ସମ୍ବଲପୁର : ସେଲ୍‌ଫି ନେବା କାଳ ହେଲା, ଟ୍ରେନ୍‌ ଧକ୍କାରେ ଯୁବକ ମୃତ

ସମ୍ବଲପୁର : ଲେଭଲ କ୍ରସିଂ ପଡ଼ିଥିଲା। କିନ୍ତୁ ମାନିଲେନି। ଲେଭଲ କ୍ରସିଂ ପାର୍‌ କରି ଟ୍ରେନ୍‌ ଲାଇନ୍‌ ଉପରେ ବୁଲେଟ ଛିଡ଼ା କଲେ। ଆଉ ପଛରୁ ଆସୁଥିବା ମାଲଗାଡ଼ି ସହ ସେଲଫି ନେଉଥିଲେ। ଏହି ସମୟରେ ମାଲଗାଡ଼ି ତାଙ୍କୁ ଧକ୍କା ଦେଇ ପ୍ରାୟ ୫୦ ମିଟର ଯାଏଁ ଘୋଷାଡ଼ି ନେଇଥିଲା। ଘଟଣାସ୍ଥଳରେ ହିଁ ଯୁବକଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଥିଲା। ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ପିସି ବ୍ରିଜରୁ ଅଠରହଜାର ରାସ୍ତାରେ ଥିବା ଲେଭଲ କ୍ରସିଂରେ। ଦୁର୍ଘଟଣା ଘଟିବାର ୩ ଘଣ୍ଟା ଯାଏଁ ଶବ ନଉଠିବାରୁ ସ୍ଥାନୀୟ ଲୋକେ ଓ ପରିବାର ଲୋକେ ସେଠାରେ ରାସ୍ତାରୋକ କରିଥିଲେ। ପରେ ବୁର୍ଲା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଏସମ୍ପର୍କରେ ସମ୍ବଲପୁର ଜିଆର୍‌ପି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ଡାକ୍ତରଖାନାକୁ ପଠାଇଛି।

ସ୍ଥାନୀୟ ଲୋକଙ୍କ କହିବାନୁସାରେ ସନ୍ଧ୍ୟା ପ୍ରାୟ ସାଢ଼େ ୪ଟା ସମୟରେ କ୍ଷେତରାଜପୁର ଥାନା ତିୱାରିଗଳିର ପ୍ରବଦ୍ୟୁତ ତିୱାନା(୨୪) ତାଙ୍କ ବୁଲେଟ( ଓଡି ୧୫ ଏଚ୍‌ ୮୩୬୩) ନେଇ ଅଠରହଜାର ଅଞ୍ଚଳକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ଲେଭଲ କ୍ରସିଂ ପଡ଼ିଥିଲା। ପ୍ରବଦ୍ୟୁତ ଲେଭଲ କ୍ରସିଂ ଭିତରକୁ ବୁଲେଟ ଗଳେଇ ନେଇଥିଲେ। ଏହାପରେ ସେ ରେଳ ଧାରଣା ଉପରେ ବୁଲେଟ ଛିଡ଼ା କରିବା ପରେ ‌ସେଲ୍‌ଫି ନେଉଥିଲେ। ମାତ୍ର ପଛରୁ ଆସୁଥିବା ‌ମାଲଗାଡ଼ି ତାଙ୍କୁ ଧକ୍କା ଦେଇ ଘୋଷାଡ଼ି ନେଇଥିଲା। ସେପଟେ, ସେଲ୍‌ଫି ନେବା ଘଟଣାର ତଦନ୍ତ ଚାଲିଛି ବୋଲି ଜିଆର୍‌ପି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର