ଧନକଉଡ଼ା : ବୁର୍ଲା ଥାନା ଅନ୍ତର୍ଗତ ପୁରୁଣା ଝାଙ୍କରପାଲି ଗାଁର ନନ୍ଦଲାଲ ମିର୍ଦ୍ଧାଙ୍କ ପୁଅ ବୃଷଭାନୁ ମିର୍ଦ୍ଧା ଓରଫ ହଳୁ (୨୭) ମାଛ ଧରିବାକୁ ଯାଇ ପାୱାର କେନାଲରେ ବୁଡ଼ି ପ୍ରାଣ ହରାଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବାନୁସାରେ ଗୁରୁବାର ଅପରାହ୍‌ଣରେ ଗାଁ’ର ୪/୫ ଜଣ ଯୁବକ ନିକଟସ୍ଥ ପାୱାର କେନାଲକୁ ମାଛ ମାରିବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ କେତେଜଣ ଝଙ୍କରପାଲି ଗ୍ରାମ ପାୱାର କେନାଲ ଗାଧୁଆ ତୁଠରେ ବ୍ଲାଷ୍ଟିଂ କରି ମାଛ ମାରିଥିଲେ। ବ୍ଲାଷ୍ଟିଂ ପରେ ବୃଷଭାନୁ ପାଣିରେ ବୁଡ଼ି ମାଛ ଗୋଟାଉଥିବା ବେଳେ ଆଉ ଉପରକୁ ଉଠିପାରି ନଥିଲେ। ଖବର ପାଇ ଗାଁର କିଛି ଲୋକ ସେଠାରେ ବହୁ ସମୟ ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ହେଁ ତାଙ୍କର କୌଣସି ପତ୍ତା ମିଳି ନଥିଲା। ସନ୍ଧ୍ୟା ହୋଇଯିବାରୁ ପରିବାରବର୍ଗ ଓ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବାରେ ବିଫଳ ହୋଇଥିଲେ। ପରେ ପରିବାର ଲୋକେ ଗୋଶାଲା ଫାଣ୍ଡିରେ ଲିଖିତ ଏତଲା ଦେଇଥିଲେ।

Advertisment

ଶୁକ୍ରବାର ସକାଳୁ ଗୋଶାଳା ଫାଣ୍ଡି ଅଧିକାରୀ ଲକ୍ଷ୍ମଣ ରଥ, ବୁର୍ଲା ଅଗ୍ନିଶମ ବାହିନୀ ପହଞ୍ଚି ପ୍ରାୟ ୫ ଘଣ୍ଟା ଖୋଜିଲା ପରେ ମୃତଦେହ ଉଦ୍ଧାର କରାଯାଇଥିଲା। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ଡାକ୍ତରଖାନାକୁ ପଠାଇଛି। ଆସନ୍ତାକାଲି ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି। ପରିବାର ଲୋକଙ୍କ ଏତଲା ଆଧାରରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଶ୍ରୀ ରଥ ପ୍ରକାଶ କରିଛନ୍ତି। ସୂଚନାଥାଉ କି ଏହିପରି ପୂର୍ବରୁ ମଧ୍ୟ ପାୱାର କେନାଲରେ ବେଆଇନ ବ୍ଲାଷ୍ଟିଂ କରି ମାଛ ମାରୁଥିବା ବେଳେ ଅନେକ ଅଘଟଣ ଘଟିଥିବା ନଜିର ରହିଛି। ପୁଲିସ୍‌ ଓ ପ୍ରଶାସନ ପକ୍ଷରୁ ଏହା ଉପରେ ରୋକ ଲଗାଇବାକୁ ଦାବି ହୋଇଛି।