‘ୟୁଥ୍‌ ଫର୍‌ ୱାଟର’ ଲୋକାର୍ପିତ: ୟୁନିସେଫ୍‌ ସହ ଜଳ ସମ୍ପଦ ବିଭାଗର ବୁଝାମଣାପତ୍ର ସ୍ୱାକ୍ଷର

ଭୁବନେଶ୍ବର : ରାଜ୍ୟ ଜଳ ସଂପଦ ବିଭାଗ ଓ ୟୁନିସେଫ୍‌ ମଧ୍ୟରେ ବୁଧବାର ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ‘୫-ଟି’ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ସ୍ୱରୂପ ପୋଷଣଯୁକ୍ତ ଜଳ ପରିଚାଳନାରେ ବିଭିନ୍ନ ଗୋଷ୍ଠୀମାନଙ୍କୁ ନିୟୋଜିତ କରିବା, ଜଳର ଉଚିତ୍‌ ବ୍ୟବହାର, ବଣ୍ଟନରେ ସମାନତା, ସଂରକ୍ଷଣ, ପରିଚାଳନାରେ ମହିଳାଙ୍କ ଭାଗିଦାରିତା ତଥା ପ୍ରମୁଖ ଅଂଶୀଦାରମାନଙ୍କୁ ନେଇ ଜଳସେଚନ ପରିଚାଳନା କରିବା ଏହି ବୁଝାମଣାର ଲକ୍ଷ୍ୟ ରହିଛି। ଏହି ଅବସରରେ ‘ୟୁଥ୍‌ ଫର ୱାଟର’ ୱେବ୍‌ସାଇଟ୍‌ ଲୋକାର୍ପିତ ହୋଇଛି।

କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ଅବସରରେ ଜଳ ସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କହିଥିଲେ, ଜଳବାୟୁ ପରିବର୍ତ୍ତନ ଆଧାରରେ କିପରି ଜଳ ପରିଚାଳନା କରିବାକୁ ହେବ ସେ ନେଇ ବିଚାର କରିବାକୁ ସମୟ ଆସିଛି। ସମସ୍ତଙ୍କ ପାଇଁ ପାନୀୟ ଜଳର ସୁବିଧା, ପରିମଳ ଓ ସ୍ୱାସ୍ଥ୍ୟ ରକ୍ଷା, ଉନ୍ନତ ଗୁଣାତ୍ମକ ଜଳର ଉପଲବ୍‌ଧତା, ବର୍ଜ୍ୟଜଳର ପ୍ରକ୍ରିୟାକରଣ ଓ ନିରାପଦ ପୁନଃ ବ୍ୟବହାର, ଜଳ ପୁନଃ ବ୍ୟବହାର ଦକ୍ଷତା ବୃଦ୍ଧି, ସମନ୍ୱିତ ଜଳ ସମ୍ପଦର ପରିଚାଳନା, ଜଳ ସଂପର୍କିତ ପରିସଂସ୍ଥାର ସୁରକ୍ଷା ଓ ସଂରକ୍ଷଣ, ଜଳ ଓ ପରିମଳ ପରିଚାଳନାରେ ଦକ୍ଷତା ବୃଦ୍ଧି ନିମନ୍ତେ ସମସ୍ତ ଅଂଶୀଦାରମାନେ ମିଳିମିଶି କାମ କରିବା ଜରୁରୀ ହୋଇଛି। ଏଥିପାଇଁ ରାଜ୍ୟ ଜଳ ନୀତିର ପୁନଃ ତର୍ଜମା କରିବା, ଜଳ ଓ ଭୂ-ପରିଚାଳନା ପ୍ରତିଷ୍ଠାନ(ୱାଲ୍‌ମି)କୁ ଉତ୍କର୍ଷ କେନ୍ଦ୍ର ରୂପେ ପ୍ରତିଷ୍ଠା କରିବା‌, ‘ୟୁଥ୍ ଫର ୱାଟର’ ଓ ‘ମୋ ନଦୀ’ କାର୍ଯ୍ୟକ୍ରମର ପ୍ରଚାର କାର୍ଯ୍ୟ ଏବେ ୟୁନିସେଫ୍‌ ସହାୟତାରେ ହେବ ବୋଲି ସେ ସୂଚନା ଦେଇଛନ୍ତି।

ୟୁନିସେଫ୍‌ର ଓଡ଼ିଶା ମୁଖ୍ୟ ମୋନିକା ନେଲସନ କହିଥିଲେ, ବହୁମାତ୍ରାରେ ସହରୀକରଣ, କୃଷି ପଦ୍ଧତିରେ ପରିବର୍ତ୍ତନ ଓ ଶିଳ୍ପାୟନ ନିରନ୍ତର ବିକାଶ ଲକ୍ଷ୍ୟ ସାଧନ ଏବଂ ଜଳ ଓ ଯୋଗାଯୋଗ ପାଇଁ ଆହ୍ବାନ ହୋଇଛି। ତେବେ ଏ ସବୁର ମୁକାବିଲା ପାଇଁ ଅଧିକ ଗୁରୁତ୍ୱ ଦିଆଯିବା ଆବଶ୍ୟକତା ରହିଛି। ଏଥିପାଇଁ ଅଧିକ ପ୍ରଭାବୀ ଯୋଗାଯୋଗ ପ୍ରଚାର ବ୍ୟବସ୍ଥା ଏବଂ ଶିଶୁ ଓ ମହିଳାମାନଙ୍କୁ ଜଳର ପୋଷଣୀୟ ବ୍ୟବହାର ଓ ସଂରକ୍ଷଣ ପାଇଁ ସଚେତନ କରାଇବାକୁ ୟୁନିସେଫ୍ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଳ ସଂପଦ ବିଭାଗର ବରିଷ୍ଠ ଅଧିକାରୀ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଜଳ ସଂପଦ ବିଭାଗ ସେଚାଞ୍ଚଳ ଉନ୍ନୟନ ତଥା ଭାଗିଦାରୀ ଜଳସେଚନ ପରିଚାଳନା ନିର୍ଦ୍ଦେଶକ ରଶ୍ମି ରଂଜନ ନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର