ବଲାଙ୍ଗୀର : ବଲାଙ୍ଗୀରରେ ଚାଞ୍ଚଲ୍ୟ। ସହରରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ବୀଭତ୍ସ ଭାବରେ ହତ୍ୟା କରାଯାଇଛି। ଯୁବକର ମୁଣ୍ଡ, ଗଣ୍ଡି ଅଲଗା କରି ହାଣି ଦିଆଯାଇଛି। କେବଳ ସେତିକି ନୁହେଁ, ପ୍ରମାଣ ନଷ୍ଟ କରିବା ପାଇଁ ହୋଇଥିଲା ଉଦ୍ୟମ। ଅଙ୍ଗପ୍ରତ୍ୟଙ୍ଗକୁ କାଟି ପଲିଥିନରେ ଭର୍ତ୍ତି କରାଯାଇଥିଲା। ବନ୍ଦ କୋଠରି ଭିତରେ ଦେଖିବାକୁ ମିଳିଛି ଏଭଳି ଦେହଥରା ଦୃଶ୍ୟ। ଏହି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ସହରର ୧୮ ନଂ. ୱାର୍ଡ ସାଲେପାଲିପଡ଼ାରେ। ମୃତକ ଯୁବକ ଜଣକ ହେଲେ ରିଙ୍କୁ ମେହେର (୨୭ ବର୍ଷ)। ପୁଲିସ ଶବ ନିକଟରୁ ରକ୍ତଲଗା ଟାଙ୍ଗିଆ ସହ ବ୍ଲେଡ୍ ଜବତ କରିଛି। ପାରିପାର୍ଶ୍ବିକ ସ୍ଥିତିରୁ ହତ୍ୟାକାଣ୍ଡରେ ଏକାଧିକ ଲୋକ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି।
ପୁଲିସର ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ, ବଲାଙ୍ଗୀର ସହର ୧୮ ନମ୍ବର ୱାର୍ଡ ସାଲେପାଲି ପଡ଼ାରେ ପ୍ରାୟ ୨୦ ବର୍ଷ ହେବ ଭଡ଼ାଘରେ ରହୁଥିଲେ ମାର୍କଣ୍ଡ ମେହେର। ମାର୍କଣ୍ଡଙ୍କ ଚାରିପୁଅ। ବଡ଼ପୁଅ ବଲାଙ୍ଗୀର ସହରରେ ରହୁଥିବା ବେଳେ ଆଉ ଜଣେ ପୁଅ ସମ୍ବଲପୁରରେ ରହୁଛନ୍ତି। ତୃତୀୟ ଓ ଚତୁର୍ଥ ପୁଅ, ବାପା ମାର୍କଣ୍ଡ ଏବଂ ମା’ଙ୍କ ସହିତ ସାଲେପାଲିର ଭଡ଼ାଘରେ ରହୁଥିଲେ। ମାର୍କଣ୍ଡଙ୍କ ବଡ଼ପୁଅ କହିବା ଅନୁସାରେ, ତୃତୀୟ ପୁଅ ରିଙ୍କୁ (ମୃତକ) ମାନସିକ ରୋଗୀ ଥିଲେ। ସମୟ ସମୟରେ ସେ ପରିବାର ଲୋକଙ୍କୁ ମାରପିଟ କରୁଥିଲେ। ୨୦ ଦିନ ତଳେ ରିଙ୍କୁ ନିଜ ବାପା ମାର୍କଣ୍ଡଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଗୁରୁତର ଅବସ୍ଥାରେ ମାର୍କଣ୍ଡଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୬ ଦିନ ତଳେ ମାର୍କଣ୍ଡ ଡାକ୍ତରଖାନାରୁ ଫେରିଥିଲେ। ତେବେ ପୁଣି ୪ ଦିନ ତଳେ ମାର୍କଣ୍ଡଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ସାନପୁଅ ଓ ତାଙ୍କ ସ୍ତ୍ରୀ ମାର୍କଣ୍ଡଙ୍କୁ ବୁର୍ଲା ନେଇଥିବା ବେଳେ ସାଲେପାଲି ଭଡ଼ାଘରେ ୪ ଦିନ ହେଲା ରିଙ୍କୁ ଏକା ରହୁଥିଲେ।
ବୁଧବାର ସକାଳୁ ରିଙ୍କୁ ରହୁଥିବା ବନ୍ଦ କୋଠରିରୁ ଦୁର୍ଗନ୍ଧ ଆସୁଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ୱାର୍ଡ କାଉନସିଲର ପୁଲିସକୁ ଜଣାଇଥିଲେ। ବଲାଙ୍ଗୀର ଏସ୍ଡିପିଓ, ମାଜିଷ୍ଟ୍ରେଟ୍ଙ୍କ ସହିତ ଘଟଣାସ୍ଥଳକୁ ଆସି ତାଲା ଖୋଲି ବନ୍ଦ କୋଠରି ଭିତରରେ ପଶି ଭୟଙ୍କର ଦୃଶ୍ୟ ଦେଖିବାକୁ ପାଇଥିଲେ। ଘର ଭିତରେ ମୁଣ୍ଡବିହୀନ ଖଣ୍ଡ ବିଖଣ୍ଡିତ ଶବ ପଡ଼ି ରହିଥିଲା। ସଙ୍ଗେସଙ୍ଗେ ସାଇଣ୍ଟିଫିକ୍ ଟିମ୍କୁ ଡକାଯାଇଥିଲା। ସାଇଣ୍ଟିଫିକ୍ ଟିମ୍ ଆସିବାପରେ ବନ୍ଦ ଘରୁ ଶବକୁ ଉଦ୍ଧାର କରାଯାଇଥିଲା। ଶବର ମୁଣ୍ଡ, ହାତ, ଗୋଡ଼କୁ ଗଣ୍ଡିରୁ ଅଲଗା କରି ଦିଆଯାଇଥିଲା। ତା’ସହିତ କଳା ରଙ୍ଗର ୭ଟି ପଲିଥିନ ଭିତରେ କଟାଯାଇଥିବା ଅଙ୍ଗପ୍ରତ୍ୟଙ୍ଗକୁ ଭର୍ତ୍ତି କରାଯାଇଥିଲା। ନିକଟରେ ଫିନାଇଲ ବୋତଲ ମଧ୍ୟ ପଡ଼ିଥିଲା। ହତ୍ୟା ପରେ କଟାଯାଇଥିବା ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକୁ ଫିଙ୍ଗି ଦେଇ ହତ୍ୟାକାରୀ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରୁଥିବା ପୁଲିସ ସନ୍ଦେହ କରୁଛି।
ପୁଲିସ ଶବ ଉଦ୍ଧାର କରି ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ବିଭିନ୍ନ ଦିଗକୁ ନେଇ ପୁଲିସର ତଦନ୍ତ ଜାରି ରହିଛି। କିଏ ଏବଂ କ’ଣ ପାଇଁ ରିଙ୍କୁଙ୍କୁ ହତ୍ୟାକଲା ? ଏତେ ବୀଭତ୍ସ ଭାବରେ ହତ୍ୟା କଲା କାହିଁକି? ହତ୍ୟାକାରୀ ବାହାର ଲୋକ ନା ପରିବାରର ଲୋକ? ଏମିତି ଅନେକ ପ୍ରଶ୍ନର ସମାଧାନ କରିବା ପାଇଁ ବଲାଙ୍ଗୀର ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ ତଦନ୍ତ ଜାରି ରଖିଛି।