ଶୀତଳପଡ଼ା ବସ୍ତିର ୫ ନିଖୋଜ ଘଟଣା : ଡ୍ରେନ୍ରୁ ମିଳିଲା ଗୋଟିଏ ଶବ
ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ୍, ସିଆଇଏସ୍ଏଫ, ଅଗ୍ନିଶମ, ପୁଲିସ ଓ ଆର୍ଏସ୍ପି ଯାନ୍ତ୍ରିକ ବିଭାଗ
ରାଉରକେଲା : ରାଉରକେଲା ଶୀତଳପଡ଼ା ବସ୍ତିର ନିଖୋଜ ୫ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଆଜି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (ଆର୍ଏସ୍ପି)ର ନଂ-୯ ବର୍ଜ୍ୟ ନାଳରୁ ଉଦ୍ଧାର କରାଯାଇଛି। ଓଡ଼ିଶା ବିପର୍ଯ୍ୟୟ ମୁକାବିଲା ବାହିନୀ (ଓଡ୍ରାଫ), ଅଗ୍ନିଶମ, ଶିଳ୍ପ ନିରାପତ୍ତା ବାହିନୀ (ସିଆଇଏସ୍ଏଫ), ରାଉରକେଲା ପୁଲିସ ଓ ଆର୍ଏସ୍ପି ଯାନ୍ତ୍ରିକ ବିଭାଗକୁ ନେଇ ଗଠିତ ଉଦ୍ଧାକାରୀ ଦଳ ଆଜି ଦିନ ତମାମ ଉଦ୍ୟମ କରିବା ପରେ ରାତି ୭ଟା ବେଳେ ଗୋଟିଏ ଗଳିତ ଶବ ବିଷାକ୍ତ ତରଳବାହୀ ନାଳରୁ ପାଇଥିଲେ। ତେବେ ଶବ ଚିହ୍ନଟ ହୋଇନଥିବାରୁ ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ମୃତଦେହକୁ ରାଉରକେଲା ସରକାରୀ ହସ୍ପିଟାଲ୍ (ଆର୍ଜିଏଚ୍) ମର୍ଗ ହାଉସ୍ରେ ରଖାଯାଇଛି। ଆସନ୍ତାକାଲି ନିଖୋଜ ଯୁବକମାନଙ୍କ ପରିବାର ଲୋକଙ୍କୁ ଡକାଇ ପୁଲିସ ଶବ ଚିହ୍ନଟ କରିବ। ପ୍ରଥମ ଦିନରେ ଟିମ୍ର ୩ଟି ଉଦ୍ୟମ ଫେଲ୍ ମାରିବା ପରେ ଚତୁର୍ଥ ପ୍ରୟାସ ବେଳେ ଉଦ୍ଧାରକାରୀ ଦଳ ସଫଳ ହୋଇଥିଲେ। ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ଆସନ୍ତାକାଲି ପୁଣି ତଲାସୀ ଅଭିଯାନ ଚାଲିବ ବୋଲି ରାଉରକେଲା ଜୋନ୍ ୩ ଡିଏସ୍ପି ପି.କେ.ମିଶ୍ର କହିଛନ୍ତି।
ଆଜି ସକାଳୁ ଆର୍ଏସ୍ପି ୯ ନମ୍ବର ଆଉଟ୍ ଫଲ୍ ଡ୍ରେନ୍ ନିକଟରେ ଡିଏସ୍ପି ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ଡ୍ରେନ୍ ପାଣିକୁ ମୋଟର ଯୋଗେ ଖାଲି କରିବାକୁ ଚେଷ୍ଟା କରାଯାଇଥିଲା। ମାତ୍ର ଆର୍ଏସ୍ପି ପରିସରସ୍ଥ ବିଭିନ୍ନ ଡ୍ରେନ୍ରୁ ପାଣି ଆସୁଥିବାରୁ ଏହି ଉଦ୍ୟମ ଫେଲ ମାରିଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଉଦ୍ଧାରକାରୀ ଦଳ ସେସ୍ ପୁଲ୍ ଗାଡ଼ି ଲଗାଇ ପାଇପ୍ ଭିତରେ ଥିବା ପଙ୍କ ଓ ଆବର୍ଜନା ବାହାର କରିବାକୁ ଉଦ୍ୟମ କରିଥିଲେ। ଭିତରେ ପିଚୁ ଓ ଏସିଡ୍ମିଶା ବର୍ଜ୍ୟ ଜମାଟ ବାନ୍ଧିଥିବାରୁ ସେସ୍ ପୁଲ୍ ଗାଡ଼ି ସେଗୁଡ଼ିକୁ ଟାଣି ପାରିନଥିଲା। ଦୀର୍ଘ ସମୟ ପରେ ଏହି ପ୍ରୟାସ ମଧ୍ୟ ବିଫଳ ହୋଇଥିଲା। ତୃତୀୟ ପର୍ଯ୍ୟାୟରେ ଅକ୍ସିଜେନ୍ ମାକ୍ସ ଲଗାଇ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ଯବାନମାନେ ପାଇପ୍ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ପ୍ରାୟ ୨୦/୩୦ ଫୁଟ୍ ଭିତରକୁ ଯିବା ପରେ ଆଉ ଅଗ୍ରସର ହୋଇନପାରି ଫେରିଥିଲେ। ସେମାନଙ୍କ କହିବା ଅନୁଯାୟୀ, ତରଳ ପିଚୁ, ଏସିଡ୍ମିଶା ବର୍ଜ୍ୟ ଜମାଟ ବାନ୍ଧିଥିବାରୁ ପାଇପ୍ ଭିତରେ ଆଗକୁ ଯିବା ଅସମ୍ଭବ। ତେବେ ପାଇପ୍ ଭିତରେ ପ୍ରାୟ ୭୦ ମିଟର ପରେ କୌଣସି ଏକ ବସ୍ତୁ ଥିବା ସେମାନେ ଲାଇଟ୍ ପକାଇ ଠାବ କରିଥିଲେ। ଓଡ୍ରାଫ୍ ପକ୍ଷରୁ ବ୍ୟବହୃତ ଟ୍ୟୁବ୍ରେ କଣ୍ଟା ଲଗାଇ ଦମକଳ ଗାଡ଼ି ପାଣି ସ୍ପ୍ରେରେ ଦ୍ରୁତ ଗତିରେ ପାଇପ୍ ଭିତରକୁ ପଠାଯାଇଥିଲା। ଟ୍ୟୁବ୍ ସହ କଣ୍ଟାଟି ମୃତ ଶରୀରରେ ଲାଗି ଯାଇଥିଲା। ଟ୍ୟୁବ୍କୁ ଟାଣି ବାହାରକୁ ଆଣିବା ବେଳେ ମୃତ ଶରୀର ପଦାକୁ ଆସିଥିଲା।
ଗତ ୩ ତାରିଖରେ ଶୀତଳପଡ଼ାର ୪ ଯୁବକ କ୍ରୀଷ୍ଣା ବଢ଼େଇ (୨୩), ସୁରେଶ ସିଂ (୨୫), ସୂରଜ କୁର୍ମି (୨୮) ଓ ରାଜୁ ନାଏକ (୨୭) ଘରୁ ବାହାରିଯାଇ ଆଉ ଫେରି ନଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ବି ସେମାନଙ୍କ କୌଣସି ସନ୍ଧାନ ମିଳି ନଥିଲା। ନିଖୋଜ ଯୁବକମାନଙ୍କ ସନ୍ଧାନ ନେବାକୁ ପଡ଼ାର ଗେହେନୁ ଲୋହାର (୨୬) ସମେତ ୫ ଜଣ ଗତ ୪ ତାରିଖ ସକାଳେ ଆର୍ଏସ୍ପି ୯ ନମ୍ବର ଆଉଟ୍ଫଲ୍ ଡ୍ରେନ୍ ମୁହଁକୁ ଯାଇଥିଲେ। ଡ୍ରେନ୍ ଭିତରକୁ ୨ ଜଣ ପ୍ରବେଶ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନାବାଳକଙ୍କୁ ବୋହୋସ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଗେହେନୁ ଭିତରେ ରହି ଯାଇଥିଲେ। ଅନ୍ୟ ଯୁବକମାନେ ପାଇପ୍ ଭିତରେ ଅଛନ୍ତି କି ଅନ୍ୟ କାରଣରୁ ନିଖୋଜ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।
ଡମ୍ପିଂୟାର୍ଡ଼ରୁ ଖାଦ ଲୁହା ଚୋରି କରିବା ଉଦ୍ଦେଶ୍ୟରେ ବିଭିନ୍ନ ଡ୍ରେନ୍ ଭିତର ଦେଇ ବସ୍ତି ଲୋକେ ଆର୍ଏସ୍ପି ଭିତରକୁ ପଶୁଛନ୍ତି। ତେଣୁ ନିଖୋଜ ଯୁବକମାନେ ହୁଏତ ୯ ନମ୍ବର ଆଉଟ୍ଫଲ୍ ଡ୍ରେନ୍ ଭିତରେ ଶ୍ୱାସରୁଦ୍ଧ ହୋଇ ଅଟକି ଯାଇଥିବା ଆଶଙ୍କା କରାଯାଉଛି।