ରାଜଧାନୀରେ ଗର୍ଜିଲା ବନ୍ଧୁକ : ତଡ଼ିପାର୍‌ ଗ୍ୟାଙ୍ଗ୍‌ର ଗୁଳିମାଡ଼ରେ ଯୁବକ ଗୁରୁତର

ଭୁବନେଶ୍ୱର : ଆଜି ସନ୍ଧ୍ୟାରେ ପୁଣି ରାଜଧାନୀରେ ଗର୍ଜିଛି ଅପରାଧୀଙ୍କ ବନ୍ଧୁକ। ଲୁଟ୍‌, ଡକାୟତି ଓ ଦାଦାବଟି ଅଭିଯୋଗରେ ଜେଲ୍‌ ଯାଇ ଜାମିନ୍‌ରେ ମୁକୁଳିଥିବା ଦୁଇ ଜଣ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଡୁମୁଡୁମା ବଜାରରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଅଭିଯୁକ୍ତ ଦ୍ବୟ ଏକ ତଡ଼ିପାର୍‌ ଗ୍ୟାଙ୍ଗ୍‌ର ସଦସ୍ୟ ବୋଲି କୁହାଯାଉଛି। ଆହତ ଯୁବକ ଶୁଭମ୍‌ ସିଂଙ୍କୁ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି କରାଯାଇଛି। ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡକୁ ବନ୍ଧୁକ ବଟ୍‌ରେ ପିଟିବା ସହ ଗୋଡ଼କୁ ଗୁଳି କରିଥିବା ଜଣାପଡ଼ିଛି। ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରୁ ଏକ ଗୁଳି ଓ ଖୋକା ଜବତ କରିଛି। କିନ୍ତୁ ଦୁର୍ବୃତ୍ତମାନଙ୍କ ଟେର୍‌ ପାଇନାହିଁ ପୁଲିସ।

ଡୁମୁଡୁମା ଛକରେ ଘଟିଥିବା ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ ଶୁଭମ୍‌ ଠିଆ ହୋଇଥିବା ଏକ ଜୁସ୍‌ ଦୋକାନରେ ହଠାତ୍ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା। ଦୁଇ ଜଣ ଯୁବକ ଏକ ବାଇକ୍‌ରେ ସରକନ୍ତରା ଗାଁ ଆଡ଼କୁ ଦ୍ରୁତବେଗରେ ପଳାଇଥିଲେ। ପରେ ପରେ ଶୁଭମ୍‌ଙ୍କ ଚିତ୍କାର ଶୁଣିବାକୁ ମିଳିଥିଲା। ଲୋକେ ତାଙ୍କ ପାଖକୁ ଧାଇଁଯିବାବେଳେ ସେ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ଗଡ଼ୁଥିଲେ। ତୁରନ୍ତ ଉକ୍ତ ଜୁସ୍‌ ଦୋକାନୀ ଓ ସ୍ଥାନୀୟ କିଛି ଯୁବକ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ। ଲୋକମାନଙ୍କ କହିବା କଥା ବାଇକ୍‌ରେ ଥିବା ଦୁଇ ଯୁବକ ହେଲେ ସରକନ୍ତରା ଅଞ୍ଚଳର ବଳିଆ ଓ ଅଗ୍ନି। ଅଗ୍ନି ହେଉଛି ପୂର୍ବରୁ କମିସନରେଟ୍‌ ପୁଲିସ ଦ୍ବାରା ତଡ଼ିପାର୍‌ ହୋଇଥିବା ଆକାଶର ଭାଇ। ଆକାଶ ଓ ଅଗ୍ନି ଗ୍ୟାଙ୍ଗ୍‌ ଡୁମୁଡୁମା ଅଞ୍ଚଳରେ ଲୁଟ୍‌, ଦାଦାବଟି ଓ ଛିନ୍‌ତାଇ ଭଳି ବହୁ ସଂଗିନ୍ ମାମଲାରେ ଜଡ଼ିତ। ସେହିଭଳି ବଳିଆ ମଧ୍ୟ ବିଭିନ୍ନ ଅପରାଧିକ ମାମଲାର ଅଭିଯୁକ୍ତ।

ସୂଚନାନୁସାରେ ପୂର୍ବରୁ ରଘୁନାଥନଗରରେ ଅଗ୍ନି ଓ ବଳିଆକୁ ଆକ୍ରମଣ ହୋଇଥିଲା। ଏହି ଦୁଇ ଜଣ ଖଣ୍ଡା ଧରି ବସ୍ତିରେ ପଶି ଗଣ୍ଡ‌ଗୋଳ କରୁଥିବାବେଳେ ବସ୍ତି‌ବାସିନ୍ଦାମାନେ ଅଗ୍ନିକୁ କାବୁ କରି ନିର୍ଧୂମ୍ ଛେଚିଥିଲେ ଓ ପୁଲିସ ଜିମା ଦେଇଥିଲେ। ସେହିଦିନଠାରୁ ବସ୍ତିର କିଛି ଯୁବକଙ୍କ ଉପରେ ଅଗ୍ନି ଓ ବଳିଆର ରାଗ ଥିଲା। ତେଣୁ ପୂର୍ବ ଅପମାନର ପ୍ରତି‌ଶୋଧ ନେବାକୁ ଯାଇ ଆଜି ଏହି ଗୁଳିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। କିନ୍ତୁ ଡୁମୁଡୁମା ହାଉସିଂ ବୋର୍ଡ ଫେଜ୍-୪ରେ ରହୁଥିବା ବଲାଙ୍ଗୀରର ଶୁଭମ୍‌ ରଘୁନାଥନଗର ଗଣ୍ଡଗୋଳରେ ସମ୍ପୃକ୍ତ ନ ଥିବା କୁହାଯାଉଛି। ତେଣୁ ପୂର୍ବ ରାଗ ନୁହେଁ, ବରଂ ଅନ୍ୟ କିଛି କାରଣରୁ ତାଙ୍କୁ ଟାର୍ଗେଟ୍‌ କରାଯାଇଛି ବୋଲି ଅନୁମାନ କରାଯାଉଛି। ତେବେ ପୁଲିସ ଶୁଭମ୍‌ ନିକଟରୁ କୌଣସି ଅଭିଯୋଗ ପାଇନଥିବାରୁ ଗଣ୍ଡ‌ଗୋଳ ବାବଦରେ ମୁହଁ ଖୋଲୁନାହିଁ। ତେବେ ପୁଲିସ ଶୁଭମ୍‌କୁ ହସ୍ପିଟାଲରେ ଭେଟିଥିବା ଜଣାପଡ଼ିଛି।

ସେହିଭଳି ଆକାଶ, ଅଗ୍ନି ଓ ବଳିଆକୁ ଠାବ କରିବା ପାଇଁ ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ଏ କଥା ମଧ୍ୟ ଜଣାପଡ଼ିଛି ଯେ ଗୁଳିମାଡ଼ କରିବା ପୂର୍ବରୁ ଆଜି ସନ୍ଧ୍ୟାରେ ଏହି ଦୁଇ ଦୁର୍ବୃତ୍ତ ମଧୁସୂଦନ ପାର୍କରେ ବନ୍ଧୁକ ଦେଖାଇ ଆତଙ୍କ ଖେଳାଇଥିଲେ। ପାର୍କରେ ବସିଥିବା ଯୁବକ ଯୁବତୀମାନଙ୍କୁ ଧମକାଇ ବଟି ଆଦାୟ କରୁଥିଲେ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବାବେଳକୁ ସେମାନେ ଫେରାର୍ ହୋଇ ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସୂଚନାନୁଯାୟୀ ନୂଆବର୍ଷ ମସ୍ତି ପାଇଁ ଏବେ ଅଗ୍ନି, ଆକାଶ ଓ ବଳିଆ ଗ୍ୟାଙ୍ଗ୍‌ ବଟି ଆଦାୟରେ ଲାଗି ପଡ଼ିଛନ୍ତି। ତେବେ କମିସନରେଟ୍‌ ପୁଲିସ ‘ଦାଦାବଟିକୁ ନା’ ଅଭିଯାନ ଚଳାଇଥିବାବେଳେ ଏହି କୁଖ୍ୟାତ୍ ଗ୍ୟାଙ୍ଗ୍‌ ଉପରେ କେମିତି ନଜର ରହିଲା ନାହିଁ ବୋଲି ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର