ହାତୀମୁହଁରୁ ବର୍ତ୍ତିଲେ ଯୁବକ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ତେଲକୋଇ : ହାତୀ ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ତେଲକୋଇ ଥାନା ଖୁଣ୍ଟାପଡ଼ା ଗ୍ରାମର ସ୍ବର୍ଗତ ଜଗନ୍ନାଥ ବେହେରାଙ୍କ ପୁଅ ସୁଜିତ କୁମାର ବେହେରା (୨୦)। ଗତକାଲି ସନ୍ଧ୍ୟା ୭ଟାବେଳେ ସୁଜିତ ବାଇକ୍‌ରେ ଘରକୁ ଫେରୁଥିଲେ। ଗାଁ ମୁଣ୍ଡ ରାସ୍ତାକଡ଼ରେ ବିଦେଶୀ ଦେହୁରୀଙ୍କ ବାଡ଼ିରେ ଏକ ହାତୀ କଦଳୀଗଛ ଭାଙ୍ଗି ଖାଉଥିଲା। ସୁଜିତ ସେହି ରାସ୍ତା ଦେଇ ଯାଉଥିବା ବେଳେ ହାତୀ ସହ ମୁହାଁମୁହିଁ ହୋଇଯାଇଥିଲେ।

ହାତୀଟି ତାଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇବା ସହ ଶୁଣ୍ଢରେ ଠେଲିଦେବାରୁ ସେ ତଳେ ପଡ଼ି ଆହତ ହୋଇଛନ୍ତି। ତାଙ୍କ ବାମହାତ ଭାଙ୍ଗିଯିବା ସହ ଗୋଡ଼ରେ ଆଘାତ ଲାଗିଛି। ସ୍ଥାନୀୟ ଲୋକେ ପାଟିତୁଣ୍ଡ କରିବାରୁ ହାତୀଟି ପଳାଇଥିଲା। ସୁଜିତଙ୍କୁ ପ୍ରଥମେ ତେଲକୋଇ ଡାକ୍ତରଖାନା ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି। ବନ ବିଭାଗ ସୁଜିତଙ୍କୁ ଚିକିତ୍ସା ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର