ବ୍ରହ୍ମପୁର : ଜନୈକା ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ଶୁଣାଣି କରି ଏଡିଜେ-୨ ତଥା ପୋକ୍‌ସୋ ଜଜ୍‌ ଜଗଦୀଶ ପ୍ରସାଦ ମହାନ୍ତି ଜଣେ ଅଭିଯୁକ୍ତକୁ ୧୫ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତଙ୍କ ନାମ ହେଉଛି ବିଶୁ ବେହେରା(୫୩)। ଏହାସହିତ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଗତ ୨୦୧୬ ଏପ୍ରିଲ ମାସରେ ପୁରୁଷୋତ୍ତମପୁର ଥାନା ଇଲାକାର ଏକ ଗାଁରେ ଜଣେ ନାବାଳିକା ଘରେ ଏକୁଟିଆ ଥିବାର ସୁଯୋଗ ନେଇ ବିଶୁ ତାଙ୍କ ସହିତ ଦୁଷ୍କର୍ମ କରିଥିଲା। ୨୦୧୬ ସେପ୍ଟେମ୍ବର ୧୨ତାରିଖରେ ପୁଲିସ କେସ୍ ନମ୍ବର ୧୩୪/୧୬ରେ ଅଭିଯୁକ୍ତ ବିଶୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତ ଜଣକ ଆଜି ପର୍ଯ୍ୟନ୍ତ ମଣ୍ଡଳକାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଥିଲା।

ଏହି ମାମଲାର ବିଚାରଣା ବେଳେ ୧୪ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ପ୍ରମାଣ ଥିବାରୁ ଏଡିଜେ-୨ ଅଭିଯୁକ୍ତ ବିଶୁକୁ ଦଣ୍ଡିତ କରିଛନ୍ତି। ଏହାସହିତ ପୀଡ଼ିତାଙ୍କୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।