ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଶିରିଗିଡ଼ା ପଞ୍ଚାୟତ ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମରେ ବିଦ୍ୟୁତ୍ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ  ମୁଣ୍ଡା ସାହିର ସ୍ବର୍ଗତ ଶାରଦା ମୁଣ୍ଡାଙ୍କ ପୁଅ ବୁଲୁ ମୁଣ୍ଡା(୩୫)। ଗତକାଲି ସନ୍ଧ୍ୟାରେ ଗାଁ ମଝିରେ ଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମରରେ  ବିଭ୍ରାଟ ଯୋଗୁଁ ମୁଣ୍ଡା ସାହିକୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ସନ୍ଧ୍ୟାରେ ସାହିର କିଛି ଯୁବକ ବିଦ୍ୟୁତ୍ ସଂଯୋଗ ନିମନ୍ତେ ଟ୍ରାନ୍ସଫର୍ମର ନିକଟରେ ଉପସ୍ଥିତ ଥିଲେ।

ବୁଲୁ ଜଣେ ଗାଈ ଜଗୁଆଳ। ଗାଈଗୋରୁ ନେଇ ଗାଁକୁ ଆସିବା ପରେ ସାହିକୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିବା ଜାଣିବାକୁ ପାଇଥିଲା। ସେ ଏକ ଟେଷ୍ଟର ଧରି ଖୁଣ୍ଟରେ ଚଢ଼ିଯାଇଥିଲା। ମାତ୍ର ବିଦ୍ୟୁତ୍ ଆଘାତରେ ତଳେ ଛିଟିକି ପଡ଼ିଥିଲା। ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ତେଲକୋଇ ଥାନାରେ ଏକ ଅପମୃତ୍ୟୁ ମାମଲା ୨୭/୨୨ ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇଛି। ମୃତକ ବୁଲୁର ବିଧବା ପତ୍ନୀ ଟୁନି ମୁଣ୍ଡା ଓ ୬ଟି ସନ୍ତାନ ଅଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ସରକାରୀ ସହାୟତା ଯୋଗାଇ ଦେବାକୁ ଶିରିଗିଡ଼ା ସମିତି ସଭ୍ୟ ପଦ୍ମଲୋଚନ ଦାସ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର