ବ୍ରହ୍ମପୁରରେ ଅପହରଣ ପରେ ଯୁବକଙ୍କୁ ହତ୍ୟା : ୪ ଦିନ ପରେ ଗଳିତ ଶବ ଉଦ୍ଧାର, ହତ୍ୟା ପଛରେ ବ୍ୟବସାୟିକ ଶତ୍ରୁତା

ବ୍ରହ୍ମପୁର/ପାଟପୁର : ବ୍ରହ୍ମପୁର ଶାସ୍ତ୍ରୀନଗର ଅଞ୍ଚଳରୁ ଅପହୃତ ଯୁବକ ବିଭୁପ୍ରସାଦ ଦାସଙ୍କ ଗଳିତ ଶବ ପାଟପୁର ଥାନା ଅର୍ନ୍ତଗତ ଖପରାବାଡ଼ ଜଙ୍ଗଲରୁ ପୁଲିସ ଉଦ୍ଧାର କରିଛି। ବ୍ୟାବସାୟିକ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ପିଟି ପିଟି ବୀଭତ୍ସ ଭାବେ ହତ୍ୟା କରା ଯାଇଥିବା ପାରିପାର୍ଶ୍ବିକ ସ୍ଥିତି ଓ ପ୍ରାଥମିକ ତଦନ୍ତରୁ ପୁଲିସ ସ୍ପଷ୍ଟ କରିଛି। ଅନ୍ୟଜଣେ ଯୁବକଙ୍କୁ ବି ହତ୍ୟା ଉଦ୍ୟମ ହୋଇଥିବାବେଳେ ସେ ଖସି ଆସି ଏକ ହସ୍‌ପିଟାଲରେ ଚିକିତ୍ସିତ ହେଉଥିବା ପୁଲିସ ଜାଣିବାକୁ ପାଇଛି।

ମିଳିଥିବା ସୂଚନା ଅନୁଯାୟୀ, ହିଞ୍ଜିଳିର ମୂଳବାସିନ୍ଦା ବିଭୁପ୍ରସାଦ ଦାସ ବ୍ରହ୍ମପୁର ଶାସ୍ତ୍ରୀନଗରରେ ରହନ୍ତି। ଗତ ୨୩ ତାରିଖରେ ପାଟପୁର ଥାନା ଅର୍ନ୍ତଗତ ଟି.ଗୋବିନ୍ଦପୁର ପଞ୍ଚାୟତର ଶ୍ରୀରାମନଗର ଗାଁର ତାରିଣୀ ମଣ୍ଡଳ ନାମକ ଯୁବକ ବ୍ୟବସାୟ ସଂକ୍ରାନ୍ତରେ କଥାବାର୍ତ୍ତା ଲାଗି ବିଭୁଙ୍କୁ ଡାକିଥିଲେ। ବିଭୁ ଏବଂ ତାଙ୍କର ଦୁଇ ଜଣ ସାଙ୍ଗ ଅଡ଼ବା ଅଞ୍ଚଳର ଉଦ୍ଧବ ଓ ଗଙ୍ଗାଧର ଏକ କାର୍‌ ଯୋଗେ ଶ୍ରୀରାମନଗରକୁ ଯାଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ଏହାପରେ ତାରିଣୀ ଏକ ବାଇକ୍‌ରେ ବିଭୁଙ୍କୁ ବସାଇ କେଉଁଆଡ଼େ ନେଇ ଯାଇଥିଲେ। କିଛି ସମୟ ପରେ ତାରିଣୀ ଆସି ଏହି ଦୁଇ ଜଣକଙ୍କ ମଧ୍ୟରୁ ଅନ୍ୟ ଜଣେ ଯୁବକଙ୍କୁ ଡାକି ନେଇ ଯାଇଥିଲେ। ତେବେ ବିଭୁ ଓ ଅଡ଼ବା ଅଞ୍ଚଳର ଯୁବକ ଦୀର୍ଘ ସମୟ ଧରି ନ ଫେରିବାରୁ ତୃତୀୟ ଯୁବକ ଜଣକ ଭୟରେ କାର୍‌ ଧରି ଖସି ପଳାଇ ଆସିଥିଲେ। ଏହାପରେ ବିଭୁ ଓ ଅଡ଼ବା ଅଞ୍ଚଳର ଯୁବକଙ୍କ ପତ୍ତା ମିଳି ନ ଥିଲା। ଗତ ୨୪ତାରିଖରେ ଅପହୃତ ଅଡ଼ବା ଅଞ୍ଚଳର ଯୁବକ ଜଣଙ୍କୁ ହାତବନ୍ଧା ଅବସ୍ଥାରେଏକ ବିଲ ମଧ୍ୟରେ ପଡ଼ିଥିବାବେଳେ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ। ସେ ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଗତକାଲି ସନ୍ଧ୍ୟାରେ ବିଭୁଙ୍କ ଦାଦା କଳିଙ୍ଗ କୁମାର ଦାସ ପାଟପୁର ଥାନାରେ ତାଙ୍କ ପୁତୁରାକୁ ଅପହରଣ କରା ଯାଇଥିବା ସଂକ୍ରାନ୍ତରେ ଅଭିଯୋଗ କରିଥିଲେ। ପାଟପୁର ଥାନା ପୁଲିସ ୧୧୫/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆଜି ସକାଳେ ଖପରାବାଡ଼ ଜଙ୍ଗଲରେ ବିଭୂଙ୍କ ଶବ ପଡ଼ିଥିବା ସୂଚନା ପାଇଥିଲା। ପାଟପୁର ଥାନା ସବ୍‌ ଇନ୍ସପେକ୍ଟର ଶୁଭ୍ରଜିତ୍‌ ସାମନ୍ତରାୟଙ୍କ ନେତୃତ୍ବରେ ପୁଲିସ ଟିମ୍‌ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରିଛି। ବାଉଁଶ ଓ ଠେଙ୍ଗାରେ ପିଟି ପିଟି ବିଭୁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ପୁଲିସ ଅନୁମାନ କରୁଛି। ପାଟପୁର ଥାନାରେ ରୁଜୁ ଅପହରଣ ମାମଲା ଏବେ ହତ୍ୟା ମାମଲାକୁ ରୂପାନ୍ତରିତ ହୋଇଛି। ତେବେ ଏହି ଘଟଣା ପଛରେ ଚୋରା ଗଞ୍ଜେଇ ବ୍ୟବସାୟ ରହିଥିବା ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର