ଭୁବନେଶ୍ବର(ସରିତ୍‌ଦିପ୍‌ ଶତପଥୀ): ଘରେ ବସିବସି ବିନା ପରିଶ୍ରମରେ କୋଟିପତି ହେବାର ନିଶା ଏବେ ଯୁବପିଢ଼ିଙ୍କୁ ପଥଭ୍ରଷ୍ଟ କରୁଛି। ସେମାନେ ବିଛାମନ୍ତ୍ର ନଜାଣି ସାପ ଗାତରେ ହାତ ପୂରାଉଛନ୍ତି। କେତେବେଳେ ପୁଞ୍ଜି ବଜାରରେ ଟ୍ରେଡିଂ କରି ସର୍ବସ୍ବ ହରାଉଛନ୍ତି ତ କେତେବେଳେ ସୋସିଆଲ ମିଡିଆରେ ବିଭିନ୍ନ ଲୋଭନୀୟ ସ୍କିମ୍‌ ଦେଖି ଆଖିବୁଜା ଟଙ୍କା ଲଗାଇ ଦେଉଛନ୍ତି। ସେହିଭଳି ଆଗପଛ ବିଚାର ନ କରି ବେଟିଂ(ଜୁଆ)‌ରେ ବି ବାପା-ମା’ଙ୍କ କଷ୍ଟଅର୍ଜିତ ଝାଳବୁହା ଟଙ୍କା ଲଗାଇ ଲକ୍ଷ ଲକ୍ଷ ହରାଉଛନ୍ତି। ଠକାମିର ଶିକାର ହେବା ଜାଣିବା ବେଳକୁ ପଶ୍ଚାତାପ, ଅନୁଶୋଚନା ବ୍ୟତୀତ ସେମାନଙ୍କ ପାଖରେ ଆଉ କିଛି ବିକଳ୍ପ ରହୁନାହିଁ। ସାଇବର୍‌ ଠକାମିର ଶିକାର ହେଲେ ସାଇବର୍‌ ପୁଲିସ୍‌, ଇଓଡବ୍ଲୁ ଆଦି ବିଭିନ୍ନ ଫୋରମ୍‌ରେ ଅଭିଯୋଗ କରାଯାଇପାରିବ। କିନ୍ତୁ ଦେଶରେ ବେଆଇନ ହୋଇଥିବାରୁ ବେଟିଂ ପାଇଁ ସେ ସୁଯୋଗ ବି ନାହିଁ। ହକି, ଫୁଟବଲ୍‌, କ୍ରିକେଟ୍‌ ଆଦି ବିଭିନ୍ନ ଖେଳକୁ ନେଇ ବର୍ଷତମାମ ବେଟିଂ ଚାଲିଥିବା ବେଳେ ଏବେ ଆଇପିଏଲ୍‌ ମହାସମରରେ ଏହା ବହୁଗୁଣରେ ବୃଦ୍ଧି ପାଇଛି। ବେଟିଂ ମାୟାରେ ପଡ଼ି ହଜାର ହଜାର ଯୁବପିଢ଼ି କୋଟି କୋଟି ଟଙ୍କା ହରାଉଛନ୍ତି। କିନ୍ତୁ ଏ ବାବଦରେ ସେମାନେ କେଉଁଠି ଅଭିଯୋଗ କରିପାରୁ ନଥିବାରୁ ଘଟଣା ପଦାକୁ ଆସିପାରୁନାହିଁ।

Advertisment

ନିଜ ନାମ ଗୋପନ ରଖିବା ସର୍ତ୍ତରେ ପଟିଆର ଜଣେ ଯୁବକ କହିଛନ୍ତି ଯେ ତାଙ୍କର ଜଣେ ସାଙ୍ଗଙ୍କଠାରୁ ସେ ଆଇପିଏଲ୍‌ ବେଟିଂ ସଂପର୍କ‌ରେ ଜାଣିବାକୁ ପାଇଥିଲେ। ଜଣେ ଦଲାଲ ସହାୟତାରେ ନିଜର ଏକ ବେଟିଂ ଆକାଉଣ୍ଟ ଖୋଲାଇ ୨୫ଶହ ଟଙ୍କାରୁ ବେଟିଂ ଆରମ୍ଭ କରିଥିଲେ। ପ୍ରଥମେ ପ୍ରଥମେ ବାଜି ଜିତିବାରୁ ଧୀରେଧୀରେ ସେ ଅଧିକରୁ ଅଧିକ ଟଙ୍କା ଲଗାଇବାକୁ ଲାଗିଲେ। ଏମିତି କରି ସେ ମୋଟ ୨ ଲକ୍ଷ ଟଙ୍କା ଲଗାଇ ୫ଲକ୍ଷ ୭୫ ହଜାର ଟଙ୍କା ଜିତି ସାରିଥିଲେ। କିନ୍ତୁ ଉକ୍ତ ବେଟିଂ ଆକାଉଣ୍ଟରୁ ନିଜ ଆକାଉଣ୍ଟକୁ ଟଙ୍କା ଆଣିବାକୁ ଚେଷ୍ଟା କରିବାରୁ ତାଙ୍କର ଆକାଉଣ୍ଟ ବ୍ଲକ୍‌ ହୋଇଯାଇଥିଲା। ଏହା ପରଠାରୁ ନା ଦଲାଲ ନା ଉକ୍ତ ବେଟିଂ ସଂସ୍ଥା, କେହି ଆଉ ଧରାଛୁଆଁ ଦେଉନାହାନ୍ତି। ଫଳରେ ଲାଭ ତ ଦୂରର କଥା, ଯେଉଁ ୨ଲକ୍ଷ ଟଙ୍କା ମୂଳଧନ ଲଗାଇଥିଲେ ତା’ ବି ଚାଲିଗଲା। ଅପରପକ୍ଷେ ବେଟିଂ ବେଆଇନ ହୋଇଥିବାରୁ ସେ ଥାନାକୁ ମଧ୍ୟ ଯାଇପାରୁନାହାନ୍ତି। ଖାଲି ଏଇ ଜଣେ ଯୁବକ ନୁହେଁ, ତାଙ୍କ ପରି ହଜାରହଜାର ଯୁବକ ଏବେ ଏମିତି ବେଟିଂ ନିଶାରେ ପଡ଼ି କୋଟି କୋଟି ଟଙ୍କା ହରାଉଛନ୍ତି।

ଦେଶ ବାହାରେ ବୁକି, ଦଲାଲ ବିଛାଉଛନ୍ତି ନେଟ୍‌ୱାର୍କ

ଏହି ବେଟିଂ କାରବାର ଏକ ଚେନ୍‌-ନେଟ୍‌ୱାର୍କ ଭଳି କାମ କରୁଛି। ଦୁବାଇ, ସିଙ୍ଗାପୁର ଭଳି ଦେଶରେ ବସି ବଡ଼ବଡ଼ ବୁକିମାନେ ପୂରା ବେଟିଂକୁ ପରିଚାଳନା କରୁଛନ୍ତି। ସେମାନଙ୍କ ଅଧୀନରେ ଦେଶର ପ୍ରାୟ ସବୁ ସହରରେ ଦଲାଲ ରହିଛନ୍ତି। ସେମାନେ ଲୋକଙ୍କୁ, ବିଶେଷକରି ଯୁବପିଢ଼ିଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ବେଟିଂରେ ସାମିଲ କରାଉଛନ୍ତି। ଯେତେ ଲୋକ ସାମିଲ ହେବେ, ସେହି ଅନୁଯାୟୀ ସେମାନଙ୍କୁ (୨ରୁ ୮ ପ୍ରତିଶତ) ପର୍ଯ୍ୟନ୍ତ କମିସନ୍‌ ମିଳୁଛି। ତେଣୁ ଅଧିକ କମିସନ୍‌ ପାଇବା ଆଶାରେ ସେମାନେ ଯୁବପିଢ଼ିଙ୍କୁ ବି ଏହି ଦଲାଲି କାରବାରରେ ସାମିଲ କରିଦେଉଛନ୍ତି। ସେମାନଙ୍କୁ କିଛି କମିସନ୍‌ (୩ରୁ ୫ ପ୍ରତିଶତ)ର ଲୋଭ ଦେଖାଇ ସେମାନଙ୍କ ସାଙ୍ଗ, ପରିବାର ଓ ବନ୍ଧୁବାନ୍ଧବଙ୍କୁ ବେଟିଂରେ ସାମିଲ ହେବାକୁ କହୁଛନ୍ତି। ଫଳରେ ଚେନ୍‌ ଭଳି ସେମାନଙ୍କ ଏହି ନେଟ୍‌ୱାର୍କ ବଢ଼ି ଚାଲିଥିଲେ ହେଁ ପୁଲିସ୍‌ ଏହାର ଟେର୍‌ ବି ପାଇ ନଥାଏ।

ବେଟିଂକୁ ପ୍ରୋତ୍ସାହିତ କରୁଛି ସରକାରଙ୍କ ନିରବତା: ସାଇବର୍‌ ବିଶେଷଜ୍ଞ

ସାଇବର୍‌ ବିଶେଷଜ୍ଞ ପ୍ରଶାନ୍ତ ସାହୁ କହିଛନ୍ତି ଯେ ଦେଶରେ ବେଟିଂକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେଭଳି କିଛି କଡ଼ା ନିୟମ ନାହିଁ। ବଡ଼ଧରଣର ଠକେଇ ନଜରକୁ ଆସିବା ପରେ କିଛି ରାଜ୍ୟରେ ବେଟିଂ ବେଆଇନ ଘୋଷଣା କରାଯାଇଛି। କିନ୍ତୁ ଓଡ଼ିଶା‌ରେ ଏହା ବନ୍ଦ ହୋଇନାହିଁ। କିଛି ସଂସ୍ଥା ବେଟିଂ-ଆପ୍‌କୁ ନେଇ ଗଣମାଧ୍ୟମରେ ଖୋଲାଖୋଲି ବିଜ୍ଞାପନ ମଧ୍ୟ କରୁଛନ୍ତି। ବଡ଼ ବଡ଼ କ୍ରିକେଟ୍ ତାରକା, ବଲିଉଡ୍‌ ତାରକା ଏହି ଆପ୍‌ଗୁଡ଼ିକର ବିଜ୍ଞାପନ କରି ଲୋକଙ୍କୁ ଆକୃଷ୍ଟ କରୁଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା, ସରକ‌ାର ଏହାକୁ ନେଇ ନିରବତା ଅବଲମ୍ବନ କରୁଛନ୍ତି। ସରକାର ଏହାକୁ ସଂପୂର୍ଣ୍ଣ ବନ୍ଦ କରି ଦିଅନ୍ତୁ ନଚେତ୍ ଏହା ପାଇଁ ସ୍ବତନ୍ତ୍ର ଆଇନ ଲାଗୁ କରନ୍ତୁ। ବୁକିମାନେ ବାହାର ଦେଶର ହୋଇଥିବାରୁ ଏହି ବେଟିଂ ଜରିଆରେ କୋଟି କୋଟି ଟଙ୍କା ବିଦେଶକୁ ଚାଲି ଯାଉଛି।

କିଭଳି ହେଉଛି ବେଟିଂ

publive-image India Legal

ବେଟିଂରେ ସାମିଲ ହେବା ପାଇଁ ପ୍ରଥମେ ଅନ୍‌ଲାଇନ୍‌ରେ ରେଜିଷ୍ଟ୍ରେସନ୍‌ କରିବାକୁ ପଡ଼ୁଛି। ଏଥିପାଇଁ ବିଭିନ୍ନ ସଂସ୍ଥାର ଅଲଗା ଅଲଗା ରେଜିଷ୍ଟ୍ରେସନ୍‌ ଫି’ (୧ ହଜାରରୁ ୪ ହଜାର ପର୍ଯ୍ୟନ୍ତ) ରହିଛି। ନିଜର ବେଟିଂ ଆକାଉଣ୍ଟ ଖୋଲିବା ପରେ ବୁକି ପଠାଉଥିବା‌ ଲିଙ୍କ୍‌ ତଥା ନିର୍ଦ୍ଦେଶ ଅନୁସା‌ରେ ‌ଟଙ୍କା ଲଗାଇବାକୁ ପଡ଼ିଥାଏ। ତେବେ ଯେଉଁମାନେ ଏ ପ୍ରକ୍ରିୟା ସଂପର୍କରେ ଜାଣିପାରନ୍ତି ନାହିଁ, ସେମାନେ ଦଲାଲଙ୍କୁ କିଛି କମିସନ୍‌ ଦେଇ ସେମାନଙ୍କ ଜରିଆରେ ବେଟିଂ କରିଥା’ନ୍ତି। ଫୋନ୍‌-ପେ’ ବା ଗୁଗୁଲ-ପେ’ ମାଧ୍ୟମରେ ସେମା‌ନେ ଦଲାଲଙ୍କ ପାଖକୁ ଟଙ୍କା ପଠାନ୍ତି। ଦଲାଲମାନେ ସେମାନଙ୍କ ପାଇଁ ଟଙ୍କା ଲଗାଇଥା’ନ୍ତି। ତେବେ ବେଟିଂ ପାଇଁ ଅନ୍‌ଲାଇନରେ ମାଳମାଳ ୱେବ୍‌ସାଇଟ୍‌ ରହିଛି।

ଟାର୍ଗେଟ୍‌‌ରେ ବଡ଼ଘର ପିଲା

ଅଧିକ କମିସନ୍‌ ପାଇବା ଲୋଭରେ ଦଲାଲମାନେ ବଡ଼ ବଡ଼ ଉଦ୍ୟୋଗପତି, ରାଜନେତା ତଥା ଧନୀକ ଶ୍ରେଣୀ ଓ ଉଚ୍ଚମଧ୍ୟବିତ୍ତ ବର୍ଗ ଘରର ଯୁବକଙ୍କୁ ଟାର୍ଗେଟ୍‌ କରୁଛନ୍ତି। ବେଟିଂରୁ ସେମାନେ ଲକ୍ଷ ଲକ୍ଷ ଟଙ୍କା ଜିତିଛନ୍ତି ବୋଲି ସ୍କ୍ରିନ୍‌-ସଟ୍‌ ଦେଖାଇ ଦଲାଲମାନେ ସେମାନଙ୍କୁ ନିଜ ପାଲରେ ପକାଇଥା’ନ୍ତି। ଯେଉଁମାନେ ସେମାନଙ୍କ କଥାରେ ଭଳି ଯାଇ ବେଟିଂ ପାଇ ଆଗ୍ରହ ଦେଖାଇଥା’ନ୍ତି, ସେମାନଙ୍କୁ ଏକାଠି କରି ଦଲାଲ ଏହାର ଟ୍ରାଏଲ୍‌ ଦେଖାଇଥାଏ। ଏହି ସବୁ ଡେମୋ କାରବାର ରାଜଧାନୀର ବିଭିନ୍ନ ଗେଷ୍ଟହାଉସ୍‌, ଲଜ୍‌‌ରେ ଅତି ସନ୍ତର୍ପଣରେ ଚାଲୁଥିବା ଜଣାଯାଇଛି।

ବେଟିଂରେ ଆର୍ଟିଫିସିଆଲ୍‌ ଇଣ୍ଟେଲ‌‌ିଜେନ୍ସର ବ୍ୟବହାର

publive-image The Citizen

ମଣିଷର କାମକୁ ସହଜ କରିବା ପାଇଁ ସଫ୍ଟୱେୟାର୍‌ ଇଂଜିନିୟର୍‌ମାନେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)କୁ ଅଧିକ ଶାଣିତ ଓ ମାର୍ଜିତ କରୁଥିବା ବେଳେ କିଛି ଗୋଷ୍ଠୀ ଏହାର ଦୁରୁପୋଯୋଗ କରିବାରେ ବ୍ୟସ୍ତ। ଆଗରୁ ଫୋନ୍‌ରେ ବେଟିଂ ହେଉଥିବାରୁ ପୁଲିସ୍‌ କଲ୍‌-ରେକର୍ଡ କିମ୍ବା ନମ୍ବର-ଟ୍ରେସ୍‌ କରି ଅପରାଧୀଙ୍କୁ ମାଡ଼ି ବସୁଥିଲା। କିନ୍ତୁ ଏବେ ବେଟିଂରେ ଏଆଇର ବ୍ୟବହାର କରାଯାଉଛି, ଯାହାକୁ ଟ୍ର‌ାକ୍ କରିବାରେ ପୁଲିସ୍‌ ବିଫଳ ହେଉଛି।
ବୁକି କିମ୍ବା ଦଲାଲ ଫେସବୁକ୍‌ ମେସେଞ୍ଜର, ଟେଲିଗ୍ରାମ, ହ୍ବାଟସଆପ କିମ୍ବା ସାଧାରଣ ଟେକ୍‌ଷ୍ଟ ମେସେଜ୍‌ ଜରିଆରେ ଲୋକଙ୍କୁ ବେଟିଂର ଲିଙ୍କ୍‌ ପଠାଉଛନ୍ତି।

ଉକ୍ତ ଲିଙ୍କ୍‌କୁ କ୍ଲିକ୍‌ କଲେ ଆଇପିଏଲ୍‌ ମ୍ୟାଚ୍‌ର ସଂପୂର୍ଣ୍ଣ ତଥ୍ୟ ସହ ବେଟିଂ ନିୟମ ରହୁଛି। ଲିଙ୍କରେ ୱାନ୍-ଟାଇମ୍ ସିନ୍ ମେସେଜରେ ଡିଲ୍ ହୋଇଥାଏ। ଯାହା ସଂପୂର୍ଣ୍ଣ ଭାବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସାହାଯ୍ୟରେ ତିଆରି ହୋଇଥାଏ। ମେସ‌‌େଜ୍ ଥରେ ଦେଖିଲା ପରେ ତାହା ଆପେ ଆପେ ଡିଲିଟ୍‌ ହୋଇଯାଇଥାଏ। ତେଣୁ ବେଟିଂ ଚାଲିଥିବା କମ୍ପ୍ୟୁଟର୍‌ କିମ୍ବା ଫୋନ୍‌ରୁ ପୁଲିସ୍‌କୁ କୌଣସି ସୁରାକ୍‌ ମିଳି ନଥାଏ। ଟସ୍‌ ହାରଜିତ୍‌ଠାରୁ ଆରମ୍ଭ କରି ପ୍ରତ୍ୟେକ ବଲ୍‌ ପିଛା କେତେ ରନ୍‌, ହାର-ଜିତ, ବ୍ୟାଟର୍‌ମାନେ ବ୍ୟକ୍ତିଗତ କେତେ ରନ୍‌ କରିବେ, ଗୋଟିଏ ଓଭର୍‌ରେ ବୋଲର କେତେ ୱିକେଟ୍‌ ନେବେ; ଆଦି ସବୁଧରଣର ପ୍ରଶ୍ନକୁ ନେଇ ବେଟିଂ ହୋଇଥାଏ।

ଜିତିଲେ ମୂଳଧନର ୭୦%, ହାରିଲେ ସବୁ ଗଲା

publive-image The India Site

କେଉଁ ପ୍ରକାର ବେଟିଂ ପାଇଁ କେତେ ଟଙ୍କା, ତାହା ଆଗରୁ ଧାର୍ଯ୍ୟ କରାଯାଇଥାଏ। ଓଭର୍‌ କିମ୍ବା ବଲ୍‌ ପିଛା ୧୦୦ ଟଙ୍କା ଲଗାଇ ବାଜି ଜିତିଲେ ଲୋକଙ୍କୁ ୧୭୦ଟଙ୍କା ମିଳୁଛି। ହାରିଗଲେ, ସବୁ ଟଙ୍କା ଗଲା। ସେହିଭଳି ମ୍ୟାଚ୍‌ ହାର-ଜିତ୍‌ ପାଇଁ ୧୦୦ ଟଙ୍କା ଲଗାଇ ବାଜି ଜିତିଲେ ୧୫୦ ଟଙ୍କ‌ା ମିଳୁଛି। ଅନ୍ୟ ମ୍ୟାଚ୍‌ ଅପେକ୍ଷା ମୁମ୍ବାଇ, ଚେନ୍ନାଇ ବେଙ୍ଗାଲୁରୁ ଭଳି ଟିମ୍‌ର ମ୍ୟାଚ୍‌ ବେଳେ ସର୍ବାଧିକ ଟଙ୍କା ବେଟିଂରେ ଲାଗୁଥିବା ଜଣାଯାଇଛି।