ଯୁବ ଆଇନଜୀବୀଙ୍କୁ ବୃତ୍ତି ଯୋଜନାରେ ସାମିଲ ପ୍ରସଙ୍ଗ : ଆଇନ ବିଭାଗର ସତ୍ୟପାଠ ଦାଖଲ

କଟକ : ରାଜ୍ୟରେ କାର୍ଯ୍ୟରତ ଥିବା ଯୁବ ଆଇନଜୀବୀଙ୍କୁ ବୃତ୍ତି ଯୋଜନାରେ ସାମିଲ କରିବା ନେଇ ହାଇକୋର୍ଟରେ ଦାୟର ମାମଲାରେ ରାଜ୍ୟ ଆଇନ ବିଭାଗ ପକ୍ଷରୁ ଜବାବ ଦାଖଲ କରାଯାଇଛି। ଆଇନ ବିଭାଗ ଡେପୁଟି ସେକ୍ରେଟାରି ଗଙ୍ଗାଧର ସେଠୀଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ ୨୦୧୩, ଏପ୍ରିଲ ୨୬ରେ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ସବିଶେଷ ଜବାବ ଏହି ମାମଲାରେ ଦାଖଲ କରାଯାଇଛି। ୨୦୧୩, ଏପ୍ରିଲ ୨୬ରେ ଦାଖଲ ଜବାବକୁ ଆଇନ ବିଭାଗର ଜାବାବ ଭାବେ ଗ୍ରହଣ କରାଯାଉ ବୋଲି ସତ୍ୟପାଠରେ ଉ‌ଲ୍ଲେଖ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ୍ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ରଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ଆବେଦନର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୫ରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାରେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଆଇନ ସଚିବ, ନଗର ଉନ୍ନୟନ ବିଭାଗ ସଚିବ, ଖାଦ୍ୟ ଓ ଯୋଗାଣ ବିଭାଗ ସଚିବ, ଅର୍ଥ ସଚିବ, କେନ୍ଦ୍ର ସରକାର ଓ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦକୁ ପକ୍ଷଭୁକ୍ତ କରାଯାଇଛି। ଏହି ମାମଲାରେ ରାଜ୍ୟ ଆଇନଜୀବୀ ପରିଷଦ ଓ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ଜବାବ ଦାଖଲ କରି ନାହାଁନ୍ତି।

ସମ୍ବନ୍ଧିତ ଖବର