ଯୁବକଙ୍କୁ ହତ୍ୟା ପରେ ପୋଡ଼ିଦେଲେ!

ପୁଲିସ ହାଇସ୍କୁଲ ସାମନାରୁ ଅର୍ଧଦଗ୍ଧ ମୃତଦେହ ଉଦ୍ଧାର

ପୁରୀ : ପୁରୀ କୁମ୍ଭାରପଡ଼ା ଥାନା ରେଡକ୍ରସ୍‌ ରୋଡରେ ଥିବା ପୁଲିସ ହାଇସ୍କୁଲ ସମ୍ମୁଖରୁ ଆଜି ଜଣେ ଯୁବକଙ୍କ ଦରପୋଡା ମୃତଦେହ ମିଳିଛି। ପୁଲିସ ଶବ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଯୁବକଙ୍କ ପରିଚୟ ମିଳିନଥିବାବେଳେ ପାରିପାର୍ଶ୍ବିକ ଅବସ୍ଥାରୁ ତାଙ୍କୁ ହତ୍ୟା ପରେ ପୋଡ଼ି ଦିଆଯାଇଥିବା ଅନୁମାନ କରାଯାଉଛି। ସିଟି ଡିଏସ୍‌ପି, କୁମ୍ଭାରପଡ଼ା ଥାନା ଆଇଆଇସି ଓ ଟାଉନ୍ ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ୪୫ରେ ପୁଲିସ ହାଇସ୍କୁଲର ଜଣେ କର୍ମଚାରୀ ସ୍କୁଲ ଫାଟକ ସମ୍ମୁଖରେ ଧୂଆଁ ଉଠିବାର ଦେଖିବାକୁ ପାଇଥିଲେ। ଘଟଣାସ୍ଥଳରେ ପହଞ୍ଚି ଦେଖିବା ବେଳକୁ ସ୍କୁଲ ଫାଟକର ବାମପାର୍ଶ୍ବରେ ଥିବା ସେଲୁନ ଦୋକାନ ପଛପଟେ ଜଣେ ଯୁବକ ଜଳୁଥିବା ଦେଖି ପାଟି କରିଥିଲେ। ପାଟି ଶୁଣି ସ୍ଥାନୀୟ କିଛି ବ୍ୟକ୍ତି ଘଟଣାସ୍ଥଳରେ ପହଞ୍ଚି ପାଣି ଢ଼ାଳି ନିଆଁ ଲିଭାଇଥିଲେ। ସେତେବେଳକୁ ବାମ ପାଦକୁ ଛାଡ଼ିଦେଲେ ଯୁବକଙ୍କର ସଂପୂର୍ଣ୍ଣ ଶରୀର ପୋଡ଼ି ଯାଇଥିଲା। ମୃତ ଯୁବକଙ୍କ ବୟସ ୨୨ରୁ ୨୬ ବର୍ଷ ଭିତରେ ହେବ ବୋଲି ପୁଲିସ କହିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେ ସଂପର୍କରେ ପୁଲିସ ସ୍ପଷ୍ଟ କରିନଥିଲେ ମଧ୍ୟ ଏହା ଏକ ଜଘନ୍ୟ ହତ୍ୟାକାଣ୍ଡ ବୋଲି ଆଭାସ ମିଳିଛି। କାରଣ ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଘଟଣା ଘଟିଛି। ଏଥିରୁ ସ୍ପଷ୍ଟ ହେଉଛି କେହି ଯୁବକଙ୍କୁ ହତ୍ୟା ପରେ ଏଠାରେ ଆଣି ପୋଡ଼ିଦେଇଛି। ପୁଲିସ ଏହାକୁ ସ୍ବୀକାର କରିଥିଲେ ମଧ୍ୟ ଶବ ବ୍ୟବଚ୍ଛେଦ, ଭିସେରା ରିପୋର୍ଟ ପରେ ଯାହା କିଛି ଜଣାପଡ଼ିବ ବୋଲି କହିଛି।

ସମ୍ବନ୍ଧିତ ଖବର