ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମସ୍ଥିତ ‘ଓଲିସ୍ ଲ୍ୟାଣ୍ଡ’ଠାରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ୟୁନିସେଫ୍ ନେତୃତ୍ୱରେ ପରିଚାଳିତ ‘ୟୁଥ୍ ଫର୍ ୱାଟର ପ୍ଲସ୍’ ଅଭିଯାନର ମାସ୍କଟ ଏବଂ ନୂଆ ଲୋଗୋ ଉନ୍ମୋଚିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କି ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଜ୍ଞାନ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଯୁବ ଗୋଷ୍ଠୀଙ୍କ ଭିତରେ ଜଳ ସଂରକ୍ଷଣ, ପରିମଳ ଏବଂ ପରିବେଶ ସୁରକ୍ଷା ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ‘ୟୁଥ୍ ଫର୍ ୱାଟର ପ୍ଲସ୍’ ଅଭିଯାନ କରାଯାଉଛି।
ଏହି କାର୍ଯ୍ୟକ୍ରମର ମାସ୍କଟର ନାଁ ରହିଛି ‘ଜଲି’, ଯାହାକି ‘ଜଳ’ ଶବ୍ଦରୁ ନିଆଯାଇଛି। ଏହି ଅବସରରେ ‘ୟୁଥ୍ ଫର୍ ୱାଟର ପ୍ଲସ’ ଅଭିଯାନର ଯାତ୍ରା ଉପରେ ଆଧାରିତ ଏକ ଭିଡିଓ ପ୍ରଦର୍ଶନ କରାଯାଇଥିଲା। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏହି ଅଭିଯାନରେ ପ୍ରମୁଖ ସହଯୋଗୀ ଭାବେ ଯୋଡ଼ିହୋଇଛି। ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିସନର ପ୍ରଦୀପ ଜେନା ଏକ ଭିଡିଓ ମାଧ୍ୟମରେ ‘ୟୁଥ୍ ଫର୍ ୱାଟର ପ୍ଲସ୍’ ଅଭିଯାନର ସଫଳତା କାମନା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ୟୁନିସେଫ୍ ଓଡ଼ିଶାର ଅଫିସିଏଟିଙ୍ଗ ଇନଚାର୍ଜ ଡ. ସୁଗତ ରାୟ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ୟୁନିସେଫ୍ ଓଡ଼ିଶାର ଜଳ ଓ ପରିମଳ ବିଶେଷଜ୍ଞ ସିପ୍ରା ସକ୍ସେନା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଚିଫ୍ ଜେନେରାଲ ମ୍ୟାନେଜର ସବ୍ୟସାଚୀ ହୋତା ଅତିଥି ଭାବେ ଯୋଗ ଦେଇଥିଲେ। ଶେଷରେ ୟୁନିସେଫ୍ ଓଡ଼ିଶାର ରିସ୍କ ଏବଂ ରେଜିଲେନ୍ସ ବିଶେଷଜ୍ଞ ଓମକାର ଓନିଏଲ ଖରେ ଧନ୍ୟବାଦ ଦେଇଥିଲେ।