ବୌଦ୍ଧ : ସମ୍ପର୍କୀୟ ନାବାଳିକା ଭଉଣୀକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଭାଇ ରଞ୍ଜନ ବେହେରା (୩୦ ବର୍ଷ)କୁ ଅଦାଲତ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଏବଂ ଏକଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ବୌଦ୍ଧ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ତଥା ସ୍ପେସାଲ ଜଜ୍‌ ସତ୍ୟନାରାୟଣ ଷଡ଼ଙ୍ଗୀ ଏହି ମାମଲାର ବିଚାର କରି ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି।

Advertisment

publive-image Photo Credit: Representative Image

ସୂଚନାଯୋଗ୍ୟ, ହରଭଙ୍ଗା ଥାନା ପାଣିଘରା ଗାଁର ରଞ୍ଜନ ତାର ସଂପର୍କୀୟ ନାବାଳିକା ଭଉଣୀକୁ ଘରେ କେହି ନଥିବା ସୁଯୋଗ ନେଇ ଦୁଷ୍କର୍ମ କରିଥିଲା। ଏ କଥା କାହାକୁ କହିଲେ ଜୀବନରେ ମାରିଦେବାର ଧମକ ବି ଦେଇଥିଲା। କିଛି ଦିନ ପରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ। ଘଟଣା ସମ୍ପର୍କରେ ପରିବାର ଲୋକ ତାଙ୍କୁ ପଚାରିବାରୁ ସେ ରଞ୍ଜନ ଦୁଷ୍କର୍ମ କରିଥିବା କଥା କହିଥିଲେ। ଘଟଣାଟି ପ୍ରଘଟ ହେବା ପରେ ମଧ୍ୟ ରଞ୍ଜନ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲା। ଏ ସଂକ୍ରାନ୍ତରେ ନାବାଳିକାର ପରିବାର ପକ୍ଷରୁ ୨୦୧୩ ମସିହାରେ ହରଭଙ୍ଗା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସ ଥାନା କେସ୍‌ ନଂ ୨୦/୧୩ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରଞ୍ଜନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ଉକ୍ତ ମାମଲାଟି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ତଥା ସ୍ପେସାଲ ଜଜ୍‌ଙ୍କ ଅଦାଲତରେ ସ୍ପେସା‌ଲ୍‌ କେସ ନଂ ୨୫/୧୩  ବିଚାରାଧୀନ ରହିଥିଲା। ମାମଲାରେ ସରକାରଙ୍କ ପକ୍ଷରୁ ୧୦ ଜଣ ସାକ୍ଷୀଙ୍କ  ବୟାନ ଓ ପ୍ରମାଣ ଆଧାରରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ତଥା ସ୍ପେସାଲ ଜଜ୍‌ ଶ୍ରୀ ଷଡ଼ଙ୍ଗୀ ଗତ ଗୁରବାର ମାମଲାର ଶୁଣାଣି କରି  ତାଙ୍କ ରାୟ ପ୍ରଦାନ କରିଛନ୍ତି। ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ପେସାଲ ପିପି ଧୁରୀଣ ଦେହୁରୀ ପରିଚାଳନା କରିଥିଲେ।