ଯବକଙ୍କୁ ନିର୍ମମ ହତ୍ୟା ଘଟଣା; ବନ୍ଧୁ ସାଜିଲା ବଇରୀ, ବାଇକ୍‌ ପଛରେ ବସି ତଣ୍ଟି କାଟିଦେଲା

ଟେଣ୍ଟ୍‌ ହାଉସ୍‌ ଭଡ଼ା ବାକି ଟଙ୍କା ଶୁଝିବାକୁ ରଚିଥିଲା ଷଡ୍‌ଯନ୍ତ୍ର

ଝାରସୁଗୁଡ଼ା : ବିବାହ ସମୟରେ ଲାଗିଥିବା ଟେଣ୍ଟ ହାଉସ୍‌ ଭଡ଼ା ପରିଶୋଧ କରିପାରି ନଥିଲା। ଟେଣ୍ଟ ହାଉସ୍‌ ମାଲିକ ଟଙ୍କା ପାଇଁ ଚାପା ପକାଉଥିଲା। ଏପଟେ ଋଣ ଭାବରେ ବୁଡ଼ି ମାନସିକ ଭାରସାମ୍ୟ ହରାଇ ବସିଥିଲା। ପତ୍ନୀ ମଧ୍ୟ ଛାଡ଼ି ଚାଲିଯାଇଥିଲା। ଏପରି କ୍ଷେତ୍ରରେ ସାଙ୍ଗ ନିକଟରେ ଲକ୍ଷାଧିକ ଟଙ୍କା ଦେଖି ଲୋଭ ସମ୍ବରଣ କରି ପାରି ନଥିଲା ହତ୍ୟାକାରୀ। ସାଙ୍ଗର ବାଇକ୍‌ ପଛପଟେ ବସି ଛୁରିରେ କାଟି ଦେଇଥିଲା ତଣ୍ଟି। ସାଙ୍ଗର ମୃତ୍ୟୁ ପରେ ଟଙ୍କା ନେଇ ଫେରାର ହୋଇଯାଇଥିଲା। ଝାରସୁଗୁଡ଼ା ସହର ମଧ୍ୟଭାଗରେ ୧୫ ତାରିଖ ରାତ୍ର ପ୍ରାୟ ୧୨ଟାରେ ବେହେରାମାଲ ଦୁର୍ଗାମନ୍ଦିର ପଛପଟେ ଥିବା ମୁଢ଼ି଼ ମିଲ୍‌ ଗଳିରେ ଘଟିଥିଲା ଏହି ନିର୍ମମ ହତ୍ୟା ଘଟଣା। ହତ୍ୟାର ଶିକାର ହୋଇଥିଲେ ମଙ୍ଗଲବଜାରର ବିପିନ ସାହା (୩୨)।

୧୬ ତାରିଖ ସକାଳେ ରକ୍ତ ଜୁଡ଼ୁବୁଡ଼ୁ ଶବ ଉଦ୍ଧାର କରାଯାଇଥିଲା। ଏସ୍‌ପି ବିକାଶ ଚନ୍ଦ୍ର ଦାଶ, ଏସ୍‌ଡିପିଓ ନିର୍ମଳ ମହାପାତ୍ର ଓ ଅନ୍ୟ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ବିପିନ ଶିବମ୍‌ ମୋବାଇଲ ହୋଲସେଲ୍‌ ଦୋକାନରେ କାମ କରୁଥିଲେ। ବିଭିନ୍ନ ଗ୍ରାମକୁ ଯାଇ ସେଠାରେ ମୋବାଇଲ ଯୋଗାଇବା ଓ ଟଙ୍କା ଆଦାୟ କରି ଆଣି ମାଲିକଙ୍କୁ ଦେଉଥିଲେ। ୧୫ ତାରିଖ ଦିନ ସେ ତାଙ୍କ ବାଇକରେ ମୋବାଇଲ ନେଇ ବାଗଡିହି ଓ ବାମରା ଅଞ୍ଚଳକୁ ଯାଇଥିଲେ। ସେଠାରେ ମୋବାଇଲ ଦେଇ ଟଙ୍କା ଆଦାୟ କରି ଫେରିବାର ଥିଲା। ସେ ଆଉ ଫେରି ନଥିଲେ। ଏହି ଘଟଣାରେ ପୁଲିସ ଶନିବାର ଦିଲୀପ ସାହୁକୁ ଗିରଫ କରିଥିଲା। ସେ ବିପିନର ସାଙ୍ଗ ବୋଲି ଜଣାଡ଼ିଥିଲା।

ପୁଲିସ ପାଇଁ ଥିଲା ଚ୍ୟାଲେଞ୍ଜ
ମୃତ ଦେହ ଚିହ୍ନଟ ହେବା ପରେ ପୁଲିସ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ଅର୍ପଣ କରିଥିଲା। ତେବେ ମୃତଦେହ ନିକଟରେ କୌଣସି ଅସ୍ତ୍ର ପଡ଼ି ନଥିବା ବେଳେ ହତ୍ୟାକାରୀ କୌଣସି ସୁରାକ ଛାଡ଼ି ନଥିଲା। ମୃତ ଯୁବକର ପକେଟରେ ୭୩ ହଜାର ଟଙ୍କା, ମୋବାଇଲ ଥିବାରୁ ଏହା ଟଙ୍କା ଲୁଟ୍‌ ପାଇଁ ହତ୍ୟା ହୋଇ ନପାରେ ବୋଲି ମଧ୍ୟ ପୁଲିସ ଅନୁମାନ କରୁଥିଲା। ତେବେ ମୃତ ଯୁବକଙ୍କ ସହିତ ସେପରି କାହାରି ଶତ୍ରୁତା ନଥିବା ପରିବାର ଓ ତାଙ୍କ ଚିହ୍ନା ପରିଚୟ  ଲୋକ‌େ ପୁଲିସକୁ କହିଥିଲେ।

ମୋବାଇଲରୁ ହତ୍ୟାକାରୀର ନିକଟତର ହୋଇଥିଲା ପୁଲିସ
ହତ୍ୟାସ୍ଥଳରୁ ମିଳିଥିବା ମୋବାଇଲ ବନ୍ଦ ଥିଲା। ଏହାକୁ ନେଇ ପୁଲସ ସନ୍ଦେହ କରିଥିଲା। ମୋବାଇଲ ଦୋକାନର ମାଲିକ ଶିବାକର ପ୍ରସାଦ ୧୫ ତାରିଖ ଦିନ ବିପିନ ବାଗଡିହି ଯାଇ ଦୋକାନକୁ ଫେରିବାରେ ବିଳମ୍ବ ହେବାରୁ ତାକୁ ଅନେକ ଥର ଫୋନ୍‌ କରିଥିଲେ। ତାଙ୍କ ବାଇକ୍‌ର ଚେନ୍‌ ଖୋଲି ଯାଇଥିବା ନେଇ ସେ ସନ୍ଧ୍ୟା ୫ ଟାରେ କହିଥିଲେ। ୭ ଟାରେ ସେ ଝାରସୁଗୁଡ଼ା ଫେରି ଆସିଥିବା କହିଥିଲେ। ମାତ୍ର ପରେ ତାଙ୍କ ମୋବାଇଲ ଆଉ ଲାଗି ନଥିଲା। ଘଟଣା ସମ୍ବେଦନଶୀଳ ହୋଇଥିବାରୁ ପୁଲିସ ସାଇଣ୍ଟିଫିକ୍‌ ଟିମ୍‌, ସାଇବର ଏକ୍ସପର୍ଟଙ୍କ ସାହାଯ୍ୟ ନେଇଥିଲା। ତଦନ୍ତ ପାଇଁ ଏସ୍‌ପି ବଡ଼ମାଲ ଥାନା ଅଧିକାରୀ ଅମିତାଭ ପଣ୍ଡା, ଇନ୍‌ସପେକ୍ଟର ସୁନିଲ ସରାଫ, ଏସ୍‌ଆଇ ମହେଶ୍ବର ପାଣିଗ୍ରାହୀ, ଏସ୍‌ଆଇ ଶଶି ଭୂଷଣ ମିଶ୍ର, ଏସ୍‌ଆଇ କ୍ରେସେନସିଆ ସମାରିଆ, ଏଏସ୍‌ଆଇ ରୁଷଭ କୁମାର ପଣ୍ଡା, ଏଏସ୍‌ଆଇ ସଞ୍ଜୀବ ସାହୁଙ୍କୁ ନେଇ ଦୁଇଟି ଟିମ୍‌ ଗଠନ କରିଥିଲେ। ଉଭୟ ଟିମ୍‌ ତଦନ୍ତ ଯୋରଦାର କରିଥିଲେ। ମୋବାଇଲରେ ଥିବା କଲ ରେକର୍ଡ଼ ଯାଞ୍ଚ ପରେ ଦିଲୀପ ସାହା (୩୩) ପୁଲିସର ସଂଦେହ ଘେରକୁ ଆସିଥିଲା। ଦିଲୀପ ଚୌକିପଡ଼ାରେ ରହୁଥିବା ବେଳେ ଘଟଣା ଦିନ ସେହିଁ ବିପିନ ସହିତ ସାଙ୍ଗରେ ଯାଇଥିବା ନେଇ ପୁଲିସ ନିଶ୍ଚିତ ହୋଇଥିଲା। ହତ୍ୟାକାଣ୍ଡ ପରେ ଦିଲୀପ ଘରେ ତାଲା ଦେଇ ଫେରାର ହୋଇ ଯାଇଥିବାରୁ ପୁଲିସର ସନ୍ଦେହ ଦୃଢ଼ ହୋଇଥିଲା। ମୋବାଇଲ ଟ୍ରାକିଂ କରି ଦିଲୀପକୁ ରାଉରକେଲା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ରତନ ହୋଟେଲରୁ ଗିରଫ କରିଥିଲା। ତା’ପାଖରୁ ରକ୍ତ ଲଗା କପଡ଼ା ସହିତ ୧ ଲକ୍ଷ ୫ ଶହ ଟଙ୍କା ଜବତ କରାଯାଇଥିଲା।

ଟେଣ୍ଟହାଉସ୍‌ ଟଙ୍କା ପରିଶୋଧ କରିବାକୁ କରିଥିଲା ହତ୍ୟା
ହତ୍ୟାକାଣ୍ଡ ସଂପର୍କରେ ବିବିରଣୀ ଦେଇ ଏସ୍‌ପି ଶ୍ରୀ ଦାଶ କହିଛନ୍ତି ଯେ ଦିଲୀପ ଜଣେ ଶିକ୍ଷିତ ଯୁବକ। ବିଟେକ୍‌ ପାଠ ପଢ଼ିଥିବା ବେଳେ ଗତ ବର୍ଷ ବିବାହ କରିଥିଲା। ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ଅସ୍ଥାୟୀ ଭାବରେ କାର୍ଯ୍ୟ କରୁଥିଲା। ତାର କୌଣସି ଆପରାଧିକ ରେକର୍ଡ ମଧ୍ୟ ନଥିଲା। ବିବାହ ବେଳେ ଲାଗିଥିବା ଟେଣ୍ଟ ହାଉସର ଟଙ୍କା ପରିଶୋଧ କରିବାରେ ସେ ଅକ୍ଷମ ହୋଇ ପଡ଼ିଥିଲା। କକ୍ସ କଲୋନିରେ ଥିବା ରାଣା ଟେଣ୍ଟ ହାଉସ୍‌ରେ ଦିଲୀପ ଦେଢ଼ ଲକ୍ଷ ଟଙ୍କା ପରିଶୋଧ କରି ପାରୁ ନଥିବାରୁ ମାଲିକ ତାକୁ ଟଙ୍କା ପାଇଁ ଚାପ ପକାଉଥିଲା। ଅନ୍ୟପଟେ ପରିବାର ଲୋକ ମଧ୍ୟ ଦିଲୀପକୁ କୌଣସି ସହାୟତା ଦେଉ ନଥିଲେ। ବିବାହ କରିଥିବା ପତ୍ନୀ ମଧ୍ୟ ତାଙ୍କୁ ଛାଡ଼ି ଚାଲି ଯାଇଥିଲା। ଅଭାବ ଓ କରଜରେ ବୁଡ଼ି ରହିଥିବା ଦିଲୀପ ମାନସିକ ନିୟନ୍ତ୍ରଣ ହରାଇ ଏପରି କରିଥିବା ପୁଲିସ ତଦନ୍ତରୁ ଜାଣି ପାରିଛି।

ହତ୍ୟାକାଣ୍ଡ ସଂପର୍କରେ ଏସ୍‌ପି ଦେଇଥିବା ତଥ୍ୟ
ମୃତ ବିପିନ ଓ ଦିଲୀପ ଉଭୟ ଥିଲେ ସାଙ୍ଗ।  ଘଟଣା ଦିନ ସେମାନେ ଦୁଇଟି ବାଇକ୍‌ ନେଇ ବାଗଡିହି ଓ ବାମରା  ଯାଇଥିଲେ। ଫେରିବା ପରେ ଉଭୟେ ଚୌକିପଡ଼ା ଯାଇଥିଲେ। ବିପିନ ଲକ୍ଷାଧିକ ଟଙ୍କା ରଖିଥିବାରୁ ଏହି ଟଙ୍କା ଉପରେ ଦିଲୀପର ନଜର ପଡ଼ିଥିଲା। ସେହି ରାତିରେ ହିଁ ତାକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା। ଯୋଜନା ମୁତାବକ ଦିଲୀପ ଜାଣିଶୁଣି ଝାରସୁଗୁଡ଼ା ଫେରିବାରେ ବିଳମ୍ବ କରିଥିଲା। ଫେରିବା ପରେ ସେ ନେଇଥିବା ବାଇକକୁ ଘରେ ରଖିବା ବାହାନାରେ ଉଭୟ‌େ ଚୌକିପଡ଼ା ଯାଇଥିଲେ। ଦିଲୀପ ଘର ଭିତରକୁ ଯାଇ ଏକ ତୀକ୍ଷ୍ଣ ଛୁରି ଅଣ୍ଟାରେ ଲୁଚାଇ ଆଣିଥିଲା। ହତ୍ୟାକାଣ୍ଡ ସ୍ଥଳଟି ନିଛାଟିଆ ହୋଇଥିବା ବେଳେ ସେଠାକୁ ପରିସ୍ରା କରିବା ବାହାନାରେ ନେଇଥିଲା। ଫେରିବା ବେଳେ ମୃତ ବିପିନ ବାଇକ ଚଳାଇବା ପାଇଁ ବସୁଥିବା ବେଳେ ଦିଲୀପ ପଛରେ ବସିଥିଲା। ସୁଯୋଗ ଦେଖି  ଅଣ୍ଟାରୁ ଛୁରି ବାହାର କରି ବିପିନର ବେକକୁ କାଟି ଦେଇଥିଲା। ଏଥିରେ ବିପିନର ଭେନ୍‌ କଟି ପ୍ରଚୁର ରକ୍ତସ୍ରାବ ହୋଇଥିଲା ଓ ସେ ତଳେ ପଡ଼ି ଯାଇଥିଲା। ହତ୍ୟା ବେଳେ ଛୁରିଟି ଦିଲୀପର ବାମ ହାତରେ ଲାଗି ସେ ମଧ୍ୟ ଆଘାତପ୍ରାପ୍ତ ହୋଇଥିବା ଏସ୍‌ପି ବିକାଶ ଚନ୍ଦ୍ର ଦାଶ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ହତ୍ୟା କରିବା ପରେ ଦିଲୀପ ଆଗ ପକେଟରୁ  ଟଙ୍କା ବାହାର କରି ବାଇକ୍‌ ନେଇ ଫେରାର ହୋଇଯାଇଥିଲା। ତେବେ ପଛ ପକେଟ୍‌ରେ ୭୩ ହଜାର ଟଙ୍କା ସେ ନେଇ ପାରି ନଥିଲା। ରକ୍ତ ଲାଗିଥିବା ବାଇକଟିକୁ ନେଇ ଦିଲୀପ ରେଳ ଷ୍ଟେସନରେ ଛାଡ଼ି ବସ୍ ଯୋଗ‌େ ରାଉରକେଲା ପଳାଇ ଯାଇଥିଲା। ପୁଲିସ ଦିଲୀପକୁ ଗିରଫ କରିବା ପରେ ହତ୍ୟାରେ ବ୍ୟବହୃତ ଛୁରି ମମତା ମାର୍ବଲ ପଛପଟେ ଥିବା ପଖୋରୀ ନିକଟରୁ ଉଦ୍ଧାର କରିଥିବା ବେଳେ ବିପିନର ହିରୋ ସେପ୍ଲଣ୍ଡର (ଓଡି-୨୩ଜି-୩୬୪୨) ଓ ଅଭିଯୁକ୍ତର ସିବିଜେଡ୍‌ (ଓଡି-୨୩ସି -୬୯୦୯)କୁ ଜବତ କରାଯାଇଛି। ସଦର ଥାନାରେ କେସ୍‌ ନମ୍ବର ୧୨୮ରେ ଦଫା ୩୦୨ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଏସ୍‌ପି ଶ୍ରୀ ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର