ଅନ୍‌ଲାଇନ୍‌ରେ ଲକ୍ଷେ ଟଙ୍କା ଲୁଟ୍‌, ତିନିମାସ ପରେ ଫେରି ପାଇଲେ ଯୁବକ

ଖଣ୍ଡଗିରି : ୧୫ ଶହ ଟଙ୍କାର ବ୍ଲୁ ଟୁଥ୍ ପାଇଁ ଚାଲିଗଲା ଏକ ଲକ୍ଷ ଟଙ୍କା। ଅନ୍‌ଲାଇନ୍‌ରେ ଲୁଟ୍‌ର ଶିକାର ହୋଇଥିବା ଡୁମୁଡୁମା ଅଞ୍ଚଳର ଜଗଶ୍ରୀ ମହାରଣା ୩ ମାସ‌ର ଲଢ଼େଇ ପରେ ସବୁତକ ଟଙ୍କା ଫେରି ପାଇଛନ୍ତି। ଥାନାର ଷ୍ଟେସନ ଡାଏରି ବଳରେ ଜଗଶ୍ରୀ ଏହି ଠକାମିର ମୁକାବିଲା କରି ସଫଳ ହୋଇପାରିଛନ୍ତି।

ଡୁମୁଡୁମା ହାଉସିଂବୋର୍ଡ କଲୋନିରେ ରହୁଥିବା ନୟାଗଡ଼ ଓଡ଼ଗାଁ ଅଞ୍ଚଳର ଜଗଶ୍ରୀ ଜଣେ ବିଦ୍ୟୁତ୍ ମେକାନିକ୍‌। ଏକ ବ୍ଲୁ ଟୁଥ୍‌ ପାଇଁ ସେ ଗତ ଜୁନ୍‌ ମାସରେ ଅନ୍‌ଲାଇନ୍‌ରେ ବୁକିଂ କରିଥିଲେ। ଦାମ୍‌ ଥିଲା ୧୫ ଶହ ଟଙ୍କା। ଜୁଲାଇ ୨ ତାରିଖରେ ଉକ୍ତ ସଂସ୍ଥା ପକ୍ଷରୁ ତାଙ୍କୁ ଫୋନ୍‌ କରି ଜଣାଇ ଦିଆଯାଇଥିଲା କି ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ କିଛି ସମସ୍ୟା ହେତୁ ଅନ୍‌ଲାଇନ୍‌‌ ପେମେଣ୍ଟ ହୋଇପାରୁନାହିଁ। ଏହି ଜାଲରେ ଛନ୍ଦି ହେବାପରେ ମାତ୍ର ୫ ମିନିଟ୍‌ ମଧ୍ୟରେ ୩ ଥରରେ ତାଙ୍କ ଆକାଉଣ୍ଟରୁ ଲକ୍ଷେ ଟଙ୍କା ଚାଲିଯାଇଥିଲା ଓ ଉକ୍ତ ଫୋନ୍‌ ନମ୍ବର ସୁଇଚ୍ ଅଫ୍ ହୋଇ ଯାଇଥିଲା। ତୁରନ୍ତ ସେ କୋଳଥିଆସ୍ଥିତ ଆକ୍ସିସ୍ ବ୍ୟାଙ୍କକୁ ଯାଇ ଏ ବାବଦରେ ଶାଖା ପରିଚାଳକଙ୍କୁ ଜଣାଇଥିଲେ। କୋଳଥିଆ ଶାଖାର ପରିଚାଳକ ତୁରନ୍ତ ଏ‌ ନେଇ ଗୁଜୁରାଟ ମୁଖ୍ୟ କାର୍ଯ୍ୟାଳୟକୁ ଜଣାଇଥିଲେ। ପରେ ଓଡ଼ଗାଁ ଶାଖାକୁ ମଧ୍ୟ ଜଣାଇ ଦିଆଯାଇଥିଲା। ତେବେ ଏ ନେଇ ଏକ ପୁଲିସ ଏଫ୍ଆଇଆର୍ କପି ଦରକାର ବୋଲି ବ୍ୟାଙ୍କ ପକ୍ଷରୁ ଜଗଶ୍ରୀଙ୍କୁ କୁହାଯାଇଥିଲା। ତେଣୁ ତୁରନ୍ତ ଜଗଶ୍ରୀ କଟକ ସାଇବର ଥାନାର ଦ୍ବାରସ୍ଥ ହୋଇ ଅଭିଯୋଗ କରିଥିଲେ। ମାତ୍ର ସାଇବର ଥାନାରୁ ତାଙ୍କୁ ହତାଶବାଣୀ ଶୁଣିବାକୁ ପଡ଼ିଥିଲା। ଏମିତିକି ତାଙ୍କୁ ଏଫ୍ଆଇଆର୍ କପିଟିଏ ମଧ୍ୟ ମିଳିନଥିଲା। ଏକ ଷ୍ଟେସନ ଡାଏରି କପି ଦିଆଯାଇଥିଲା। ଯାହାକି ପରେ ଟଙ୍କା ଫେରି ପାଇବାରେ ସହାୟକ ହୋଇଥିଲା। ଦୀର୍ଘ ୩ ମାସ ପରେ ତାଙ୍କ ଆକାଉଣ୍ଟରେ ଉକ୍ତ ଲକ୍ଷେ ଟଙ୍କା ଜମା ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର