ବ୍ରହ୍ମପୁର/କୁକୁଡ଼ାଖଣ୍ଡି : ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ସହର ଉପକଣ୍ଠ ଲାଠିରୁ ସୁକୁଣ୍ଡା ରାସ୍ତାରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରାଯାଇଛି। ମୃତକ ଜଣକ ହେଉଛନ୍ତି ସଦର ଥାନା ଅନ୍ତର୍ଗତ ବାଉରୀ ସୁକୁଣ୍ଡା ଗ୍ରାମର ଗଙ୍ଗା ଦାସ(୩୦)। ସେ ଡ୍ରାଇଭର୍ ଭାବେ କାମ କରୁଥିଲେ। ଆଜି ସକାଳେ ଘଟଣା ଜଣାପଡ଼ିବା ପରେ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି। ଘଟଣାସ୍ଥଳରୁ ପୁଲିସ ଏକ ମୋବାଇଲ୍ ଫୋନ୍‌ ଓ ବାଇକ୍ ଜବତ କରିଛି।

Advertisment

ବ୍ରହ୍ମପୁରରେ ଡ୍ରାଇଭର୍ ଭାବେ କାମ କରୁଥିବା ଗଙ୍ଗା ଗତକାଲି ରାତିରେ ଘରକୁ ଫେରୁଥିଲେ। ରାତି ପ୍ରାୟ ୧୦ଟା ବେଳେ ତାଙ୍କର ପତ୍ନୀ ପୁଷ୍ପା ଦାସ ସ୍ବାମୀ ଗଙ୍ଗାଙ୍କୁ ଫୋନ୍ କରିଥିଲେ। କିଛି କାମ ଅଛି, ଘରକୁ ଯିବାରେ ବିଳମ୍ବ ହେବ ବୋଲି ଗଙ୍ଗା କହିଥିଲେ। କିନ୍ତୁ ରାତି ୧୨ଟା ପରେ ମଧ୍ୟ ସେ ଘରକୁ ଫେରି ନଥିଲେ। ଏହାପରେ ପତ୍ନୀ ପୁଷ୍ପା ପୁଣିଥରେ ଫୋନ୍ କରିଥିଲେ। ହେଲେ କେହି ଫୋନ୍ ଉଠାଇ ନଥିଲେ। ଆଜି ସକାଳେ ଲାଠି-ସୁକୁଣ୍ଡା ରାସ୍ତା କୁମୁଟି ବନ୍ଧ ନିକଟସ୍ଥ ଏକ ଜମିରେ ଜଣେ ଯୁବକଙ୍କ କ୍ଷତାକ୍ତ ଶବ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ସେମାନେ ପୁଲିସକୁ ଖବର କରିଥିଲେ। ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା।

ଖବର ପାଇ ପୁଷ୍ପାଙ୍କ ପତ୍ନୀ ଘଟଣାସ୍ଥଳରେ ପହଞ୍ଚି ସ୍ବାମୀଙ୍କ ମୃତଦେହ ଚିହ୍ନଟ କରିଥିଲେ। ଗଙ୍ଗା ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ତାଙ୍କୁ ଖଣ୍ଡା ଓ କୌଣସି ଧାରୁଆ ଅସ୍ତ୍ରରେ ହାଣି ହତ୍ୟା ନିର୍ମମ ଭାବେ କରାଯାଇଛି। ରାସ୍ତା କଡ଼ରେ ତାଙ୍କର ବାଇକ୍ ରହିଥିବା ବେଳେ ନିକଟରେ ମୋବାଇଲ୍ ପଡ଼ିଥିବା ଦେଖିବାକୁ ମିଳିଛି। ପୁଲିସ ତାହା ଜବତ କରିଛି। ପାରିପାର୍ଶ୍ବିକ ସ୍ଥିତିରୁ ଗତକାଲି ରାତିରେ ତାଙ୍କୁ କିଛି ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରି ଚମ୍ପଟ ମାରିଥିବା ପୁଲିସ ସନ୍ଦେହ କରୁଛି। ପୂର୍ବ ଶତ୍ରୁତାରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତ ପରେ କହିଛି।