କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେଙ୍ଗାଳି ବାମ ପାର୍ଶ୍ୱ କେନାଲର କଙ୍କଣା ଗାଁ ନିକଟ ରାସ୍ତାରେ ରବିବାର ସ୍ପଷ୍ଟ ଦିବାଲୋକରେ ଗୁଳିମାଡ଼ ହୋଇଛି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ‌ଘଟିଥିବା ବେଳେ ଏହାର କାରଣ ଅସ୍ପଷ୍ଟ ରହିଛି। ମୃତକ ହେଲେ କାମାକ୍ଷାନଗର ଥାନା କାନପୁରା ଗାଁର ମୀନକେତନ ଦଳେଇ (୪୫)।

Advertisment

ମୀନକେତନ ଯାଜପୁର ଜିଲ୍ଲା ଟାଟା ମାଇନ୍ସରେ କାମ କରୁଥିଲେ। ରବିବାର ଦିନ ସେ ସ୍କୁଟର୍‌ରେ ଘରକୁ ଫେରୁଥିବା ବେଳେ ତାଙ୍କ ଉପରକୁ କେହି ଦୁର୍ବୃତ୍ତ ଗୁଳିମାଡ଼ କରିଥିଲା। ଘଟଣାସ୍ଥଳରେ ସେ ଟଳିପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ତାଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ମୀନକେତନଙ୍କ ପତ୍ନୀ ଝରଣା ଦଳେଇଙ୍କ ଅଭିଯୋଗ ଆଧାରରେ କାମାକ୍ଷାନଗର ଥାନା ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି। ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ହୋଇଥିବା ବେଳେ ଏହି ଘଟଣା କାମାକ୍ଷାନଗର ପୁଲିସ ପାଇଁ ଚ୍ୟାଲେଞ୍ଜ ସୃ‌ଷ୍ଟି କରିଛି।

publive-image

ଘଟଣାସ୍ଥଳରେ କାମାକ୍ଷାନଗର ଏସ୍‌ଡିପିଓ ରଂଜନ କୁମାର ଦେ, ଥାନା ଅଧିକାରୀ ଶରତ ଚନ୍ଦ୍ର ମହାଳିକଙ୍କ ସମେତ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅନୁସନ୍ଧାନ ପରେ ଯାହା କିଛି ଜଣାପଡ଼ିବ ବୋଲି ପୁଲିସ କହିଛି।

ସୂଚନାଯୋଗ୍ୟ, କିଛିଦିନ ତଳେ କାମାକ୍ଷାନଗରରେ ଆଇନଜୀବୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଓକିଲ ସଂଘ ପକ୍ଷରୁ କାମାକ୍ଷାନଗର ବନ୍ଦ ପାଳନ କରାଯାଇଥିଲା। ଏହି ଘଟଣା ପରେ ପୁଣି ଯୁବକଙ୍କୁ ଗୁଳିମାଡ଼ ଘଟଣାରେ ପୁଲିସର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।