ବନ୍ଧୁକରୁ ଗୁଳି ଫୁଟି ଯୁବକଙ୍କ ପାପୁଲି ଛିଣ୍ଡିଲା

ଦାରିଙ୍ଗବାଡ଼ି: ନିଜ ବନ୍ଧୁକରୁ ଗୁଳି ଫୁଟି ଯୁବକ ଗୁରୁତର। କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଦାରିଙ୍ଗବାଡ଼ି ବଜାରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ସହ ବନ୍ଧୁକ ଜବତ କରିଛି। ସୂଚନାନୁଯାୟୀ, କୋଟଗଡ଼ ଥାନା ଅନ୍ତର୍ଗତ ରଡ଼ା ଗ୍ରାମର ଏଲିଅ ପ୍ରଧାନ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପେତରବାଡ଼ି ଗ୍ରାମକୁ କୌଣସି କାମରେ ଯାଇଥିଲେ।

ସାଙ୍ଗରେ ଗୁଳି ଭର୍ତ୍ତି ହୋଇଥିବା ଏକ ଦେଶୀ ବନ୍ଧୁକ ଧରି ଯାଉଥିଲେ। ହେଲେ ବଜାରଠାରୁ ୫୦ ମିଟର ଦୂରରେ ଯୁବକଙ୍କ ହାତରେ ଗୁଳି ଫୁଟି ଯାଇଥିଲା। ଫଳରେ ଯୁବକଙ୍କ ହାତ ପାପୁଲି ଛିଣ୍ଡି ଯାଇଥିଲା। ଏହାପରେ ଯୁବକ ଜଣଙ୍କ ବନ୍ଧୁକକୁ ଫୋପାଡ଼ି ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଦାରିଙ୍ଗବାଡ଼ି ଥାନା ପୁଲିସ ପହଞ୍ଚି ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ବନ୍ଧୁକ ଜବତ କରି ତଦନ୍ତ ଆରମ୍ଭ କରିଛି। ଯୁବକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର