ବାଣ ଫୁଟାରୁ ବିବାଦ : ରାଜଧାନୀ ଭୁବନେଶ୍ୱରରେ ଯୁବକଙ୍କୁ ପିଟିପିଟି ମାରିଦେଲେ

ଭୁବନେଶ୍ବର/ ପୁରୁଣା ଭୁବନେଶ୍ବର : ଆଲୋକର ପର୍ବ ଦୀପାବଳିକୁ ନେଇ ସାରା ରାଜ୍ୟ ଉତ୍ସବ ମୁଖର ଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏକ ହତ୍ୟାକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ଏୟାରଫିଲଡ୍‌ ଥାନା ଅଧୀନ ଏକାମ୍ର କଲେଜ ନିକଟରେ ଘଟିଛି ଏହି ଅଘଟଣ। ବାଣ ଫୁଟାଇବାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ପିଟିପିଟି ହତ୍ୟା କରିଛନ୍ତି। ମୃତ ଯୁବକ ଜଣକ ହେଲେ ବିଡିଏ କଲୋନିର ଅମରେଶ ନାୟକ। ପୁଲିସ ଶବ ଜବତ କରି ସାଇଣ୍ଟିଫିକ ଟିମ ସହିତ ଘଟଣାର ତଦନ୍ତ କରୁଛି। ପୁଲିସ ଘଟଣାସ୍ଥଳରୁ କେତେକ ଅଫୁଟା ବୋମା ମଧ୍ୟ ଜବତ କରିଛି। ପୁଲିସ ଏହି ଘଟଣାରେ ପୂର୍ବତନ କର୍ପୋରେଟର ଦେବୀ ପ୍ରସାଦ ନନ୍ଦ ଓରଫ ମଣ୍ଟୁଙ୍କୁ ଗତକାଲି ରାତି ସାରା ଥାନାରେ ଅଟକ ରଖିଥିଲା। କିନ୍ତୁ ସ୍ଥାନୀୟ ଲୋକଙ୍କ ଜୋରଦାର ବିରୋଧ ପରେ ପୁଲିସ ତାଙ୍କୁ ଛାଡି ଦେଇଛି।

ଅଭିଯୋଗ ଅନୁସାରେ, ଦୀପାବଳି ଅବସରରେ ଅମରେଶ ଓ ତାଙ୍କର ସହଯୋଗୀ ଚନ୍ଦନ, ପୁଟୁଲ, ହିକି ଆଦି ଏକାମ୍ର କଲେଜ ନିକଟରେ ଭୋଜି କରୁଥିଲେ। ଭୋଜି ବେଳେ ସେଠାରେ ବାଣ ଫୁଟାଇଥିଲେ। ବାଣଫୁଟାକୁ ନେଇ ସୁନ୍ଦରପଦାର ଅଞ୍ଚଳର ଜଣେ ଯୁବକ ବାରଣ କରିଥିଲେ। ଏଥାପାଇଁ ଯୁକ୍ତିତର୍କ ହୋଇଥିଲା। ପରେ ଯୁବକ ଜଣକ ସେଠାରୁ ପଳାଇଯାଇଥିଲେ। କିଛି ସମୟ ପରେ ସୁନ୍ଦରପଦା ଅଞ୍ଚଳର କେତେକ ଯୁବକ ଘଟଣାସ୍ଥଳକୁ ଆସିଥିଲେ। ଉଭୟ ଘଟଣାର ଆପୋଷ ସମାଧାନ କରିଥିଲେ। କିନ୍ତୁ ରାତି ପ୍ରାୟ ୧୨ଟା ବେଳେ ଶଙ୍କର ନାମକ ଜଣେ ଯୁବକ ଫୋନ୍ କରି ଅମରେଶଙ୍କୁ ଧମକ ଦେଇଥିଲା। ପରେ ହଠାତ ୨୦ରୁ ଅଧିକ ଯୁବକ ସେଠାରେ ପହଞ୍ଚି ଅମରେଶ ଓ ତାଙ୍କ ସହଯୋଗୀମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ହକିଷ୍ଟିକ, ଲୁହାଛଡ ଓ ଠେଙ୍ଗାରେ ଗୋଡାଇ ଗୋଡାଇ ପିଟିଥିଲେ। ଜୀବନ ବଂଚାଇବାକୁ ଦୌଡ଼ି ପଳାଇଯାଉଥିବା ବେଳେ ଦୁର୍ବୃତମାନେ ଅମରେଶଙ୍କୁ ଗୋଡ଼ାଇ ଗୋଡ଼ାଇ ପ୍ରାୟ ୧କିଲୋମିଟର ପର୍ଯ୍ୟନ୍ତ ପିଟିଥିଲେ। ଏପରିକି ଘନଘନ ବୋମା ମାଡ଼ କରିଥିଲେ। ଫଳରେ ସେ ରକ୍ତାକ୍ତ ଅବସ୍ଥାରେ ଚେତାଶୂନ୍ୟ ହୋଇ ରାସ୍ତାରେ ପଡ଼ିଯାଇଥିଲେ। ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ଏଥିରେ ହିକି ଓ ପୁଟୁଲ ନାମକ ଦୁଇ ଜଣ ଯୁବକ ଗୁରୁତର ଭାବେ ଆହତ ମଧ୍ୟ ହୋଇଥିଲେ। ଖବରପାଇ ପୁଲିସ ଓ ସ୍ଥାନୀୟ ଲୋକେ ଅମରେଶଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ଅମରେଶଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଥାନାରେ ଅଭି‌ଯୋଗ ହେବା ପରେ ପୁଲିସ ପୂର୍ବତନ କର୍ପୋରେଟରଙ୍କ ସହ ଏକାଧିକ ଲୋକଙ୍କୁ ହେପାଜତକୁ ନେଇ ରାତି ତମାମ ପଚାରାଉଚରା କରିଥିଲା। କିନ୍ତୁ ତାଙ୍କ ସମର୍ଥକମାନେ ଥାନାରେ ପହଞ୍ଚି ହୋ-ହଲ୍ଲା କରିବା ସହିତ ବିରୋଧ କରିଥିଲେ। ପୂର୍ବତନ କର୍ପୋରେଟରଙ୍କୁ ତୁରନ୍ତ ଛାଡ଼ିବା ଓ ହତ୍ୟାକାରୀକୁ ଗିରଫ ଦାବି କରି ଲୋକେ ହୋ-ହହ୍ଲା କରିଥିଲେ। ଶେଷରେ ପୁଲିସ ଆଜି ସକାଳୁ ପୂର୍ବତନ କପୋର୍ରେଟର ମଣ୍ଟୁଙ୍କୁ ଛାଡ଼ିଥିଲା।ଅନ୍ୟପଟେ ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାର ଛାନିଭିନ କରୁଛି। ଘଟଣାସ୍ଥଳ ଓ ଆଖପାଖ ଅଞ୍ଚଳରୁ ପୁଲିସ ୫ଟି ଅଫୁଟା ବୋମା ଜବତ କରିଛି। ତେବେ କିଏ ଓ କ’ଣ ପାଇଁ ସେଠାରେ ବୋମା ରଖିଥିଲା, ତାହାର ମଧ୍ୟ ତଦନ୍ତ କରାଯାଉଛି।

ଦୀପାବଳି ପାଇଁ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସହରସାରା ପୁଲିସ ପାଟ୍ରୋଲିଂ ମଧ୍ୟ କରୁଥିଲା। ଯେଉଁଠାରେ ହତ୍ୟାକାଣ୍ଡ ଘଟିଲା, ସେଠାରୁ ଥାନା ମାତ୍ର ତିନି ଶହ ମିଟର ଦୂରରେ। ଏସବୁ ସତ୍ତ୍ବେ ହତ୍ୟାକାଣ୍ଡ ଘଟିବା ଓ ପୁଲିସ ଘଟଣାର ଟେର ନ ପାଇବା ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି। ଏ ସମ୍ପର୍କରେ ଡିସିପି ଅନୁପ ସାହୁ କହିଛନ୍ତି, ଘଟଣାରେ ୧୦ରୁ ୧୨ ଜଣ ଯୁବକ ସଂପୃକ୍ତ ଅଛନ୍ତି। ପୁଲିସ ଘଟଣାସ୍ଥଳରୁ ରକ୍ତ ନମୁନା ସଂଗ୍ରହ କରିଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି। ତେବେ ମୃତ ଅମରେଶ ନାଁରେ ରାଜଧାନୀର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ପୂର୍ବ ଶତ୍ରୁତା ଓ ପୁଞ୍ଜୀଭୁତ ଅସନ୍ତୋଷକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯଉଛି।ଏୟାରଫିଲ୍‌ଡ ଥାନା ଇନ୍ସପେକ୍ଟର ଜ୍ଞାନେନ୍ଦ୍ର ସାହୁ କହିଛନ୍ତି, ଏହି ଘଟଣାରେ ୧୦ରୁ ୧୨ ଜଣ ପାଖାପାଖି ଅଭିଯୁକ୍ତ ସଂପୃକ୍ତ ଅଛନ୍ତି। ପୂର୍ବତନ କର୍ପୋରେଟର ମଣ୍ଟୁଙ୍କୁ ପୁଲିସ ତଦନ୍ତରେ ସହଯୋଗ କରିବାକୁ ଥାନାକୁ ଡକାଥିଲା।

ସମ୍ବନ୍ଧିତ ଖବର