ଧରାକୋଟ: ଗଞ୍ଜାମ ଜିଲ୍ଲାରେ ଜୁଆ ଖେଳକୁ ନେଇ ମୁଣ୍ଡ ଗଡ଼ିଛି। ଧରାକୋଟ ଥାନା ରେଡ୍ଡୀଦାମୋଦରପଲ୍ଲୀ ଗ୍ରାମରେ ଜୁଆଆଡ଼ାର କମିସନ୍ ଟଙ୍କା ଭାଗବଣ୍ଟା ବିବାଦ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଡି.ଶଙ୍କର ରେଡ୍ଡୀ (୩୨) ଓରଫ୍ କାଳିଆଙ୍କୁ କିଛି ଯୁବକ ହତ୍ୟା କରିଛନ୍ତି। ଗତକାଲି ରାତି ୧୧ଟାରେ ଗ୍ରାମର ଜଗନ୍ନାଥମନ୍ଦିର ନିକଟରେ ବଡ଼ଧରଣର ଜୁଆଆଡ଼ା ଚାଲିଥିଲା। କାଳିଆ ବି ସେଠାରେ ଉପସ୍ଥିତ ଥିଲେ। ତେବେ ଟଙ୍କା ଭାଗବଣ୍ଟାକୁ ନେଇ କିଛି ଯୁବକଙ୍କ ସହ କାଳିଆଙ୍କ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ତାଙ୍କ ପେଟରେ ଛୁରାମାଡ଼ ହୋଇଥିଲା। ଗୁରୁତର ଅବସ୍ଥାରେ କାଳିଆଙ୍କୁ ଆସିକା ଉପଖଣ୍ଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଉଥିଲା। ତେବେ ରାସ୍ତାରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ହିଞ୍ଜିଳିକାଟୁ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।
ମୃତକଙ୍କ ବଡ଼ଭାଇ ଡି.ସଞ୍ଜୀବ ରେଡ୍ଡୀଙ୍କ ଏତଲା କ୍ରମେ ଧରାକୋଟ ଥାନାରେ କେସ୍ ନମ୍ବର ୩୮୩/୨୦୨୫ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ତିନିଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ବେଳେ ଅନ୍ୟମାନଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। ପୂର୍ବ ଶତ୍ରୁତା ଓ ଧାର ଟଙ୍କା ମାଗିବାକୁ ନେଇ ଏହି ଘଟଣା ଘଟିଥିବା ଏସ୍ଆଇ ବାଲ୍ମୀକି ପ୍ରଧାନ କହିଛନ୍ତି। ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଛି। ଅନ୍ୟପକ୍ଷରେ ଗାଁରେ ଜୁଆଆଡ଼ା ଚାଲିଥିବା ନେଇ ଜଣେ ସମାଜସେବୀ ଗତମାସ ୨୦ ତାରିଖରେ ଧରାକୋଟ ଥାନା, ଆସିକା ଥାନା, ଆସିକା ଏସ୍ଡିପିଓ ଓ ଗଞ୍ଜାମ ଏସ୍ପିଙ୍କୁ ଲିଖିତ ଭାବେ ଅବଗତ କରିଥିଲେ। କିନ୍ତୁ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି। କିଛି ପେସାଦାର ଅପରାଧୀ ଏହି ଜୁଆଆଡ଼ା ଚଳାଇଥିବା କୁହାଯାଉଥିବା ବେଳେ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।