ବୁର୍ଲା : ଶିକ୍ଷାନଗରୀରେ ବୁର୍ଲାରେ ପୁଲିସ ଖୋଲା ଚାଲେଞ୍ଜ ଦେଇଛି ଅସାମାଜିକ ତତ୍ତ୍ବ। ବୁଧବାର ସକାଳ ୭ଟାରେ ପୁଲିସ ଫାୟାରିଂ ରେଞ୍ଜ୍ରେ ଜଣେ ଯୁବକଙ୍କୁ ଉଲଗ୍ନ କରିବା ପରେ ହାତଗୋଡ଼ ବାନ୍ଧି ନିର୍ମମ ଭାବେ ପିଟିଥିଲେ। ପରେ ସଂକଟାପନ୍ନ ଅବସ୍ଥାରେ ଏକ ବାଇକ୍ରେ ତାଙ୍କୁ ଆଣି ଥାନା ସମ୍ମୁଖ ପଟ୍ରୋଲପମ୍ପ୍ ଛକରେ ଉଲଗ୍ନ ଅବସ୍ଥାରେ ଫିଙ୍ଗି ଦେଇ ଚାଲିଯାଇଥିଲେ। ବିଚ୍ରାସ୍ତାରେ କିଛିସମୟ ପର୍ଯ୍ୟନ୍ତ ଯନ୍ତ୍ରଣାରେ ଛଟପଟ ହେବାପରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଛି। ପୁଲିସ ମୁଖ୍ୟ ଅଭିଯୁକ୍ତ ଟୁଲୁ ବନଛୋରଙ୍କ ସହିତ ତା’ର ଅନ୍ୟ ୨ ସହଯୋଗୀ ଥାନାରେ ଅଟକ ରଖି ପଚରାଉରା କରୁଥିବା ଜଣାପଡ଼ିଛି।
ମୃତ ଯୁବକ ହେଲେ, ବସନ୍ତ ବିହାର ନିବାସୀ ରାମଚନ୍ଦ୍ର ମେହେର(୨୦)। ପୁଲିସ୍ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ରାମଚନ୍ଦ୍ର ଏବଂ ଆକ୍ରମଣକାରୀ ଯୁବକଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ରହିଥିଲା। ଏହାକୁ କେନ୍ଦ୍ରକରି ସେମାନେ ରାମଚନ୍ଦ୍ରଙ୍କୁ ଆକ୍ରମଣ କରିବାପାଇଁ ପୂର୍ବରୁ ଯୋଜନା କରିଥିଲେ। ଗତକାଲି ମଙ୍ଗଳବାର ଦିନ ବୁର୍ଲା ସହରର ମହତାବ ନଗରରେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଏକ ଅର୍କେଷ୍ଟା କାର୍ଯ୍ୟକ୍ରମ ଚାଲିଥିଲା। ଅର୍କେଷ୍ଟ୍ରା ଦେଖିବା ପାଇଁ ରାମଚନ୍ଦ୍ର ଆସିଥିଲେ। କାର୍ଯ୍ୟକ୍ରମ ଶେଷ ହେବାବେଳକୁ ରାତି ବହୁତ ବେଶି ହୋଇଯାଇଯିବାରୁ ରାମଚନ୍ଦ୍ର ନିଜ ଘରକୁ ଫେରିବାକୁ ସୁରକ୍ଷିତ ମଣିନଥିଲେ। ସେହି ପଡ଼ାରେ ରହୁଥିବା ତାଙ୍କର ଜଣେ ସାଙ୍ଗଙ୍କ ଘରେ ରହିଯାଇଥିଲେ। ରାମଚନ୍ଦ୍ର ତାଙ୍କ ସାଙ୍ଗ ଘରେ ରହିବା ଜଣିବା ପରେ ତାଙ୍କୁ ପୁର୍ବରୁ ଟାର୍ଗେଟ୍ କରିଥିବା ଟୁଲୁ ବନଛୋର ଓ ତାର ଅନ୍ୟ ସହଯୋଗୀମାନେ ସେହି ଘରେ ପହଂଚି ରାମଚନ୍ଦ୍ରଙ୍କୁ ଘରୁ ବାହାର କରିବା ପାଇଁ ଧମକ ଦେଇଥିଲେ। ଜୀବନ ବଞ୍ଚାଇବା ପାଇଁ ରାମଚନ୍ଦ୍ର ଭୟରେ ଦୌଡ଼ି ପଳେଇ ଯିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ, ଦୁର୍ବୃତ୍ତମାନେ ତାଙ୍କୁ କାବୁ କରି ସେଠାରୁ ନିକଟସ୍ଥ ପୁଲିସ ଫାୟରିଂ ରେଞ୍ଜ ପଡ଼ିଆକୁ ଉଠାଇ ନେଇଥିଲେ। ସେଠାରେ ଉଲଗ୍ନ କରିବା ପରେ ଏକ ଗଛରେ ବାନ୍ଧି ତାଙ୍କୁ କାଠଫାଳିଆ, ବାଡ଼ି ଏବଂ ଧାରୁଆ ଅସ୍ତ୍ରରେ ନିସ୍ତୁକ ପିଟିଥିଲେ। ଫଳରେ ତାଙ୍କ ଶରୀରରୁ ପ୍ରଚୁର ରକ୍ତସ୍ରାବ ହେବା ସହିତ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଏହାପରେ ସେମାନେ ରାମଚନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଥିବା ଭାବି ତାଙ୍କୁ ସେହି ଉଲଗ୍ନ ଅବସ୍ଥାରେ ଏକ ବାଇକ୍ରେ ସହର ମଧ୍ୟଦେଇ ବୁର୍ଲା ଥାନାଠାରୁ କିଛି ମିଟର ବ୍ୟବଧାନରେ ଥିବା ପେଟ୍ରୋଲ ପମ୍ପ ଛକରେ ଫିଙ୍ଗିଦେଇ ଚାଲି ଯାଇଥିଲେ। ରାମଚନ୍ଦ୍ର ସେଠାରେ କିଛି ସମୟ ଛଟପଟ ହେଉଥିଲେ।
ସ୍ଥାନୀୟ ଲୋକଙ୍କଠାରୁ ଖବର ରାମଚନ୍ଦ୍ରଙ୍କ ପରିବାର ଲୋକେ ତୁରନ୍ତ ସେଠାରେ ପହଂଚି ରାମଚନ୍ଦ୍ରକୁ ଭିମ୍ସାର୍କୁ ନେଇଥିଲେ। ହେଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଥାନା ସାମ୍ନାରେ ଥିବା ଏକ ବ୍ୟସ୍ତବହୁଳ ଛକରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଚର୍ଚ୍ଚାର ବିଷୟ ପାଲଟିଛି।