣ ବାବଦକୁ ଏକ ଲକ୍ଷ ଟଙ୍କା ସହାୟତା ଦିଆଯିବା ନେଇ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ହଟିଥିଲା। ରେଡ୍‌କ୍ରସ୍ ପକ୍ଷରୁ ତହସିଲଦାର ୧୦ ହଜାର ଟଙ୍କା ଦେଇଥିଲେ। ବାକି ୯୦ ହଜାର ଟଙ୍କା ଶୁଦ୍ଧିକ୍ରିୟା ମଧ୍ୟରେ ଦିଆଯିବାକୁ ସ୍ଥିର ହୋଇଥିଲା। ଏ ନେଇ ପରିବାର ଲୋକେ ପୁଲିସରେ ଅଭିଯୋଗ କରିଛନ୍ତି। ଶୁକ୍ରବାର ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଇଛି।