ପଜିଟିଭ୍‌-ନେଗେଟିଭ୍‌ ଦ୍ବନ୍ଦ୍ବରେ ଜୀବନ ଗଲା, ପ୍ରାଣ ହରାଇଲେ ଯୁବ ଇଂଜିନିୟର୍‌

ଆମ୍ବୁଲାନ୍‌ସ ଚାଳକଙ୍କ ଜୁଲମକୁ ନିନ୍ଦା

ଝାରସୁଗୁଡ଼ା : ପିଜିଟିଭ୍‌-ନେଗେଟିଭ୍‌ ଦ୍ବନ୍ଦ୍ବ ମଧ୍ୟରେ ପ୍ରାଣ ହରାଇଛନ୍ତି ଝାରସୁଗୁଡ଼ା ଜିଲ୍ଲାର ଯୁବ ଇଂଜିନିୟର୍‌ ପ୍ରଶାନ୍ତ ପ୍ରଧାନ। ଛତିଶଗଡ଼ ରାୟଗଡ଼ଠାରେ ଏକ ଘରୋଇ କମ୍ପାନିରେ କାର୍ଯ୍ୟ କରୁଥିବା ତଥା ଝାରସୁଗୁଡ଼ା ଠାରୁ ୨୫ କିମି ଦୂର ଜୟବୁଡ଼ିଆ ଗ୍ରାମର ଯୁବ ଇଂଜିନିୟର୍‌ ଶ୍ରୀ ପ୍ରଧାନ ଅସୁସ୍ଥ ଅନୁଭବ କରିବାରୁ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ୍‌ ପରୀକ୍ଷା କରାଇଥିଲେ। ରିପୋର୍ଟ ପଜିଟିଭ୍‌ ଆସିବାରୁ ତାଙ୍କୁ ବେଲପାହାଡ଼ଠାରେ ଥିବା କୋଭିଡ୍‌ କେୟାର ସେଣ୍ଟର୍‌ରେ ରଖାଯାଇଥିଲା।

ପରେ ତାଙ୍କୁ ଝାରସୁଗୁଡ଼ା ମଙ୍ଗଲବଜାରଠାରେ ଥିବା କୋଭିଡ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ୩ ଦିନ ଚିକିତ୍ସିତ ହେବା ପରେ ତାଙ୍କର ପଜିଟିଭ୍‌ ନଥିବା ସେଠାକାର ଡାକ୍ତର କହିଥିଲେ। ତାଙ୍କର ନିମୋନିଆ ହୋଇଥିବା ଓ ସେ କୋଭିଡ୍‌ ରୋଗୀ ହୋଇ ନଥିବାରୁ ତାଙ୍କୁ ୨୧ ତାରିଖ ଦିନ ପରିବାର ବର୍ଗଙ୍କୁ ସୂଚନା ନଦେଇ ଆମ୍ବୁଲାନ୍‌ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନେଗେଟିଭ୍‌ ରିପୋର୍ଟ ନଥିବାରୁ ତାଙ୍କୁ ତୁରନ୍ତ ଆଡମିସନ୍ କରାଗଲା ନାହିଁ। ଏହି ସମୟରେ ରୋଗୀଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ତାଙ୍କ ଅମ୍ଳଜାନ ସ୍ତର ଖସି ଯାଉଥିବାରୁ ତାଙ୍କୁ ତୁରନ୍ତ ଅମ୍ଳଜାନ ଦେବାର ଆବଶ୍ୟକତା ଥିଲା। ମୁଖ୍ୟ ଚିକତ୍ସାଳୟରେ ନେଗେଟିଭ୍‌ ରିପୋର୍ଟ ପାଇଁ ବିଳମ୍ବ କରାଯାଇଥିଲା। ଉଭୟ ଚିକିତ୍ସାଳୟରେ ଏପରି ଅବ୍ୟବସ୍ଥା ମଧ୍ୟରେ ଯୁବ ଇଂଜିନିୟର ଶ୍ରୀ ପ୍ରଧାନଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଏଠାରେ ପ୍ରଶ୍ନ ଉଠୁଛି, ଜଣେ ସାଧାରଣ ରୋଗୀଙ୍କୁ କିଭଳି ୩ ଦିନ କୋଭିଡ୍‌ ହସ୍‌ପିଟାଲରେ ରଖାଗଲା। ଯଦି ପଜିଟିଭ୍‌ ଥିଲା ୩/୪ ଦିନ ପ‌ରେ କିପରି ନେଗେଟିଭ୍‌ ହେଲା। ଏହି ସବୁ ଘଟଣା ରୋଗୀ ତଥା ତାଙ୍କ ପରିବାର ଲୋକଙ୍କୁ ଦ୍ବନ୍ଦ୍ବରେ ପକାଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି।

ଅନ୍ୟପଟେ ପ୍ରଶାନ୍ତଙ୍କ ମୃତ୍ୟୁ ପରେ ପରିବାର ଲୋକ ମୃତଦେହକୁ ଏକ ଆମ୍ବୁଲାନ୍‌ସ ଭଡ଼ା କରି ତାଙ୍କ ଗ୍ରାମ ଜୟବୁଡ଼ିଆକୁ ନେଇଥିଲେ। ମୃତଦେହକୁ ତାଙ୍କ ଘରେ ଦେଖେଇ ସେଠାରୁ ଅଧ କିମି ଦୂରରେ ଥିବା ଗାଁ ଶ୍ମଶାନକୁ ନେଇଥିଲେ। କିନ୍ତୁ ଆମ୍ବୁଲାନ୍‌ସ ଡ୍ରାଇଭର୍‌ ଏଥି ପାଇଁ ୩ ହଜାର ଟଙ୍କା ଭଡ଼ା ଦାବି କରିଥିଲା। ଗାଁରେ ପହଞ୍ଚିବା ପରେ ଡ୍ରାଇଭର ମୃତଦେହକୁ ଶ୍ମଶାନକୁ ନେବାକୁ ମନା କରିବା ସହିତ ଆଉ ୨ ହଜାର ଟଙ୍କା ଦାବି କରିଥିଲା। ଗୋଟିଏ ପଟେ ପ୍ରଶାନ୍ତଙ୍କ ମୃତ୍ୟୁକୁ ନେଇ ଦୁଃଖରେ ଭାଙ୍ଗି ପଡ଼ିଥିବା ଏହି ପରିବାରକୁ ଆମ୍ବୁଲାନ୍‌ସ ଡ୍ରାଇଭର ଦାଉ ସାଧିବା ଘଟଣାକୁ ସ୍ଥାନୀୟ ଲୋକେ ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର