ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ, ରାସ୍ତାରୋକ

ଯଖପୁରା : କଳିଙ୍ଗନଗର ଶିଳ୍ପାଞ୍ଚଳ ତଥା ଯଖପୁରା ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ ମାର୍ଗରେ ବୁଧବାର ଦିନ ଏକ ଦୁର୍ଘଟଣାରେ ଯଖପୁରା ଥାନା ଅନ୍ତର୍ଗତ ନୀଳମଣିଦେଇପୁର ଶାସନ ଗ୍ରାମର ଆନନ୍ଦ ଜେନାଙ୍କ ପୁଅ ମନମୋହନ(୨୬)ଙ୍କର ମୃତ୍ୟୁ ହୋଇଛି। ରାବଣା ଛକରେ ଥିବା ସେଲୁନ୍‌କୁ ମନମୋହନ ତାଙ୍କ ସାନଭାଇର ଚୁଟି କଟାଇବା ପାଇଁ ଆଣିଥିଲେ। ସେଲୁନ୍‌ରେ ସାନଭାଇକୁ ଛାଡ଼ି ବିଜୁ ପଟ୍ଟନାୟକ ମାର୍ଗର ସାଇଜର୍‌ ପେଟ୍ରୋଲ ପମ୍ପକୁ ସେ ତେଲ ପକାଇବା ପାଇଁ ଯାଉଥିଲେ। ଏହି ସମୟରେ ଦଶମାଣିଆ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏସମ୍ପର୍କରେ କିଛିଲୋକ ଯଖପୁରା ଥାନାକୁ ଜଣାଇଥିଲେ।

ଅନ୍ୟପକ୍ଷରେ ଚୁଟି କାଟି ସାରିବା ପରେ ସାନଭାଇ ତାଙ୍କୁ ଦୁଇଥର ଫୋନ୍‌ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା। କିଛି ସମୟ ପରେ ତାଙ୍କ ଦୁର୍ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ଦୁର୍ଘଟଣା ପରେ ଉତ୍ତେଜିତ ନୀଳମଣିଦେଇପୁର ଗ୍ରାମବାସୀ ଓ ସ୍ଥାନୀୟ ଲୋକେ ବିଜୁ ପଟ୍ଟନାୟକ ମାର୍ଗରେ ଶବ ରଖି ରାସ୍ତା ଅବରୋଧ କରିଥିଲେ। ଦାନଗଦୀ ତହସିଲଦାର ନମ୍ରତା ମୋଦୀ, କଳିଙ୍ଗନଗର ଏଏସ୍‌ପି ଏସ୍. ଟପ୍ପୋ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ନଧରିବା ପର୍ଯ୍ୟନ୍ତ ରାସ୍ତାରୋକ ହଟିବ ନାହିଁ ବୋଲି ଲୋକମାନେ ଅଡ଼ି ବସିଥିଲେ। ସାଇଜର ପେଟ୍ରୋଲ ପମ୍ପ ଓ ନିକଟରେ ଥିବା ଯଶୋଦା ମୋଟରର ସି.ସି. ଟିଭି କ୍ୟାମେରାରୁ ଦୁର୍ଘଟଣା ଘଟାଇଥିବା ଗାଡ଼ି ସମ୍ପର୍କରେ ସୂଚନା ମିଳିଥିଲା। ଶେଷରେ ପୁଲିସ ଟ୍ରକ୍‌ ନମ୍ବର ଏପି-୦୫ଟିବି-୨୧୧୫କୁ ନେଜୋନ ଟ୍ୟୁବ୍‌ କାରଖାନା ମଧ୍ୟରେ ଜବତ କରିଥିଲା। ଏହି ଟ୍ରକ୍‌ର ଟାୟାରରେ ରକ୍ତ ଛିଟା ଲାଗିଥିବା ଦେଖିବାକୁ ମିଳିଥିଲା। ପଚରାଉଚରା ପରେ ଟ୍ରକ୍‌ ଡ୍ରାଇଭର ଆଖି ଲାଗିଯିବାରୁ ଦୁର୍ଘଟଣା ଘଟିଥିବା ମାନିଥିଲା।

ରେଡକ୍ରସ ପାଣ୍ଠିରୁ ମୃତକଙ୍କ ପରିବାରକୁ ତହସିଲଦାର ୧୦ ହଜାର ଟଙ୍କାର ସହାୟତା ପ୍ରଦାନ କରିଥିଲେ। ରାସ୍ତା ଘାଟର ଉନ୍ନତୀକରଣ ଓ ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ଵ ଦେବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ଗ୍ରାମ ଶ୍ମଶାନରେ ଶେଷକୃତ୍ୟ କରାଯାଇଥିଲା। ମୃତ ଯୁବକ କଳିଙ୍ଗନଗରସ୍ଥିତ ଜିନ୍ଦଲ କାରଖାନାରେ ଠିକାସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିଲେ। ଥାନା କେସ୍‌ ନମ୍ବର ୧୪୫/୨୨ ରେ ଟ୍ରକ୍‌ର ଡ୍ରାଇଭରକୁ ଆସନ୍ତାକାଲି କୋର୍ଟଚାଲାଣ କରାଯିବ ବୋଲି ଯଖପୁରା ଥାନା ଅଧିକାରୀ ଜଗଦୀଶ କର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର