ନଦୀ ଜଳସ୍ତର ମାପିବା ବେଳେ ଅଘଟଣ, ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

ତୁଷୁରା : ସୋନଗଡ଼ ନଦୀର ଜଳସ୍ତର ମାପୁଥିବା ସମୟରେ ଘଟିଛି ଅଘଟଣ। ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛନ୍ତି ଜଣେ ଯୁବକ। ସୋନଗଡ଼ ନଦୀରେ ବଲାଙ୍ଗୀର ମଧ୍ୟମ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଯନ୍ତ୍ରୀ ଖଗେଶ୍ୱର ରାଉତଙ୍କ ଉପସ୍ଥିତିରେ ଜଳସ୍ତର ମାପ କରାଯାଉଥିଲା। ଏଥିରେ ଅନ୍ୟ କିଛି ଯୁବକଙ୍କ ସହ ଆଗଲପୁର ବ୍ଲକ ଗୁଣ୍ଡୁରାମୁଣ୍ଡା ଗ୍ରାମର ଧୀରେନ ସାହୁ ମଧ୍ୟ ନିୟୋଜିତ ହୋଇଥିଲେ। ଏକ ୨୦ ଫୁଟ୍ ଲମ୍ବ ବିଶିଷ୍ଟ ପାଇପ ସାହାଯ୍ୟରେ ଜଳସ୍ତର ମାପ କରୁଥିବା ବେଳେ ପାଇପ୍‌ର ଅନ୍ୟ ପଟ ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ ତାରରେ ଉକ୍ତ ପାଇପ ଲାଗି ଯାଇଥିଲା। ଘଟଣାସ୍ଥଳରେ ଧୀରେନ ଅଚେତ ହୋଇ ପଡ଼ିଗଲେ। ତୁରନ୍ତ ତାଙ୍କୁ ତୁଷୁରା ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତୁଷୁରା ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର