ଘଟଗାଁ: କେନ୍ଦୁଝରଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଗୁଣ୍ଡିଚାଘାଗି ଜଳପ୍ରପାତରେ ଭାସିଯାଇ ଆଜି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ବାଲେଶ୍ବର ଜିଲ୍ଲା ସୋର ଥାନା ବର୍ତନା ଗ୍ରାମର ଦେବେଶ କୁମାର ବେହେରା (୨୫)। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲେ ହେଁ ତାଙ୍କର ସନ୍ଧାନ ପାଇନାହାନ୍ତି। ଦେବେଶ ଆଜି ତାଙ୍କ ଭଉଣୀ, ଭିଣୋଇଙ୍କ ସହ ମା’ ତାରିଣୀଙ୍କ ଦର୍ଶନ ପାଇଁ ଘଟଗାଁ ଆସିଥିଲେ। ଦର୍ଶନ ପରେ ସେମାନେ ଗୁଣ୍ଡିଚାଘାଗି ଜଳପ୍ରପାତକୁ ବୁଲିବାକୁ ଯାଇଥିଲେ। ସେଠାରେ ଉପରମୁଣ୍ଡରେ ପଥର ଖୋଲ ମଝିରେ ବହିଯାଇଥିବା ଜଳସ୍ରୋତ ଭିତର ଦେଇ ଅନ୍ୟପଟକୁ ଯିବାକୁ ସେ ଉଦ୍ୟମ କରିଥିଲେ।
ଅନ୍ୟପଟ ଦୁଇଜଣ ଯୁବକ ଏକ ଗଛଡାଳରେ ତାଙ୍କୁ ଟାଣୁଥିଲେ। କିନ୍ତୁ ପାଣିର ପ୍ରଖର ସ୍ରୋତରେ ପଡ଼ି ଦେବେଶ ଭାସିଯାଇଥିଲେ। ସମସ୍ତଙ୍କ ସାମନାରେ କିଛି ସମୟ ଭିତରେ ସେ ପାଣି ଭିତରେ ଅଦୃଶ୍ୟ ହୋଇଯାଇଥିଲେ। ଭଉଣୀ ବର୍ଷା ଓ ସାଥିରେ ଥିବା ଲୋକମାନେ ତୁରନ୍ତ ଅନ୍ୟମାନଙ୍କୁ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ ବାହନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିନାହିଁ। ସୁଅ ପ୍ରଖର ଥିବାରୁ ସନ୍ଧ୍ୟା ପରେ ଉଦ୍ଧାର କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି। ଆସନ୍ତାକାଲି ସକାଳେ ପୁଣି ଖୋଜାଖୋଜି କରାଯିବ। ସେଠାରେ ଦୁଇଜଣ ଅଗ୍ନିଶମ କର୍ମଚାରୀ ଜଗି ରହି ନଜର ରଖିଛନ୍ତି। ଖବର ପାଇ ପରିବାର ଲୋକେ ଘଟଗାଁରେ ପହଞ୍ଚିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/09/09/dgdggdcvcv-2025-09-09-01-43-23.jpg)