ଜଗତସିଂହପୁର ଟାଉନ୍ : କରୋନା କଟକଣାରେ ଦୀପାବଳି ଯେମିତି ଫିକା ଫିକା ରହିଥିଲା । ବାଣ ଫୁଟାଇବା ଦିଗରେ ସରକାର ମଧ୍ୟ ରୋକ୍ ଲଗାଇଥିଲେ । ହେଲେ ଏହା ଭିତରେ ଜଗତସିଂହପୁରର କିଛି ସ୍ୱେଚ୍ଛାସେବୀ ଦୁଇ ପାଦ ଆଗକୁ ଯାଇ ବାଣ ନୁହେଁ ହସ ଫୁଟାଇବା ନାରା ଦେଇ ନିଆରା ଭାବେ ଦୀପାବଳିକୁ ପାଳନ କରିଥିବା ଦେଖିବାକୁ ମିଳିଛି । ଜଗତସିଂହପୁରର ଯୁବ ସଙ୍ଗଠନ ୟୁଥ୍ ଫର୍ ଚେଞ୍ଜ ଗ୍ରୁପ୍ର କାର୍ଯ୍ୟକର୍ତ୍ତାମାନେ ଏକାଠି ହୋଇ ଜଗତସିଂହପୁର ହାଟ ବଜାରରେ ରହୁଥିବା ଅବହେଳିତ ପିଲାମାନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ।
ହାଟ ବଜାର ବସ୍ତିରେ ପ୍ରାୟ ଶହେରୁ ଅଧିକ ପରିବାର ରହୁଛନ୍ତି । ମୂଲ ଲାଗିଲେ ଏମାନଙ୍କ ଚୁଲି ଜଳେ । ଦିନ ସାରା ଏମାନେ ରୋଜଗାର ପାଇଁ ଘୁରି ବୁଲନ୍ତି । ପିଲାମାନଙ୍କ ନାମ ସ୍କୁଲ୍ରେ ଲେଖା ଯାଇଛି ସତ ହେଲେ ପିଲାମାନଙ୍କ ଯତ୍ନ ନେଇ ସେମାନଙ୍କ ପାଠ ପଢ଼ା କଥା ବୁଝିବାକୁ ସମୟ ନିଅଣ୍ଟ । ତେବେ ଯୁବ ସମାଜସେବୀ ଦିବଂଗତ ଅନ୍ତିମ କୁମାର ଦାସଙ୍କ ଉଦ୍ୟମରେ ଗଢ଼ି ଉଠିଥିବା ନିଲେ ଝଣ୍ଡେ ୱାଲେ (ଏଡ୍ଜେଡବ୍ଲ୍ୟୁ)ର ସଦସ୍ୟମାନେ ଏହି ବସ୍ତିରେ ପ୍ରତ୍ୟେକ ଦିନ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି । ହେଲେ ପରିବାରର ଅଭାବ ଅନଟନ ଭିତରେ ପିଲାମାନଙ୍କ ପଢ଼ା ଉପକରଣ ଯୋଗାଇବା କଷ୍ଟ ସାଧ୍ୟ । ଏଭଳି ସମସ୍ୟାକୁ ଉପଲବ୍ଧି କରି ଜଗତସିଂହପୁରର ଯୁବ ସଙ୍ଗଠନ ୟୁଥ୍ ଫର୍ ଚେଞ୍ଜର ସଦସ୍ୟମାନେ ଏକାଠି ହୋଇ ନିଜ ପକେଟ୍ ଖର୍ଚ୍ଚ କାଟି ଏହି ଗରିବ ପିଲାମାନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି । ୫୦ରୁ ଅଧିକ ପିଲାମାନଙ୍କ ପାଇଁ ଖାତା, ବହି, କଲମ, ସିଲଟ୍, ପେନ୍ସିଲ ଓ ଅନ୍ୟାନ୍ୟ ପାଠ୍ୟ ଉପକରଣ ଯୋଗାଇ ଦେଇଛନ୍ତି । ଏଥି ସହ କରୋନା କଟକଣା ଭିତରେ ମାସ୍କ, ସାନିଟାଇଜର ବି ବଣ୍ଟନ କରାଯାଇଥିଲା । ପିଲାମାନଙ୍କୁ ଦୀପାବଳି ପାଇଁ ମିଠା, ଦୀପ, ତେଲ ପ୍ରଭୃତି ଦିଆଯାଇଥିଲା ।
ସଙ୍ଗଠନର ସଦସ୍ୟ ଆଲୋକ ରଂଜନ ଦାସ, ଗୌତମ ସୁନ୍ଦର ସ୍ୱାଇଁ, ଆଦିତ୍ୟ ମହାନ୍ତି, ଅଭିନନ୍ଦନ ରାୟ, ଅଂଶୁମାନ ମହାନ୍ତି, ଆଶିଷ ମହାନ୍ତି, ସୌମ୍ୟ ସସ୍ମିତା ପରିଡ଼ା, ନିରଞ୍ଜନ ସାହୁ, ଅଜୟ ଗୋଛାୟତ, ସନାତନ ଦାସ, ସୁରେଶ ମଲ୍ଲିକ, ଶ୍ରାବଣୀ ତ୍ରିପାଠୀ, ଗାଭ୍ୟଶ୍ରୀ କାନୁନଗୋ, ଅନୀଲ କୁମାର ଦାସ, ବିଶ୍ୱଜିତ ଚକ୍ରବର୍ତ୍ତୀ, କାଳିକିଙ୍କର ମହାନ୍ତି ଓ ସୋମନାଥ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/JSP-TWN-YOUTH-FOR-CHANGE-NIARA-DIWALI-NEWS-15.11-2.jpeg)