ପୁଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ: ଯୁବକଙ୍କୁ ହାଣି ରାସ୍ତାରେ ଫୋପାଡ଼ି ଦେଲେ

ସିମୁଳିଆ : ଦିନକୁ ଦିନ ବାଲେଶ୍ବର ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଜଘନ୍ୟ ଅପରାଧ ଘଟାଇ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଅପରାଧୀ। ଗତକାଲି ବିଳମ୍ବିତ ରାତିରେ ସିମୁଳିଆରେ ଗଡ଼ିଛି ଜଣେ ଯୁବକଙ୍କ ମୁଣ୍ଡ। ବାରମ୍ବାର ହତ୍ୟା, ଚୋରି ରାହଜାନି ଭଳି ଘଟଣା ଘଟୁଥିଲେ ବି ପୁଲିସ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାନଯିବା ଅପରାଧୀଙ୍କୁ ବେଶ୍ ସୁହାଉଥିବା ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ମାର୍କୋଣା ପଞ୍ଚାୟତ ଅନ୍ତର୍ଗତ ରିଆ ଗ୍ରାମର ଉପେନ୍ଦ୍ର ନାୟକଙ୍କ ସାନପୁଅ ପ୍ରଦୀପ କୁମାର ନାୟକ ଓରଫ ବଳିଆ(୩୭)ଙ୍କୁ ଦୁର୍ବୃତ୍ତମାନେ ଅତିନୃଶଂସ ଭାବେ ହାଣି ହତ୍ୟା କରି ରାସ୍ତାରେ ଫୋପାଡ଼ି ଦେଇଥିଲେ। ସିମୁଳିଆ ତହସିଲ ଅଫିସରୁ ମାତ୍ର ଦୁଇଶହ ମିଟର ଦୂରରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବଳିଆ ପଡ଼ିଥିବା ବେଳେ ରାତି ସାଢ଼େ ୩ଟାରେ ରିଆ ଗ୍ରାମର ପ୍ରଭାତ କୁମାର ଜେନା ବୀଭତ୍ସ ମୃତଦେହ ଦେଖି ବ୍ରେକ୍ ମାରି ଦେବାରୁ ରାସ୍ତାରେ ପଡ଼ି ଗୁରୁତର ହୋଇଥିଲେ। ଏହି ସମୟରେ ସେହିବାଟ ଦେଇ ଯାଉଥିବା ଏକ ଡିଜେ ଗାଡ଼ିର ଡ୍ରାଇଭର ଉଭୟଙ୍କୁ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖି ପାଟି କରିଥିଲେ। ପାଟି ଶୁଣି ସ୍ଥାନୀୟ ଲୋକେ ଜମା ହୋଇ ବଳିଆ ଓ ପ୍ରଭାତଙ୍କୁ ସେଠାରୁ ଉଦ୍ଧାର କରି ସିମୁଳିଆ ଡାକ୍ତରଖାନା ନେଇଥିଲେ। ହେଲେ ଡାକ୍ତର ସେଠାରେ ବଳିଆଙ୍କୁ ମୃତ ଘୋଷଣା କରିବା ସହ ପ୍ରଭାତଙ୍କୁ କଟକ ସ୍ଥାନାନ୍ତର କରିଥିଲେ। ଖବର ପାଇ ସିମୁଳିଆ ଥାନା ଅଧିକାରୀ ଜୟନ୍ତ ବେହେରା ଡାକ୍ତରଖାନାରେ ପହଞ୍ଚି ବଳିଆଙ୍କ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପରେ ସିମୁଳିଆ ପୁଲିସ, ବାଲେଶ୍ବରରୁ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲେ ବି ବର୍ତ୍ତମାନ ସୁଦ୍ଧା ଘଟଣାରେ କାହାକୁ ଗିରଫ କରା ଯାଇନାହିଁ। ଅନ୍ୟପକ୍ଷରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ବଳିଆଙ୍କ ପରିବାର ଓ ସହଯୋଗୀ ଡ୍ରାଇଭରମାନେ ପ୍ରକାଶ କରିଛନ୍ତି। ଗତକାଲି ରାତିରେ ବଳିଆଙ୍କ ଘରକୁ କେହି ଜଣେ ଅଜ୍ଞାତ ବ୍ୟକ୍ତି ଫୋନ କରି ତାଙ୍କୁ ବଜାରକୁ ନଛାଡ଼ିବା ପାଇଁ କହିଥିଲେ ଓ ବଳିଆ ବଜାରକୁ ଆସିଲେ ତାଙ୍କୁ ହାଣି ଦିଆଯିବ ବୋଲି ମଧ୍ୟ ସମ୍ପୃକ୍ତ ବ୍ୟକ୍ତି କହିଥିଲେ। ପତ୍ନୀ ଓ ପିଲାମାନଙ୍କ ବାରଣ ନମାନି ବଳିଆ ରାତି ୧୦ଟାରେ ମାଂସ ଆଣିବା ପାଇଁ ବଜାରକୁ ଯାଇଥିଲେ। ହେଲେ ଆଉ ଫେରି ନଥିଲେ।

ସୂଚନାଯୋଗ୍ୟ, ଘଟଣାର ଦୁଇଦିନ ପୂର୍ବରୁ ପାନବରଜ ଗ୍ରାମର ଗୌରାଙ୍ଗ ପାଣିଗ୍ରାହୀଙ୍କୁ କିଛି ଦୁର୍ବୃତ୍ତ ବିଳମ୍ବିତ ରାତିରେ ଭୁଜାଲିରେ ଆକ୍ରମଣ କରିଥିବା ବେଳେ ପାଟିତୁଣ୍ଡ ଶୁଣି ବଳିଆ ସେଠାରେ ପହଞ୍ଚିଥିଲେ। ଆଉ ବଳିଆଙ୍କୁ ଦେଖି ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇ ଯାଇଥିଲେ। ବଳିଆ ଗୌରାଙ୍ଗଙ୍କୁ ଉଦ୍ଧାର କରି ତାଙ୍କ ଘରେ ନେଇ ଛାଡ଼ିଥିଲେ। ପରଦିନ ଅର୍ଥାତ ୧୬ ତାରିଖରେ ଗୌରାଙ୍ଗ ଏ ନେଇ ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା ପୁଲିସ ଆକ୍ରମଣକାରୀଙ୍କୁ ଏଯାବତ ଧରି ପାରିନାହିଁ। ଉକ୍ତ ଘଟଣା ସହିତ ବଳିଆ ହତ୍ୟାକାଣ୍ଡର ସମ୍ପର୍କ ରହିଥିବା ନେଇ ଆଲୋଚନା ହେଉଛି। ସେପଟେ ଶବ ବ୍ୟବଚ୍ଛେଦ ପରେ ଟ୍ରେଡ୍ ୟୁନିୟନ ନେତା ତଥା ଯୁବ ଆଇନୀଜୀବୀ ଦୀପକ ମହାପାତ୍ର ଓ ରାମ ସିଂଙ୍କ ନେତୃତ୍ୱରେ ଡ୍ରାଇଭର ୟୁନିଅନ ସଦସ୍ୟ, ପୂର୍ବତନ ସରପଞ୍ଚ ପ୍ରଦୀପ ବେହେରା ପ୍ରମୁଖ ବଳିଆଙ୍କ ଶବ ଶୋଭାଯାତ୍ରାରେ ନେଇ ବଜାର ପରିକ୍ରମା କରାଇ ତାଙ୍କ ବାସଭବନକୁ ନେଇଥିଲେ। ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

ବଳିଆଙ୍କ ମୃତ୍ୟୁରେ ପତ୍ନୀ, ପୁଅ ଓ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି। ତୁରନ୍ତ ହତ୍ୟାକାରୀଙ୍କୁ ଗିରଫ କରିବା ପାଇଁ ପରିବାର ଲୋକେ ଓ ଡ୍ରାଇଭର ସଂଘ ଦାବି କରିଥିବା ବେଳେ ସିମୁଳିଆ ଥାନା ଅଧିକାରୀ ଶ୍ରୀ ବେହେରା ହତ୍ୟାକାରୀଙ୍କୁ ଖୁବଶୀଘ୍ର ଧରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର