ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ମଣ୍ଡପଡ଼ା ଗାଁର ଜଣେ ଯୁବକଙ୍କୁ କୁମ୍ଭୀର ଟାଣି ନେଇଛି। ଆଜି ସକାଳେ ବ୍ରାହ୍ମଣୀ ନଦୀକୁ ଗୋଧୋଇବାକୁ ଯିବା ବେଳେ ସେ କୁମ୍ଭୀର ଆକ୍ରମଣର ଶିକାର ହୋଇଛନ୍ତି। ବହୁ ଖୋଜାଖୋଜି ସତ୍ତ୍ବେ ରାତି ୯ଟା ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳି ପାରିନାହିଁ। ମିଳିଥିବା ସୂଚନା ଅନୁସାରେ, ମଣ୍ଡପଡ଼ାର ସଞ୍ଜୟ କୁମାର ପ୍ରଧାନ ଆଜି ସକାଳ ପ୍ରାୟ ୮ଟା ବେଳେ ଘର ନିକଟରେ ପ୍ରବାହିତ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ବେଳେ ହଠାତ ଏକ ବିରାଟକାୟ କୁମ୍ଭୀର ତାଙ୍କୁ ଝାମ୍ପି ନେଇଥିଲା। ଚିତ୍କାର ଶୁଣି ଆଖପାଖ ଅଞ୍ଚଳରେ ଥିବା ଲୋକେ ନଈ କୂଳକୁ ଧାଇଁ ଆସିଥିଲେ। ପରେ ଗାଁ ଲୋକଙ୍କଠାରୁ ସୂଚନା ପାଇ ପଟ୍ଟାମୁଣ୍ଡାଇ ଦମକଳ ବାହିନୀ କର୍ମଚାରୀମାନେ ପହଞ୍ଚି ଡଙ୍ଗା ସାହାଯ୍ୟରେ ସଞ୍ଜୟଙ୍କୁ ଖୋଜାଖୋଜି କରିଥିଲେ। ରାତି ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିପାରି ନାହିଁ। ସଞ୍ଜୟ ଦିଲ୍ଲୀରେ ରହି ପାଣି ପାଇପ୍ ଠିକାଦାରୀ କାମ କରନ୍ତି। କିଛି ଦିନ ହେବ ଗାଁକୁ ଆସିଥିଲେ। ଉଲ୍ଲେଖ ଥାଉ କି, କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ନଦୀରେ କିଛିଦିନ ହେଲା କୁମ୍ଭୀର ଆତଙ୍କ ଦେଖା ଦେଇଛି। ଏବେ କୁମ୍ଭୀରଙ୍କ ପ୍ରଜନନ ଋତୁ ଚାଲିଥିବାରୁ ଭିତରକନିକା ଜଙ୍ଗଲ ଓ ଏହାର ଆଖପାଖ ସ୍ଥାନରେ କୁମ୍ଭୀର ଅଣ୍ଡା ଦେବା ଆରମ୍ଭ କରିଛନ୍ତି। ବହୁସଂଖ୍ୟକ କୁମ୍ଭୀର ଅଣ୍ଡା ଦେବାକୁ ସ୍ଥାନ ଖୋଜୁଛନ୍ତି। ସେହି କାରଣରୁ କିଛିଦିନ ହେଲା ବ୍ରାହ୍ମଣୀ ନଦୀ ସଂଲଗ୍ନ ଗ୍ରାମଗୁଡ଼ିକରେ ଆତଙ୍କ ସୃଷ୍ଟି ହୋଇଛି। କୁମ୍ଭୀରମାନେ ନଈପଠାରେ ଚରୁଥିବା ଗାଈ, ମେଣ୍ଢା, ଛେଳିଙ୍କୁ ନଦୀ ଭିତରକୁ ଟାଣି ନେଉଥିବା ସୂଚନା ମିଳିଛି।
ବ୍ରାହ୍ମଣୀରେ ଯୁବକଙ୍କୁ ଟାଣି ନେଲା କୁମ୍ଭୀର
/sambad/media/post_attachments/wp-content/uploads/2019/06/patta-crocodile.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)