ଖୋର୍ଧାରେ ଗୁଳି ଫୁଟିଲା : ଯୁବକ ଗୁରୁତର ଆହତ

ଖଣ୍ଡଗିରି/ଖୋର୍ଧା : ବୁଧବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ସମୟରେ ଖୋର୍ଧା ଟାଉନ୍‌ ଥାନା ନବିନାବାଗ୍‌ରେ ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ସୂରଜ କୁମାର ପଟ୍ଟନାୟକ(୪୫) ଓରଫ୍‌ ବବୁଲ୍‌ ଗୁରୁତର ଆହତ ହୋଇଛନ୍ତି। ବବୁଲଙ୍କ ବାମଗୋଡ଼ରେ ୩ ଟି ଗୁଳି ବାଜିଛି। ଗୋଟିଏ ଜଙ୍ଘରେ ବାଜି ଆର୍‌ପାର୍‌ ହୋଇ ଯାଇଥିବା ବେଳେ ଅନ୍ୟ ଦୁଇଟି ଆଣ୍ଠୁ ତଳକୁ ମାଡ଼ ହୋଇଛି ଓ ଗୋଡ଼ ଭିତରେ ଗୁଳି ରହିଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ଆମ୍ରି ହସ୍ପିଟାଲରେ ଭର୍ତି କରାଯାଇଛି। ସେଠାରେ ତାଙ୍କର ଅପରେସନ୍‌ କରାଯାଇଛି ଓ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ହସ୍ପିଟାଲ ସୂତ୍ରର ଜଣାପଡ଼ିଛି।

ଏହି ଗୁଳିମାଡ଼ର କାରଣ ଜଣାପଡ଼ି ନଥିଲେ ମଧ୍ୟ ପୂର୍ବ ଶତୃତାରୁ ଦୁଇ ଜଣ ଜଣାଶୁଣା ଅପରାଧୀ ସନ୍ତୁ ପଣ୍ଡା ଓ ବେଲିଆ ଏହି କାଣ୍ଡ ଘଟାଇଥିବା ବବୁଲଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି। ଲିଖିତ ଅଭିଯୋଗ ହୋଇ ନଥିଲେ ମଧ୍ୟ ଖୋର୍ଧା ଟାଉନ୍‌ ଥାନା ପୁଲିସ ମାମଲାର ଛାନ୍‌ଭିନ୍‌ ଆରମ୍ଭ କରିଛିି। ଆଜି ସନ୍ଧ୍ୟାରେ ନବିନାବାଗ୍‌ସ୍ଥିତ ଏକ ଗ୍ୟାରେଜ୍‌ରେ ବବୁଲ୍‌ ନିଜ ଗାଡ଼ି ମରାମତି କରାଇବା ପାଇଁ ଅପେକ୍ଷା କରିଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ଅତର୍କିତଭାବେ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ସେମାନେ ୩ ରାଉଣ୍ଡ ଗୁଳି ଚାଳନା କରିଥିଲେ। ଗୋଟିଏ ଗୁଳି ବାମ ଜଙ୍ଘରେ ବାଜିବା ସହ ଫୁଟି ବାହାରି ଯାଇଥିଲା। ଅନ୍ୟ ଦୁଇଟି ଆଣ୍ଠୁ ତଳକୁ ବାଜିଥିଲା। ଗୁଳିମାଡ଼ କରିବା ପରେ ବବୁଲ ତଳେ ପଡ଼ି ଯାଇଥିବାବେଳେ ଦୁଇ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର୍‌ ହୋଇ ଯାଇଥିଲେ। ଗୁରୁତର ଅବସ୍ଥାରେ ବବୁଲଙ୍କୁ ସମ୍ପର୍କୀୟମାନେ ଭୁବନେଶ୍ୱରସ୍ଥିତ ଆମ୍ରି ହସ୍ପିଟାଲକୁ ନେଇ ଯାଇଥିଲେ। କିଛି ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନାନୁସାରେ ପ୍ରଥମେ କୁଆଡ଼େ ଦୁଇ ଦୁର୍ବୃତ୍ତଙ୍କ ସହ ବବୁଲଙ୍କ ବଚସା ଓ ଧସ୍ତାଧସ୍ତି ହୋଇଥିଲା। ପରେ ସେମାନେ ଗୁଳିମାଡ଼ କରି ପଳାଇଥିଲେ।

ବବୁଲଙ୍କ ସମ୍ପର୍କୀୟମାନେ ଦେଇଥିବା ସୂଚନାନୁସାରେ ପୁରୀ ନିମାପଡ଼ା ଅଞ୍ଚଳର ସନ୍ତୁ ପଣ୍ଡା ଓ ଖୋର୍ଧା ଜବରଦସ୍ତପୁରର ବେଲିଆ ଏହି କାଣ୍ଡ କରିଛନ୍ତି। ସେମାନେ ପୂର୍ବରୁ ବବୁଲଙ୍କୁ ଟାର୍ଗେଟ୍‌ କରିଥିଲେ। ଏମିତିକି ୪ ଦିନ ହେଲା ସେମାନେ ବବୁଲଙ୍କୁ ପିଛା କରିଥିଲେ। ବଟି ପାଇଁ ସେମାନେ ବବୁଲଙ୍କୁ ଟାର୍ଗେଟ୍‌ କରିଥିବା ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି। ସନ୍ତୁ ଓ ବେଲିଆ ଖୋର୍ଧା ଅଞ୍ଚଳର ଜଣାଶୁଣା ଅପରାଧୀ ଓ ସେମାନଙ୍କ ନାମରେ ବହୁ ଅପରାଧିକ ମାମଲା ରହିଛି। ଦାଦାବଟି ଓ ଡକାୟତି ମାମଲାରେ ସେମାନେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଖୋର୍ଧା ଥାନା ପୁଲିସ ସୂଚନାନୁସାରେ କିଏ ଏହି ଗୁଳିମାଡ଼ରେ ସମ୍ପୃକ୍ତ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଯେତିକି ପ୍ରମାଣ ମିଳିଛି ସେଥିରୁ ଗୁଳିମାଡ଼ କରିଥିବା ଅପରାଧୀମାନେ ବବୁଲଙ୍କ ଜଣାଶୁଣା ବୋଲି ଜଣାପଡ଼ିଛି। ତେଣୁ କେଉଁ କାରଣରୁ ଗୁଳିମାଡ଼ ହୋଇଛି, ତାହା ପରେ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର