କଣ୍ଟାପଡ଼ା : ରାସ୍ତାରେ ଗାଡ଼ି ପାର୍କିଂକୁ ନେଇ ଗଣ୍ଡଗୋଳ, କାର୍‌ କାଚରେ ମୁଣ୍ଡ ଚାପି ଯୁବକଙ୍କୁ ମାରିଦେଲେ

କଣ୍ଟାପଡ଼ା : ରାସ୍ତା ଉପରେ କାର୍‌ ପାର୍କିଂ କରିବା କାରଣକୁ ନେଇ ହୋଇଥିବା ବଚସାରୁ ଜଣେ ଯୁବକଙ୍କୁ ଅତି ଅମାନୁଷିକ ଭାବେ ହତ୍ୟା କରାଯାଇଛି। ଯୁବକଜଣକ କାର୍‌ ନିକଟରେ କଳିଗୋଳ କରୁଥିବାବେଳେ ତାଙ୍କ ବେକକୁ କାର୍‌ କାଚ ଭିତରେ ଚାପି ଅପରପକ୍ଷର ଯୁବକମାନେ କିଛିବାଟ ଘୋଷାଡ଼ି ନେଇ ରାସ୍ତା ଫୋପାଡ଼ି ପଳାଇଥିଲେ। ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ଯୁବକଙ୍କର କେଇଘଣ୍ଟା ପରେ କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ପୁଲିସ ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।

ଅଭିଯୋଗ ମୁତାବକ, ଗତକାଲି ରାତି ପ୍ରାୟ ୧୨ଟା ବେଳେ ମଣିକୁଣ୍ଡା ଦଳିତସାହିର ଦୀପକ ମଲ୍ଲିକ ଓଆର-୦୨ ବିଏକ୍ସ-୬୫୨୮ କାର୍‌କୁ ସାଇଲୋ ଝାରପଡ଼ା ଡାକବଙ୍ଗଳାଠାରେ ରଖି ଫୋନ୍ ଯୋଗେ କାହା ସହ କଥା ହେଉଥିଲେ। ଏହି ସମୟରେ ଗୋବିନ୍ଦପୁର ଗାଁର ଧନଞ୍ଜୟ ମହାରଣା (୩୫) ସାଇଲୋ ଝାରପଡ଼ା ପୋଲ ପଟୁ ଓଡି-୩୩ ଏଏ-୭୪୧୧ ନମ୍ବର କାର୍‌ରେ ପହଞ୍ଚିଥିଲେ। ରାସ୍ତା ଉପରେ କାହିଁକି ଗାଡ଼ି ପାର୍କିଂ କରିଛ ବୋଲି ପଚାରିବାରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। କିଛି ସମୟ ପରେ ଏହାର ମୀମାଂସା ବି ହୋଇଥିଲା। ତେବେ, ଏହାପରେ ଦୀପକ ମଲ୍ଲିକ ନିଜ କାର୍‌କୁ ନେଇ ଚାଲିଯିବା‌ ସମୟରେ ଧନଞ୍ଜୟ ମହାରଣାଙ୍କୁ ପୁଣି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏଥିରେ ଧନଞ୍ଜୟ ରାଗିଯାଇ ଦୀପକଙ୍କ କାର୍‌ ନିକଟରେ ପହଞ୍ଚିଥିଲେ। କଳିଗୋଳ ଅଧିକ ହେବାରୁ ଧନଞ୍ଜୟ କାର୍‌ ଝରକା ବାଟେ ମାଡ଼ ମାରିବା ପାଇଁ ଉଦ୍ୟତ ହେବାବେଳେ ଦୀପକ ଧନଞ୍ଜୟଙ୍କ ବେକକୁ ଗାଡ଼ି କାଚ ଭିତରେ ଚାପି ରଖି ଘୋଷାଡି ଘୋଷାଡି କିଛି ବାଟ ନେଇଯାଇ ଫୋପାଡ଼ି ପଳାଇଥିଲେ। ଗୁରୁତର ଅବସ୍ଥାରେ ଧନଞ୍ଜୟଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ଅଡ଼ଶପୁର ମେଡିକାଲକୁ ନେଇଥିଲେ। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ମେଡିକାଲକୁ ନିଆଯାଇଥିଲା। ତେବେ, ରାତି ପ୍ରାୟ ସାଢ଼େ ୨ଟା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଘଟଣାକୁ ନେଇ ଧନଞ୍ଜୟଙ୍କ ମଉସା ନାରାୟଣ ମହାପାତ୍ର ଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଅଛନ୍ତି। ତାଙ୍କ ପୁତୁରା ଧନଞ୍ଜୟକୁ ଦୀପକ ମଲ୍ଲିକ ଓ ଅନ୍ୟ ୩/୪ ଜଣ ମିଶି କାର୍‌ରେ ଘୋଷାଡ଼ି ମାରିଦେଇ ଫୋପାଡି ଦେଇଛନ୍ତି ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି। ଗୋବିନ୍ଦପୁର ଥାନା ପୁଲିସ ଏହି ଘଟଣାକୁ ଆଧାର କରି ଦୀପକ ମଲ୍ଲିକଙ୍କୁ ଅଟକ ରଖି ପଚରା ଉଚରା କରୁଛି। ଆସନ୍ତାକାଲି ଦୀପକଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି। କାର୍ ୨ଟିକୁ ମଧ୍ୟ ପୁଲିସ ଜବତ କରିଛି। ଅପରପକ୍ଷରେ, ଗୋବିନ୍ଦପୁର ଥାନା ପରିସରରେ କେତେକ ଯୁବକ ଥାନା ଅଧିକାରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଜଣାପଡିଛି। ଧନଞ୍ଜୟ ଛୋଟବେଳୁ ନିଜ ମଉସାଙ୍କ ଘରେ ରହି ଆସୁଥିଲେ।

ସମ୍ବନ୍ଧିତ ଖବର