ବୋଇତ ଭସାଇବାକୁ ଯାଇ ଭାସିଗଲେ ଯୁବକ

ପୂଜା ସାମଗ୍ରୀ ବିସର୍ଜନ ବେଳେ ଋଷିକୁଲ୍ୟାରେ ଭାସିଗଲେ ବୃଦ୍ଧା

ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ କଡ଼ିମୁସକା ଗାଁରେ ଅଘଟଣ ଘଟିଛି। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବଂଶଧାରା ନଦୀକୁ ବୋଇତ ଭସାଇବାକୁ ଯାଇଥିବା ଜଣେ ଯୁବକ ଭାସି ଯାଇଛନ୍ତି। ଶେଷ ଖବର ସୁଦ୍ଧା ସଂପୃକ୍ତ ଯୁବକଙ୍କ ପତ୍ତା ମିଳିନାହିଁ। ମଙ୍ଗଳବାର ମଧ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ସନ୍ଧାନ ଜାରି ରହିବ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ବଡ଼ିମୁସକା ଗାଁର ବିଜୟ ଡୋଲା (୩୨) ଆଜି ସକାଳୁ ସାଙ୍ଗସାଥୀଙ୍କ ସହ ବୋଇତ ଭସାଇବାକୁ ଗାଁ ପାଖ ବଂଶଧାରା ନଦୀଘାଟକୁ ଯାଇଥିଲେ। ବୋଇତ ଭସାଇବା ପୂର୍ବରୁ ସେ ସାଙ୍ଗସାଥୀଙ୍କ ସହ ନଦୀରେ ଗାଧୋଇଥିଲେ। ତେବେ ଅନ୍ୟମନସ୍କତା ଯୋଗୁଁ ପାଣିର ସ୍ରୋତରେ ଗୋଟିଏ ଗଣ୍ଡ ପର୍ଯ୍ୟନ୍ତ ଭାସି ଯାଇ ଆଉ ବାହାରି ପାରି ନଥିଲେ। କିଛି ମିନିଟ ମଧ୍ୟରେ ପୂରା ଘଟଣା ଘଟିଥିବା ବେଳେ ସାଙ୍ଗସାଥୀ ଖୋଜାଖୋଜି କରିବା ବେଳକୁ ଆଉ ପତ୍ତା ମିଳି ନଥିଲା। ଖବର ପାଇ ମୁନିଗୁଡ଼ା ଅଗ୍ନଶମ ବିଭାଗ କର୍ମଚାରୀ ପହଞ୍ଚି ଖୋଜାଖୋଜି କରିଥିଲେ। ସଂଧ୍ୟା ସୁଦ୍ଧା ସନ୍ଧାନ ମିଳି ନ ଥିବା ବେଳେ ଅନ୍ଧାର ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ହୋଇଥିଲା। ଆସନ୍ତାକାଲି ବିଷମକଟକ ଓ ମୁନିଗୁଡ଼ା ଅଗ୍ନିଶମ ବିଭାଗ କର୍ମଚାରୀ ମିଳିତ ଭାବେ ପୁଣି ଥରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବେ ବୋଲି ସୂଚନା ମିଳିଛି।

ପୂଜା ସାମଗ୍ରୀ ବିସର୍ଜନ ବେଳେ ଋଷିକୁଲ୍ୟାରେ ଭାସିଗଲେ ବୃଦ୍ଧା
ଶେରଗଡ଼ : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ହିଞ୍ଜିଳି ଥାନା ଅଧୀନ ପିତଳ ଗ୍ରାମରେ ଆଜି ପୂଜା ସାମଗ୍ରୀ ବିସର୍ଜନ ‌ବେଳେ ଋଷିକୁଲ୍ୟା ନଦୀରେ ଭାସି ଯାଇ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ, ପି.ମହାଲକ୍ଷ୍ମୀ। ସେ ଆଜି ସକାଳେ ପୂଜା ସାମଗ୍ରୀ ବିସର୍ଜନ କରିବାକୁ ରମୁଣି ସାହି ତୁଠକୁ ଯାଇଥିବା ବେଳେ ଅସାବଧାନତାବଶତଃ ତାଙ୍କ ଗୋଡ଼ ଖସି ଯାଇଥିଲା। ଆଉ ଶବ ଭାସି ସନ୍ତୋଷପୁର ଶାସନ ତୁଠରେ ଯାଇ ଲାଗିଥିଲା। ହିଞ୍ଜିଳି ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନ ପଠାଇଥିଲା। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର