କୋରାପୁଟ : ନିଜକୁ କଟକ ଡିସିପି କହି ଠକେଇ। ପୁଣି ହଜାରେ କି ଲକ୍ଷେ ନୁହେଁ, ପୂରା ୭ ଲକ୍ଷ ୨୦ ହଜାର। ଏମିତି ଜାଲିଆତି କରି ପୁଲିସ ପଞ୍ଝାରେ ପଡ଼ିଛନ୍ତି ଜଣେ ଯୁବ ଇଂଜିନିୟର। ଭଲ ପରିବାରର ଶିକ୍ଷିତ ଯୁବକ ହୋଇ ମଧ୍ୟ ଜଣକୁ ବ୍ଲାକ୍ମେଲ୍ କରି ଏଭଳି ଠକେଇ କରୁଥିବା ଦାମନଯୋଡ଼ିର ପବିତ୍ର ମୋହନ ମହାନ୍ତିଙ୍କୁ ସେମିଳିଗୁଡ଼ା ପୁଲିସ ଗିରଫ କରିଛି। ଆଉ ଗିରଫ ପରେ ପୁଲିସ ଜାଣିବାକୁ ପାଇଛି ଏହି ଠକେଇ ପଛରେ ରହିଛି ଏକ ନକଲି ପ୍ରେମ ଓ ବ୍ଲାକ୍ମେଲିଂର କଳା କାରନାମା।
କୋରାପୁଟ ଜିଲ୍ଲା ସେମିଳିଗୁଡା ଅଂଚଳର ଯୁବକ ଜଗଦୀଶ ପାଢ଼ୀଙ୍କର ଫେସ୍ବୁକରେ ଜଣେ ଯୁବତୀଙ୍କ ସହ ପରିଚୟ ହୋଇଥିଲା। ଦେବସ୍ମିତା ମହାପାତ୍ରଙ୍କ ନାମରେ ଥିବା ଏହି ଯୁବତୀଙ୍କ ସହ ଜଗଦୀଶ ଫେସବୁକରେ ଚାଟିଂ କରୁଥିଲେ। ଏମିତି ଧୀରେ ଧୀରେ ସେମାନଙ୍କ ସଂପର୍କ ନିବିଡ଼ ହୋଇଥିଲା। କେହି କାହାକୁ ଦେଖି ନ ଥିଲେ କି ଜାଣି ନ ଥିଲେ ବି ଦଗଦୀଶ ଯୁବତୀଙ୍କ ପ୍ରେମରେ ପଡ଼ି ଯାଇଥିଲେ। ପରେ ସେମାନେ ଅଶ୍ଳୀଳ ମେସେଜ୍ ପଠାଇବା ସହ ଅଶ୍ଳୀଳ ଫଟୋ ବି ଦିଆନିଆ କରିଥିଲେ। ବହୁ ଆପତ୍ତିଜନକ ଚିତ୍ର ସେମାନେ ଫେସବୁକ୍ ମାଧ୍ୟମରେ ଆଦାନ ପ୍ରଦାନ କରିଥିଲେ। ଏହା ପରେ ହଠାତ୍ ଦେବସ୍ମିତାଙ୍କ ଫେସବୁକ୍ ଆକାଉଣ୍ଟ ବନ୍ଦ ହୋଇ ଯାଇଥିଲା।
ଏପଟେ ଦେବସ୍ମିତା ଏମିତି କାହିଁକି କଲେ ଜଗଦୀଶ କିଛି ବୁଝି ପାରି ନ ଥିଲେ। କିନ୍ତୁ ଏହାର କିଛି ଦିନ ପରେ ଜଗଦୀଶଙ୍କ ପାଖକୁ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା। ଫୋନ୍ କରିଥିବା ଯୁବକ ଜଣଙ୍କ ନିଜକୁ କଟକ ଡିସିପି ବୋଲି ପରିଚୟ ଦେଇଥିଲେ। ଆଉ କହିଥିଲ, ତୁ ମୋ ଝିଆରୀ ସହ ଫେସବୁକ୍ରେ ଖରାପ କଥାବାର୍ତ୍ତା କରିଛୁ। ତତେ ଥାନାରେ ପୂରାଇ ଦେବି। ଶୀଘ୍ର ୫୦ ହଜାର ଟଙ୍କା ନ ଦେଲେ କେସ୍ କରି ଦେବି ବୋଲି ଧମକ ଦେଇଥିଲେ। ଫଳରେ ଜଗଦୀଶ ଡରିମରି ୩୦ ହଜାର ଟଙ୍କା ଦେଇଥିଲେ। କିନ୍ତୁ ଏଭଳି ବ୍ଲାକ୍ମେଲିଂ ଆଉ ବନ୍ଦ ହୋଇ ନ ଥିଲା। କଟକର ଡିସିପି କହି ସେ ବାରମ୍ବାର ଜଗଦୀଶଙ୍କୁ ଧମକାଇ ଟଙ୍କା ଆଦାୟ କରି ଚାଲିଥିଲେ। ଏମିତିରେ ସେ ୭ ଲକ୍ଷ ୨୦ ହଜାର ଟଙ୍କା ଠକି ନେଇଥିବାବେଳେ ଆହୁରି ୩ ଲକ୍ଷ ଟଙ୍କା ମାଗୁଥିଲେ।
ଔଷଧ ଦୋକାନ କରିଥିବା ଜଗଦୀଶ ଏମିତି ଟଙ୍କା ଦେଇ ଦେଇ ଚିନ୍ତାରେ ପଡ଼ି ଯାଇଥିଲେ। ଏପରିକି ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ଯାଇଥିଲେ। ଘର ଲୋକେ ଏହା ଜାଣିବା ପରେ ଘଟଣାର ଖୋଳତାଡ଼ କରିଥିଲେ। ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ଏକ ଆକାଉଣ୍ଟକୁ ବାରମ୍ବାର ଟଙ୍କା ପଠା ଯାଇଥିବାରୁ ସେମାନେ ସନ୍ଦେହ କରିଥିଲେ। ଏଥିନେଇ ଜଗଦୀଶଙ୍କୁ ପଚାରିବାରୁ ସେ ସବୁ ସତ କହି ଦେଇଥିଲେ। ପରେ ଏ ନେଇ ସେମାନେ ସେମିଳିଗୁଡା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସ ୯୨/୧୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ଏହି ଘଟଣା ପଛରେ ଦାମନଯୋଡ଼ିର ଯୁବ ଇଂଜିନିୟର ପବିତ୍ର ମୋହନ ନାୟକଙ୍କ ହାତ ଥିବା ଜଣାପଡ଼ିବା ପରେ ପୁଲିସ ତା’କୁ ଗିରଫ କରିଛି। ସେ ଦେବସ୍ମିତାଙ୍କ ନାମରେ ଏକ ନକଲି ଆକାଉଣ୍ଟ ଖୋଲି ଜଗଦୀଶଙ୍କ ସହ ଚାଟିଂ କରୁଥିଲେ। ପରେ କଟକ ଡିସିପି କହି ଟଙ୍କା ଠକି ନେଇଥିଲେ। ତାଙ୍କ ନିଜ ଘର କଟକ ଜିଲ୍ଲା କିଶୋର ନଗର ଥାନା କାଳିକାପୁର ଗ୍ରାମରେ। ସେ ଏଠାରେ ଦାମନଯୋଡ଼ି ନାଲକୋ କ୍ବାର୍ଟର୍ସରେ ପରିବାର ସହ ରହୁଥିଲେ। ପୁଲିସ ତାଙ୍କୁ ଆଜି କୋର୍ଟ ଚାଲାଣ କରିଥିଲା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।