ଆନନ୍ଦପୁର/ଘସିପୁରା/ଦେଓଗାଁ: କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଣ୍ତୁଆ ଗ୍ରାମରେ ଆଜି ସନ୍ଧ୍ୟାରେ ପୂର୍ବରୁ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା କରାଯାଇଛି। ମୃତକ ହେଲେ ଗ୍ରାମର ସେକ୍ ରେହେମଦ୍ (୨୭)। ଏହି ଘଟଣା ପରେ ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୁକ୍ତ ଫେରାର ଥିବାବେଳେ ତାକୁ ତୁରନ୍ତ ଗିରଫ କରିବାକୁ ଲୋକେ ଶବ ରଖି, ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।
ପଣ୍ତୁଆ ଗ୍ରାମର ସୁଜିତ ଜେନା ଓ ସେକ୍ ରେହେମଦ୍ (୨୭)ଙ୍କ ମଧ୍ୟରେ କିଛିଦିନ ତଳେ ଝଗଡ଼ା ହୋଇଥିଲା। କଥା ଥାନା ପର୍ଯ୍ୟନ୍ତ ଯାଇଥିଲା। ଆଜି ଅପରାହ୍ଣ ସାଢ଼େ ୬ଟା ସମୟରେ ରେହେମଦ୍ ବାଇକ୍ରେ ସାଇଁକୁଳ ବଜାରକୁ ଯାଉଥିବା ବେଳେ ଗୋଲାଛକରେ ଛକି ରହିଥିବା ସୁଜିତ ଏକ ଠେଙ୍ଗାରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ଫଳରେ ରେହେମଦ୍ ବାଇକ୍ରୁ ପଡ଼ି ଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଅଭିଯୁକ୍ତ ସୁଜିତ ଫେରାର ହୋଇଯାଇଥିଲା।
ଅଭିଯୁକ୍ତର ଘର ପୋଡ଼ିଦେଲେ
ଆକ୍ରମଣରେ ଅଭିଯୁକ୍ତ ପରିବାରର ୩ ଆହତ
ପଣ୍ଡୁଆ ଗାଁରେ ଉତ୍ତେଜନା
ଟାୟାର ଜାଳି ରାସ୍ତା ଅବରୋଧ
ଖବର ପାଇ ଆନନ୍ଦପୁର ଏସ୍ଡିପିଓ ପ୍ରଶାନ୍ତ କୁମାର ବେହେରା, ରାମଚନ୍ଦ୍ରପୁର ଥାନା ଅଧିକାରୀ ବିଜୟ ସିଂ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛନ୍ତି। ସେପଟେ ମୃତକଙ୍କ ପରିବାର ଲୋକ ଓ ସାହିବାସୀ ଶବ ରଖି, ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। କିଛି ଲୋକ ଅଭିଯୁକ୍ତ ସୁଜିତ ଘରେ ନିଆଁ ଲଗାଇ ଦେଇଛନ୍ତି। ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରାଯାଇଛି। ଏଥିରେ ସୁଜିତଙ୍କ ବାପା ପୂର୍ଣ୍ଣଚନ୍ଦ୍ର ଜେନା, ମା’ ଝରଣା ଜେନା ଓ ସମ୍ପର୍କୀୟ ଭାଇ ଓମ୍କାର ଜେନା ଆହତ ହୋଇଛନ୍ତି। ସମସ୍ତଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ମୁଖ୍ୟରାସ୍ତାକୁ ଉଭୟ ପାର୍ଶ୍ୱରୁ ବନ୍ଦ କରାଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏ ସମ୍ପର୍କରେ ରାମଚନ୍ଦ୍ରପୁର ଥାନା ଅଧିକାରୀ ବିଜୟ ସିଂହ କହିଛନ୍ତି, ଅଭିଯୁକ୍ତ ସୁଜିତ ନାମରେ ପୂର୍ବରୁ ତିନିଟି ମାମଲା ରହିଛି। ତାକୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି। ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। ଆଇନଶୃଙ୍ଖଳା ରକ୍ଷା ପାଇଁ ଗାଁରେ ପୁଲିସ ମୁତୟନ କରାଯାଇଥିବା ଶ୍ରୀ ସିଂହ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/16/r6EyTXdvhCeJ7c0sWTf9.jpg)