ଭୁବେନଶ୍ବର : ଗତକାଲି ଆନ୍ଦୋଳନ ନାଁରେ ଭାରତୀୟ ଯୁବମୋର୍ଚ୍ଚା ତରଫରୁ ଯେଉଁ ଆତଙ୍କରାଜ ସୃଷ୍ଟି କରାଗଲା ତାହାକୁ ସାଢ଼େ ୪କୋଟି ଓଡ଼ିଶାବାସୀ ନିନ୍ଦା କରୁଛନ୍ତି। ସୁରକ୍ଷାକର୍ମୀଙ୍କ ଉପରେ ହଠାତ୍ ଉତ୍‌କ୍ଷିପ୍ତ ହୋଇ ଆକ୍ରମଣ କରିବା ଗୋଟିଏ କଥା, ହେଲେ ଓଡ଼ିଶା ବିଜେପି ପକ୍ଷରୁ ଯୋଜନାବଦ୍ଧ ଆକ୍ରମଣ ହୋଇଥିଲା ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଶ୍ରୀମୟୀ ମିଶ୍ର କହିଛନ୍ତି।

Advertisment

ବୁଧବାର ଦିନ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ଶ୍ରୀମୟୀ ଏବଂ ସ୍ବୟଂପ୍ରକାଶ ମହାପାତ୍ର କହିଥିଲେ, ଗତକାଲି ଆକ୍ରମଣ ଏତେ ସାଂଘାତିକ ଥିଲା ଯେ ଏଥିରେ ୨୧ଜଣ ପୁଲିସ କର୍ମୀ ଗୁରୁତର ଭାବେ ଆହତ ହୋଇଥି‌େଲ, ଦୁଇ ଜଣଙ୍କୁ କଟକ ରେଫର୍ କରିବାକୁ ପଡ଼ିଲା। ଅନ୍ୟପକ୍ଷରେ ବିଜେପି କର୍ମୀ ଲୋକଦେଖାଣିଆ ଭାବେ ହସ୍ପିଟାଲକୁ ଯାଇଥିଲେ, ଆଉ ଡିସଚାର୍ଜ ହୋଇ ପଳାଇଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ, ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ରାଜ୍ୟ ପୁଲିସ କିଭଳି ଧୈର୍ଯ୍ୟର ସହ କାର୍ଯ୍ୟ କରିଛି।

ଏହାସହ ବିଜେଡି ପକ୍ଷରୁ କୁହାଯାଇଛି ଯେ, ଗତକାଲି ଯେଉଁଭଳି ସଂଘବଦ୍ଧ ଭାବେ ବିଜେପି ଯୁବକର୍ମୀଙ୍କ ପକ୍ଷରୁ ପୁଲିସ ଉପରେ ଆକ୍ରମଣ ହୋଇଥିଲା ସେମାନେ ଏଭଳି କାର୍ଯ୍ୟ କରିବେ ବୋଲି ଦୁଇ ତିନି ଦିନ ଆଗରୁ ଜଣାପଡ଼ିଥିଲା। ବିିଜେଡି ପକ୍ଷରୁ ନିର୍ଦ୍ଦିଷ୍ଟ ସୂଚନା ସହ ଗଣମାଧ୍ୟମକୁ ଅବଗତ କରାଯାଇଥିଲା। ପୁଲିସ ଉପରେ ଆକ୍ରମଣ କରି ଆଇନଶୃଙ୍ଖଳା ହାତକୁ ନେଇ ଅରାଜକତା ସୃଷ୍ଟି କରିବା ଥିଲା ସେମାନଙ୍କର ଉଦ୍ଦେଶ୍ୟ। ଅପରପକ୍ଷେ ସବୁ ପ୍ରସଙ୍ଗରେ ପ୍ରତିକ୍ରିୟା ରଖୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି ଏ ପ୍ରସଙ୍ଗରେ ଚୁପ୍ ଅଛନ୍ତି।

ବିଜେପିର ଯୁବବନ୍ଧୁମାନେ ଆନ୍ଦୋଳନ ପାଇଁ ଆସିଥିଲେ, ସେମାନଙ୍କୁ ଆମେ କହିବାକୁ ଚାହୁଁଛୁ ଯେ, ଆପଣଙ୍କର ବି ପରିବାର ଅଛି, ଆପଣ ବି ସରକାରୀ ଚାକିରି ପାଇଁ ଇଚ୍ଛା ରଖିଛନ୍ତି। ଆପଣଙ୍କ ଭିତରୁ ଅନେକ ପୁଲିସ ଚାକିରି କରିବାକୁ ଇଚ୍ଛୁକ ଥିବେ। ତୁମ ଉପରେ ଏଭଳି ମାଡ଼ ଓ ଆକ୍ରମଣ ହେଲେ ତୁମ ପରିବାର ଉପରେ କ’ଣ ବିତିବ, ସେମାନେ କ’ଣ କରିବେ? କିଛି ନେତା ବ୍ୟକ୍ତିଗତ ରାଜନୈତିକ ସ୍ବାର୍ଥ ପା‌ଇଁ ଆପଣମାନଙ୍କୁ ବ୍ୟବହାର କରୁଛନ୍ତି ଏବଂ ଆଗକୁ ବ୍ୟବହାର କରିବାକୁ ଯୋଜନା କରୁଛନ୍ତି। ଦୟାକରି କାହାର ବ୍ୟକ୍ତିଗତ ରାଜନୈତିକ ସ୍ବାର୍ଥ ପାଇଁ ମୋହରା ସାଜନ୍ତୁ ନାହିଁ।

ସୁରକ୍ଷାକର୍ମୀ ଯିଏ ମାଡ଼ ଖାଇଲେ ସିଏ ଓଡ଼ିଶାର। ବି‌େଜପି କର୍ମୀ ଯିଏ ମାଡ଼ ମାରିଲେ ସିଏ ବି ଓଡ଼ିଶାର। ଯାହା ନାଁରେ ଏଭଳି ହୀନ କାର୍ଯ୍ୟ ପାଇଁ ମାମଲା ହୋଇଛି ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ, କିଛି ମାସ ଜେଲ୍‌ ଯିବେ। ଆପଣଙ୍କ ବାପାମା’ଙ୍କ ଉପରେ କି ପ୍ରଭାବ ପଡ଼ିବ ସେ ବିଷୟରେ ଥରେ ଚିନ୍ତା କରିଛନ୍ତି କି ବୋଲି ବିଜେଡି ପ୍ରବକ୍ତା ପ୍ରଶ୍ନ କରିଛନ୍ତି।