ଟିକ୍‌ଟିକ୍‌ ପ୍ରସ୍ତୁତି କରିବା କାଳ ହେଲା: ବ୍ରାହ୍ମଣୀ ନଦୀରେ ଭାସିଯାଇ ଯୁବକ ମୃତ

ପଟ୍ଟାମୁଣ୍ଡାଇ: ନଦୀରେ ପଶି ଟିକ୍‌ଟିକ୍‌ ପ୍ରସ୍ତୁତ କରିବା କାଳ ହୋଇଛି। ମଜାମସ୍ତି ପାଇଁ ଆଜି ଅପରାହ୍ନରେ ଟିକ୍‌ଟିକ୍‌ ପ୍ରସ୍ତୁତି କରୁଥିବା ବେଳେ ନୀଦରେ ଭାସିଯାଇ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନା ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ ଆଜି ଅପରହ୍ନରେ କେନ୍ଦ୍ରାପଡ଼ାର ୫ରୁ ଅଧିକ ଯୁବକ ମୋଟର ସାଇକେଲରେ ଆସି ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନାହିଆଡିଆ ବ୍ରାହ୍ମଣୀ ପୋଲକୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ଏହି ଯୁବକମାନେ ପୋଲ ତଳେ ନଈରେ ପଶି ଟିକ୍‌ଟକ୍‌ ଭିଡିଓ ପ୍ରସ୍ତୁତି କରୁଥିଲେ। କିନ୍ତୁ ନଦୀରୁ ଜେସିବି ମେସିନରେ ବାଲି ଉଠାଯାଇଥିବାରୁ ସେଠାରେ ଗଭୀର ଥିଲା। ଯୁବକମାନଙ୍କ ମଧ୍ୟରୁ ଜଣେ ଖାଲରେ ପଡ଼ିଯାଇଥିଲେ।

ତେବେ ଜଣେ ଯୁବକ ପାଣିରେ ଭାସିଯିବା ପରେ ଅନ୍ୟମାନେ ଅଳ୍ପ ସମୟ ପରେ ଉଦ୍ଧାର କରି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତରଖାନାରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ। ଚଉଦକୁଲାଟ ଫାଣ୍ଡି ଅଧିକାରୀ ବିଜୟ କୁମାର ଖଟୁଆ ଘଟଣା ସଂପର୍କରେ କହିଛନ୍ତି, ମୃତ୍ୟୁ ନେଇ କୌଣସି ଅଭିଯୋଗ ହୋଇନାହିଁ। ରିପୋର୍ଟ ଲେଖାଯିବା ବେଳକୁ ମୃତ ଯୁବକଙ୍କର ପରିଚୟ ମିଳି ନାହିଁ।

ସୂଚନାଯୋଗ୍ୟ, ବ୍ରାହ୍ମଣୀ ନଦୀର ନାହିଆଡିଆ ଠାରେ ୨ ବର୍ଷ ତଳେ ୨ ଜଣ ଛାତ୍ରୀ ବୁଡ଼ିଯାଇଥିଲେ।  ଅମୃତମଣୋହୀ ପଂଚାୟତ ଅନ୍ତର୍ଗତ ସିଦ୍ଧବାଲିଗାଁର ୨ ସ୍କୁଲ ଛାତ୍ରୀ ସରସ୍ୱତୀ ମୂର୍ତ୍ତି ଭସାଣୀ ସମୟରେ ବୁଡ଼ି ଯିବାରୁ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର