ଭେଣ୍ଡିଆ ନେଉଛି ବାର୍ଦ୍ଧକ୍ୟ ଭତ୍ତା! ମାହାଙ୍ଗାରୁ ପୁଣି ଆସିଲା ବଡ଼ କେଳେଙ୍କାରୀ ଅଭିଯୋଗ

ଦୁର୍ନୀତିର ପ୍ରୟୋଗଶାଳା ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ବର : ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ବାଚନମଣ୍ଡଳୀରୁ ଗୋଟିଏ ପରେ ଗୋଟିଏ ସାଂଘାତିକ କେଳେଙ୍କାରୀ ପଦାକୁ ଆସିବାରେ ଲାଗିଛି। ଆବାସ ଯୋଜନାକୁ ନେଇ ଚର୍ଚ୍ଚା ସରିନାହିଁ, ଯୁବକମାନେ କିଭଳି ବାର୍ଦ୍ଧକ୍ୟ ଭତ୍ତା ନେଉଛନ୍ତି, ତାହା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଆଉ କେହି ନୁହେଁ, ଖୋଦ୍‌ ପଞ୍ଚାୟତ ଲୋକ ପ୍ରତିନିଧି ଏଭଳି କେଳେଙ୍କାରୀ ସଂପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ନୃର୍ତ୍ତାଙ୍ଗ ଗ୍ରାମପଞ୍ଚାୟତର ସମିତି ସଭ୍ୟ ରମାକାନ୍ତ ବରାଳ ମୁଖ୍ୟମନ୍ତ୍ରୀ, ପଞ୍ଚାୟତରାଜ ମନ୍ତ୍ରୀ, ସଚିବ ପଞ୍ଚାୟତ ରାଜ ବିଭାଗ, ଜିଲ୍ଲାପାଳ କଟକ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ବିଡିଓ ମାହାଙ୍ଗାଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି ଯେ ଭୋଟର ତାଲିକାରେ ବୟସ ବଦଳାଇ ଗରିବ, ନିରାଶ୍ରୟଙ୍କ ଅର୍ଥକୁ ହଡ଼ପ କରିନିଆଯାଉଛି, ଅଥଚ କାହା ପାଖେ ଆପତ୍ତି କଲେ ବି କିଛି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଅନ୍ୟପକ୍ଷରେ ବିଜେପି ନେତା ଶାରଦା ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ସରକାରର ବର୍ଷ ପୂର୍ତି ଅବସରରେ ଅଭିନନ୍ଦନ ଜଣାଇବା ସହିତ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ବାଚନମଣ୍ଡଳୀ ଦୁର୍ନୀତିର ପ୍ରୟୋଗଶାଳା ପାଲଟିଛି ବୋଲି ଅଭିଯୋଗ କରିବା ସହିତ ୭ଟି କେଳେଙ୍କାରୀ ସଂପର୍କରେ ଉଲ୍ଲେଖ କରିଛନ୍ତି।

ବାର୍ଦ୍ଧକ୍ୟ ଭତ୍ତା ସଂପର୍କରେ ହୋଇଥିବା ଅଭିଯୋଗ କହୁଛି, ୨୦୧୯ ମସିହା ଭୋଟର ତାଲିକାରେ ଲକ୍ଷ୍ମୀଧର ସ୍ବାଇଁଙ୍କ ବୟସ ୫୭ ଥିଲା। ୨୦୨୦ ମସିହା ଭୋଟର ତାଲିକା ଅନୁଯାୟୀ ବୟସ ଏହା ୬୧ ଛୁଇଁଛି। ସହଦେବ ସାହୁ ମାତ୍ର ଗୋଟିଏ ବର୍ଷରେ ବୁଢ଼ା ହୋଇଯାଇଛନ୍ତି। ୨୦୧୯ ମସିହା ଭୋଟର ତାଲିକା ଅନୁଯାୟୀ ତାଙ୍କ ବୟସ ୪୭ ଥିଲା। ୨୦୨୦ ମସିହା ଭୋଟର ତାଲିକାରେ ସେ ୬୧ବର୍ଷରେ ପଦାର୍ପଣ କରିଛନ୍ତି। ୨୦୧୯ ମସିହା ଭୋଟର ତାଲିକାରେ ୫୭ବର୍ଷୀୟ ମଞ୍ଜୁଲତା ବାରିକଙ୍କ ବୟସ ମଧ୍ୟ ୨୦୨୦ ମସିହା ଭୋଟର ତାଲିକାରେ ବୟସ ୬୧ହୋଇଛି। ୨୦୧୯ ମସିହା ଭୋଟର ତାଲିକାରେ ସ୍ନେହଲତା ସାହୁଙ୍କ ବୟସ ୫୪ ଥିବା ବେଳେ ୨୦୨୦ ମସିହା ଭୋଟର ତାଲିକାରେ ସେ ୬୧ବର୍ଷରେ ପଦାର୍ପଣ କରିଛନ୍ତି। କେବଳ ଏତିକି ନୁହେଁ, ୨୦୧୯ ମସିହାରେ ଭୋଟର ତାଲିକାରେ ଭାନୁମତୀ ସ୍ବାଇଁ ଙ୍କ ବୟସ ୫୫ ଥିବାବେଳେ ୨୦୨୦ ମସିହା ଭୋଟର ତାଲିକାରେ ବୟସ ୬୧, ରମେଶ ସାମଲ(୫୨)ଙ୍କୁ ୬୧ ଛୁଇଁଛି। ଏମାନେ ସମସ୍ତେ ନୃର୍ତ୍ତାଙ୍ଗ ଗ୍ରାମର। ସେହିପରି ଶିରିପୁର ଗ୍ରାମର ଶରତ ନାୟକ ଓ ଆଦିକନ୍ଦ ବାରିକଙ୍କ ବୟସ ୪୯ରୁ ୬୧ ଛୁଇଁଛି।

cnn.com

ସରକାରଙ୍କ ନିୟମ ଅନୁଯାୟୀ ୬୦ ବୟସ ହୋଇଥିବା ଲୋକଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିବ। କୌତୂହଳର କଥା ହେଉଛି ବାର୍ଦ୍ଧକ୍ୟ ଭତ୍ତା ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ହଠାତ୍ ଗୋଟିଏ ବର୍ଷରେ ଲୋକଙ୍କ ବୟସ ଆଶ୍ଚର୍ଯ୍ୟଜନକ ଭାବରେ ବଢ଼ିଯାଉଛି। ଏହା ଏକ ବଡ଼ ଧରଣର ତଦନ୍ତକୁ ଅପେକ୍ଷା କରୁଛି। ଭୋଟର ତାଲିକା ସଂଶୋଧନ ବେଳେ ବୁଥ୍‌ସ୍ତରର ଅଧିକାରୀ ଓ ବ୍ଲକର ଗ୍ରାମ ପଞ୍ଚାୟତ ଅଧିକାରୀଙ୍କୁ ଆୟୁଧ କରି ଏଭଳି ବୟସ ବଦଳାଇବା ଲାଗି ଚଞ୍ଚକତା ହେଉଥିବା ସମିତି ସଭ୍ୟ ଅଭିଯୋଗ କରିଛନ୍ତି। ଭାତ ହାଣ୍ଡିରୁ ଗୋଟିଏ ଚିପିବା ଭଳି ଯଦି କେବଳ ନୃର୍ତ୍ତାଙ୍ଗ ପଞ୍ଚାୟତକୁ ବିଚାରକୁ ନିଆଯାଏ, ତେବେ ଏହି କେଳେଙ୍କାରୀ କେତେ ଭୀଷଣ ହୋଇଥିବ, ତାହା ଯେ କେହି ଅନୁମାନ କରିପାରେ।

ଏସବୁକୁ ବିଚାରକୁ ନେଇ ବିଜେପି ସରକାରଙ୍କୁ ଘେରିବା ଆରମ୍ଭ କରିଛି। ବିଜେପି ନେତା ଶାରଦା ପ୍ରଧାନ ଅଭିଯୋଗ କରିଛନ୍ତି ଯେ ଫନି ବାତ୍ୟାକୁ ଏକ ବର୍ଷ ପୂରଣ ହୋଇଥିଲେ ମଧ୍ୟ ମାହାଙ୍ଗାରେ ପ୍ରକୃତ ହିତାଧିକାରୀ ଫନି ଘରଭଙ୍ଗା ଟଙ୍କା ପାଇପାରିଲେ ନାହିଁ। ମାହାଙ୍ଗାରେ ସମ୍ପୂର୍ଣ୍ଣ ଘର ଭଙ୍ଗା ବାବଦରେ ଯେଉଁ ୩୦୦୦ ପରିବାରକୁ ଦିଆଯାଇଛି ସେଥିରୁ ପାଖାପାଖି ୨୦୦୦ ପରିବାର ଅଯୋଗ୍ୟ। ଅନେକ ଯୋଗ୍ୟ ହିତାଧିକାରୀ ଏଥିରୁ ବାଦ୍‌ ପଡ଼ିଛନ୍ତି। ଆବାସ ଦୁର୍ନୀତିରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନୃର୍ତ୍ତାଙ୍ଗ, ଯମରା ଓ ଦାଉଦପୁର ଆଦି ପଞ୍ଚାୟତ କେଳେଙ୍କାରୀ ସରକାରୀଙ୍କ ଦୃଷ୍ଟିକୁ ଆସିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। କୋଭିଡ-୧୯ କ୍ଷେତ୍ରରେ ବିଭିନ୍ନ ପଞ୍ଚାୟତରେ ଖଟିଆ ଓ ଅନ୍ୟାନ୍ୟ ଉପକରଣ କିଣାରେ ଦୁର୍ନୀତି, କ୍ୱାରାଣ୍ଟିନ୍ ସେଣ୍ଟରରେ ବ୍ୟାପକ ଅବ୍ୟବସ୍ଥା ବାବଦରେ ବି ସରକାର ଚୁପ୍। ପାଗା-ଗୋପୀନାଥପୁର ରାସ୍ତା ଧସି ଯିବା ଘଟଣାରେ ଲୋକପାଳ ନିଜଆଡୁ ଭିଜିଲାନ୍ସକୁ ମାମଲା ପାଇଁ ନିର୍ଦ୍ଦେଶ ଦେଇଥିଲେ ହେଁ ଏଯାବତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏହାବ୍ୟତୀତ ରାସନ କାର୍ଡ, ଯୁବକଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଆଦି ପ୍ରସଙ୍ଗ ସେ ଉଠାଇଛନ୍ତି।

ସମ୍ବନ୍ଧିତ ଖବର