ଏକତରଫା ପ୍ରେମରୁ ମା’କୁ ହତ୍ୟା

ପଣ୍ଡାପଡ଼ା : ଝିଅକୁ ଏକତରଫା ପ୍ରେମ କରି ନିରାଶ ହେବା ପରେ ପ୍ରତିଶୋଧ ପରାୟଣ ହୋଇ ମା’କୁ ତଣ୍ଟିଚିପି ହତ୍ୟା କରିଛି ଜଣେ ଯୁବକ। ଏଭଳି ଅଭାବନୀୟ ଏବଂ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ଆଙ୍କଲପଡ଼ା ଗ୍ରାମରେ। ମୃତ ମହିଳା ଜଣଙ୍କ ହେଲେ ସ୍ବର୍ଗତ ସନାତନ ନାଏକଙ୍କ ପତ୍ନୀ ହୀରାମଣି (୫୫)। ଏହି ଘଟଣାରେ ପଣ୍ଡାପଡ଼ା ପୁଲିସ ସେହି ଗ୍ରାମର ପଞ୍ଚାନନ ନାଏକ (୨୭)କୁ ଗିରଫ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ହୀରାମଣିଙ୍କ ଝିଅକୁ ପଞ୍ଚାନନ ଏକତରଫା ପ୍ରେମ କରିବା ସହ ବାହା ହେବାକୁ ଚାହୁଁଥିଲା। ଏଥିରେ ଝିଅ ସମେତ ପରିବାର ଲୋକେ ରାଜି ନଥିଲେ। ଏହାକୁ କେନ୍ଦ୍ରକରି ପଞ୍ଚାନନ ଓ ହୀରାମଣିଙ୍କ ପରିବାର ମଧ୍ୟରେ ଅନେକ ଥର ପାଟିତୁଣ୍ଡ ହୋଇଥିଲା। ସପ୍ତାହେ ତଳେ ହୀରାମଣି ଝିଅକୁ ଅନ୍ୟତ୍ର ବାହା ଦେଇଥିଲେ। ଏଥିରେ ପ୍ରତିଶୋଧ ପରାୟଣ ହୋଇ ଉଠିଥିଲା ପଞ୍ଚାନନ। ୧୯ ତାରିଖ ସନ୍ଧ୍ୟାରେ ଏକ ଛୁରି ଧରି ହୀରାମଣିଙ୍କୁ ହତ୍ୟା କରିବା ପାଇଁ ପଞ୍ଚାନନ ତାଙ୍କ ଘରେ ପହଞ୍ଚିଥିଲା। ପୁଅ ନୀଳାଦ୍ରି ପାଟି କରିବାରୁ ସେ ଦୌଡ଼ି ପଳାଇଥିଲା। ମଙ୍ଗଳବାରଠାରୁ ନୀଳାଦ୍ରି କୀର୍ତ୍ତନ କରିବା ପାଇଁ ହାତୀନୋଟା ପଳାଇଥିଲେ। ଘରେ ଏକୁଟିଆ ମା’ ହୀରାମଣି ‌ରହୁଥିଲେ। ଏହାର ସୁଯୋଗ ‌ନେଇ ପଞ୍ଚାନନ ଘରେ ପଶି ହୀରାମଣିଙ୍କୁ ତଣ୍ଟିଚିପି ହତ୍ୟା କରିଥିଲା। ଗତକାଲି ରାତିରେ ନୀଳାଦ୍ରି କୀର୍ତ୍ତନ ସାରି ଫେରିଲା ବେଳକୁ ଘରେ ମା’ଙ୍କ ମୃତଦେହ ଘରେ ପଡ଼ିଥିବା ଦେଖିଥିଲା। ଏନେଇ ସେ ପଣ୍ଡାପଡ଼ା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ୪୫/୨୧ରେ ହତ୍ୟା ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତ ପଞ୍ଚାନନକୁ ଗିରଫ କରିଛି। ସେ ହୀରାମଣିଙ୍କୁ ହତ୍ୟା କରିଥିବା ପୁଲିସ ଆଗରେ ସ୍ବୀକାର କରିଛି ବୋଲି ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର