ଡମପଡ଼ା : ଦଶହରା ମହାଷ୍ଟମୀର ସକାଳୁ ସକାଳୁ ବାଙ୍କୀ ଥାନା ଅନ୍ତର୍ଗତ କନ୍ତପହଁରା ପଞ୍ଚାୟତ ଘୋଳପୁର ଆନନ୍ଦପାଟଣା ସାହିରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ଯୁବକ ହେଉଛନ୍ତି ଘୋଳପୁର ଗ୍ରାମର ଗୋବିନ୍ଦ ବେହେରା (୨୮)। ସୂଚନା ଅନୁଯାୟୀ ଦୁର୍ବୃତ୍ତମାନେ ବାଇକ୍ରେ ଯାଉଥିବା ଗୋବିନ୍ଦଙ୍କ ଉପରେ ପ୍ରଥମେ ବୋମାମାଡ଼ କରିଥିଲେ। ସେ ତଳେ ପଡ଼ି ଯିବାପରେ ଦୁର୍ବୃତ୍ତମାନେ ତାଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଫୁଟା ଓ ଅଫୁଟା ବୋମା ଜବତ କରିବା ସହ ତଦନ୍ତ ଚଳାଇଛି।
ସୂଚନା ମୁତାବକ, ଘୋଳପୁର ଗ୍ରାମର ଗୋବିନ୍ଦ ବେହେରାଙ୍କ ସହ ସେହି ଗ୍ରାମର କେତେକ ଯୁବକଙ୍କ ପୂର୍ବରୁ ଗଣ୍ଡଗୋଳ ଲାଗି ରହିଥିଲା। ଆଜି ସକାଳ ପ୍ରାୟ ୮ଟାରେ ଗୋବିନ୍ଦ ବାଇକ୍ ଯୋଗେ ଘରୁ ସଉଦା ଆଣିବାକୁ ଯାଉଥିଲାବେଳେ ଘୋଳପୁର ଆନନ୍ଦପାଟଣାସାହି ଦୋଳମଣ୍ଡପ ନିକଟରେ ପୂର୍ବରୁ ଛକି ରହିଥିବା କେତେକ ଯୁବକ ତାଙ୍କୁ ଲକ୍ଷ୍ୟ କରି ଦୁଇଟି ବୋମା ଫିଙ୍ଗିଥିଲେ। ବୋମାମାଡ଼ରେ ଗୋବିନ୍ଦ ବାଇକ୍ରୁ ଖସି ପଡ଼ିଥିଲେ। ଏହାପରେ ଦୁର୍ବୃତ୍ତମାନେ ପଥରରେ ଛେଚି ତାଙ୍କୁ ହତ୍ୟା କରିଥିଲେ ବୋଲି ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି।
/sambad/media/post_attachments/wp-content/uploads/2020/10/banki-murder-300x168.jpg)
ଖବର ପାଇ ସୁବର୍ଣ୍ଣପୁର ବିଟ୍ହାଉସ୍ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବାଇକ, ଗୋଟିଏ ଅଫୁଟା ଓ ଫୁଟିଥିବା ଦୁଇଟି ବୋମାର ଟୁକୁଡ଼ା ଜବତ କରିଛନ୍ତି। ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। କଟକ ଗ୍ରାମାଞ୍ଚଳ ଏସ୍ପି ଯୁଗଳ କିଶୋର ବନାତ, ଆଡ଼ିସନାଲ୍ ଏସ୍ପି ଅଲେଖ ଚନ୍ଦ୍ର ପହି, ବାଙ୍କୀ ଦାୟିତ୍ବରେ ଥିବା ଆଠଗଡ଼ ଏସ୍ଡିପିଓ ଆଲୋକ ରଞ୍ଜନ ରାୟ, ବାଙ୍କୀ ଥାନା ଅଧିକାରୀ ସମୀର କୁମାର ପଣ୍ଡା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାର ଅନୁସନ୍ଧାନ ଚଳାଇଛି। ଅଭିଯୁକ୍ତ ମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ଏସ୍ଡିପିଓ ଶ୍ରୀ ରାୟ ପ୍ରକାଶ କରିଛନ୍ତି।
ଅପରପକ୍ଷରେ ମୃତକଙ୍କ ପରିବାର ଏଭଳି ଘଟଣା ପାଇଁ ପୁଲିସର ନିଷ୍କ୍ରିୟତାକୁ ଦାୟୀ କରିଛନ୍ତି। ପରିବାର ଲୋକଙ୍କ କହିବା ଅନୁଯାୟୀ ଗ୍ରାମର କେତେକ ବ୍ୟକ୍ତିଙ୍କ ସହ ଗୋବିନ୍ଦଙ୍କ ଗଣ୍ଡଗୋଳ ଲାଗି ରହିଥିଲା। ଏ ନେଇ ପୁଲିସ ପାଖରେ ଖବର ଥିଲା। ଘଟଣାର ସମାଧାନ କରା ନ ଯିବାରୁ ଆଜି ଏଭଳି ଘଟଣା ଘଟିଛି ବୋଲି ଗୋବିନ୍ଦଙ୍କ ପତ୍ନୀ ସୁନିତା ଖଟୁଆ ଓ ପରିବାର ଲୋକ କହିଛନ୍ତି। ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ପରିବାର ଲୋକ ବାଙ୍କୀ ଥାନା ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/murder.jpg)