ଯାଜପୁରସଦର : ଯାଜପୁର ସଦର ଥାନା ଅନ୍ତର୍ଗତ ବୁଢ଼ା ନଦୀର ମହାବୀର ମଠଛନ୍ଧା ନିକଟରେ ବୁଡ଼ି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ସ୍ଥାନୀୟ ଜାହାନପୁର ପଞ୍ଚାୟତ ଶଙ୍ଖନାଳି ଗ୍ରାମର ଗୋଲଖ ମିଶ୍ରଙ୍କ ପୁଅ ରାଜେଶ(୨୩)। ସେ ଗୁରୁବାର ମଧ୍ୟାହ୍ନରେ ନଦୀ ଆରପଟ ମଇଦପୁର ଗ‌ାଁରୁ ଭୋଜି ସାରି ଫେରୁଥିଲେ। ଏହି ସମୟରେ ପ୍ରବଳ ବର୍ଷା ପବନ ହୋଇଥିଲା। ନଦୀରେ ପଶି ଆସୁଥିବା ବ‌େଳେ ସେ ପାଣିରେ ବୁଡ଼ି ଯାଇଥିଲେ।

Advertisment

ଏନେଇ ଯାଜପୁର ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲା। ହେଲେ ୫ କି.ମି. ଦୂରରେ ଥିବା କାର୍ଯ୍ୟାଳୟରୁ ଅଗ୍ନିଶମ ବାହିନୀ ୧ ଘଣ୍ଟା ବିଳମ୍ବ‌ରେ ପହଞ୍ଚିଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ। ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରହିଥିଲେ ମଧ୍ୟ ରାଜେଶଙ୍କର ବହୁ ସମୟ ଧରି ପତ୍ତା ମିଳିନଥିଲା। ବିଳମ୍ବିତ ରାତିରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ସଦର ଥାନା ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।