ସୀମାନ୍ତ ଗାଁରେ ଯୁବକଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକ

ସୋହେଲା : ବରଗଡ଼ ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ ଛତିଶଗଡ଼ ରାଜ୍ୟ ସୀମାନ୍ତକୁ ଲାଗି ରହିଥିବା ଗ୍ରିଂଜାଲ କଂଶଟିକ୍ରାର ଯୁବକଙ୍କୁ ଗତ ରାତିରେ ହତ୍ୟା କରାଯାଇଥିଲା। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗୁରୁବାର ସଂଧ୍ୟାରେ ସୋହେଲା-ରାୟଗଡ଼ ରାସ୍ତାରେ ଉଭୟ ଛତିଶଗଡ଼ ଓ ଓଡ଼ିଶା ସୀମା ପେଟ୍ରୋଲ ପମ୍ପ ଛକରେ ଶବକୁ ରଖି ରାସ୍ତା ଅବରୋଧ କରିଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ଛତିଶଗଡ଼ କିମ୍ବା ଓଡ଼ିଶା ପୁଲିସ ଘଟଣାସ୍ଥଳକୁ ପହଂଚି ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଗ୍ରିଂଜାଲ କଂଶଟିକ୍ରାର ଶଶୀଧର ସାହୁଙ୍କ ପୁଅ ଲଲିତ ସାହୁ (୩୫) ଗତକାଲି ଛତିଶଗଡ଼ ରାଜ୍ୟ ସୀମାନ୍ତରେ ଥିବା ଡୁଙ୍ଗରିପାଲି ଥାନା ପରଧିଆପାଲି ଗ୍ରାମର ୨ଜଣ ଯୁବକଙ୍କ ସହିତ ଡୁଙ୍ଗରିପାଲିକୁ ରାତ୍ରୀକାଳୀନ କ୍ରିକେଟ ମ୍ୟାଚ୍‌ ଦେଖିବାକୁ ଯାଇଥିଲେ। ମ୍ୟାଚ୍‌ ଦେଖିବା ପରେ ଲଲିତ ବାଇକରେ ପରଧିଆପାଲିର ଦୁଇ ଯୁବକଙ୍କୁ ଛାଡ଼ିବା ପାଇଁ ଯାଇଥିଲେ। କିନ୍ତୁ ସେ ଆଉ ଫେରିନଥିଲେ। ପରେ ପରିବାରବର୍ଗ ଓ ପଡ଼ାବାସୀ ରାତିରେ ଲଲିତକୁ ଖୋଜାଖୋଜି କରିବା ବେଳେ ଗ୍ରିଂଜାଲ ଛକରୁ ପରଧିଆପାଲି ଗ୍ରାମକୁ ଯାଇଥିବା ରାସ୍ତାରେ କ୍ଷତବିକ୍ଷତ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ଲଲିତଙ୍କୁ ମୁମୁର୍ଷୂ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ସୋହେଲା ଡାକ୍ତରଖାନକୁ ଆଣିଥିଲେ। ଅବସ୍ଥା ଗୁରୁତର ହେବାରୁ ବରଗଡ଼ର ଏକ ଘରୋଇ ଡାକ୍ତରଖାନକୁ ନେବା ବେଳେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ବରଗଡ଼ ଟାଉନ ପୁଲିସ ସୂଚନା ପାଇ ଶବର ମାଇନା କରି ବ୍ୟବଚ୍ଛେଦ ପାଇଁ ପଠେଇଥିଲେ।

ବରଗଡ଼ରେ ବ୍ୟବଚ୍ଛେଦ ପରେ ଗୁରୁବାର ସଂଧ୍ୟାରେ ଶବ ଗ୍ରାମକୁ ପହଂଚିବା ପରେ ହତ୍ୟାକାରୀକୁ ଗିରଫ ଦାବିରେ ଶତାଧିକ ମହିଳା ଓ ପୁରୁଷ ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି।

ସମ୍ବନ୍ଧିତ ଖବର