ବରଗଡ଼ : ବରଗଡ଼ ଟାଉନ ଥାନା ଅନ୍ତର୍ଗତ କୁରୁଆଁ ଗ୍ରାମରେ ଜଣେ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି। ମୃତ ଯୁବକ ଜଣକ ବରଗଡ଼ ସହରର ହାଟପଦା ଅଂଚଳର ଇମତିଆଜ୍ କ୍ୟୁରେସି ବୋଲି ପୁଲିସ୍ ସୂତ୍ରରୁ ଖବର ମିଳିଛି। ଗାଁ ପାଖରେ ଇମ୍ତିଆଜ୍ଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ଗୁରୁବାର ସକାଳୁ ପୁଲିସ୍ ଜବତ କରିଛି। ଛେଳି ଚୋରିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଶୁଣିବାକୁ ମିଳୁଛି।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଇମ୍ତିଆଜ୍ ବୁଧବାର ରାତି ୯ଟା ପର୍ଯ୍ୟନ୍ତ ଗୁରୁଦ୍ବାରା ଛକ ପାଖରେ ଥିଲେ। ସମ୍ଭବତଃ ତାଙ୍କ କୌଣସି ସହଯୋଗୀ ସହ ସେ ବାଇକ୍ରେ କୁରୁଆଁ ଗାଁକୁ ଯାଇଥିଲେ। ସେଠାରେ ଛେଳି ଚୋରି କରି ଆସିଥିବା ଅଭିଯୋଗରେ ତାଙ୍କୁ ଆକ୍ରମଣ ହୋଇଥିବା କୁହାଯାଉଛି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଂଚି ତନାଘନା ଚଳାଇଛି। ଏହି ମାମଲାରେ ପୁଲିସ୍ ଜଣେ ବ୍ୟକ୍ତିକୁ ଅଟକ ରଖି ପଚରାଉଚରା କରୁଛି। ପୂର୍ବରୁ ସଂପୃକ୍ତ ବ୍ୟକ୍ତିଙ୍କ ଦୁଇ ଥର ଛେଳି ଚୋରି ହୋଇଥିଲା। ଏନେଇ ସେ ଥାନାରେ ବି ଅଭିଯୋଗ କରିଥିବା ଜଣାପଡ଼ିଛି। ତେବେ ଇମ୍ତିଆଜ୍ ସହ ରାତିରେ ଆଉ ଜଣେ ବ୍ୟକ୍ତି ବି କୁରୁଆଁ ଗାଁକୁ ଯାଇଥିଲେ। ହେଲେ ତାଙ୍କ ସଂପର୍କରେ ପୁଲିସ୍ ଖୋଳତାଡ଼ ଚଳାଇଛି। ଇମ୍ତିଆଜ୍ ସାଂଗରେ ଥିବା ଉକ୍ତ ବ୍ୟକ୍ତିଙ୍କ ପତ୍ତା ମିଳିଲେ, ଘଟଣା ଉପରୁ ସବୁ ରହସ୍ୟର ପର୍ଦାଫାସ ହୋଇପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/murder.jpg)