ସମ୍ବଲପୁର: କ୍ଷେତରାଜପୁର ଥାନା ଦୁର୍ଗପାଲି ପେଟ୍ରୋଲ୍ ପମ୍ପ ନିକଟରେ ଟ୍ରାକ୍ଟର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଅନ୍ତର୍ଯ୍ୟାମୀ କନ୍ଧ ଓରଫ୍ ଅଲେଖ(୩୫)। ଶନିବାର ଅପରାହ୍ଣ ୨ଟା ସମୟରେ ସେ ତାଙ୍କର ଜଣେ ସାଙ୍ଗ ସହ ବାଇକ୍ରେ ବାଲିବନ୍ଧା ପାର୍ଶ୍ବରୁ ଦୁର୍ଗାପାଲି ଆଡ଼କୁ ଯାଉଥିଲେ। ଦୁର୍ଗାପାଲି ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ଅଲେଖ ବାଇକ୍ରୁ ପଡ଼ି ଯାଇଥିଲେ। ସେହି ସମୟରେ ଏକ ଟ୍ରାକ୍ଟର୍(ଓଡି ୧୫ସି ୫୬୦୨) ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ସୂଚନା ପାଇ କ୍ଷେତରାଜପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଅଲେଖଙ୍କୁ ଉଦ୍ଧାର କରିବା ସହ ବୁର୍ଲା ବଡ଼ ଡାକ୍ତରଖାନାକୁ ପଠାଇଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଚାଳକ ଜଣକ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ବେଳେ ତାଙ୍କୁ ବାଇକ୍ରେ ନେଇ ଯାଉଥିବା ଯୁବକ ଜଣକ ମଧ୍ୟ ସେଠାରୁ ଚାଲି ଯାଇଥିଲା।
ତାତିଲେ ଲୋକେ, ୧ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ
ଦୁର୍ଘଟଣା ଘଟିବା ପରେ ଉତ୍ୟକ୍ତ ଲୋକେ ରାସ୍ତା ରୋକ କରିଥିଲେ। ଟ୍ରାକ୍ଟର ଜାଳିବାକୁ ଟାୟାର୍ରେ ନିଆଁ ଲଗାଇବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସଦର ଏସ୍ଡିପିଓ ପ୍ରଦୀପ ସାହୁଙ୍କ ସହ କ୍ଷେତରାଜପୁର ଥାନାଧିକାରୀ ମମତା ନାଏକ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଉତ୍ତେଜନା ପରିସ୍ଥିତିକୁ ଦୃଷ୍ଟିରେ ରଖି ୧ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟମ ମଧ୍ୟ କରାଯାଇଥିଲା। ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରକୁ ଜବତ କରିଥିଲେ।
ରାସ୍ତା ମରାମତି ଦାବି
ସହରର ଗୁରୁତ୍ବପୂର୍ଣ୍ଣ ଓ ବ୍ୟସ୍ତବହୁଳ ରାସ୍ତା ମଧ୍ୟରେ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରିଙ୍ଗ୍ରୋଡ୍ ଆସୁଛି। କିନ୍ତୁ କ୍ଷେତରାଜପୁର ଥାନା ପରେ ପରେ ଏହି ସଂଯୋଗୀକରଣ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଖାଲଖମାରେ ଭରି ରହିଥିବା ଏହି ରାସ୍ତାରେ ପ୍ରାୟ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ରାସ୍ତାର ମରାମତି ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନଥିବା ଲୋକେ ଅଭିଯୋଗ କରିଛନ୍ତି। ତୁରନ୍ତ ରାସ୍ତାକୁ ଚଉଡ଼ା କରିବା ସହ ମରାମତି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଅନ୍ୟପଟେ ପୁଲିସ ଅଭିଯୁକ୍ତ ଟ୍ରାକ୍ଟର ଗାଡ଼ି ଚାଳକକୁ ଅଟକ ରଖି ପଚରାଉଚରା କରୁଛି।