ଚନ୍ଦ୍ରଶେଖରପୁର : ଧାର ଟଙ୍କା ମାଗିବ‌ାରୁ ହତ୍ୟା!

କାଠଫାଳିଆରେ ପିଟି ପିଟି ମାରିଦେଲା, ନିଶା ପାଇଁ ଧାର ଦେବା କାଳ ହେଲା!

ଚନ୍ଦ୍ରଶେଖରପୁର : ନିଶା ଖାଇବାକୁ ଟଙ୍କା ଧାର ଦେବା ଶେଷରେ କାଳ ହେଲା। ନିଶାରେ ଚୁର୍‌ ଥିବା ବ‌େଳେ ଧାର ଟଙ୍କା ଫେରାଇବାକୁ ଜିଦ୍‌ କରିବାରୁ ଜୀବନ ହରାଇଲେ ଋଣଦାତା। ନିଶାସକ୍ତ ଯୁବକ ରାଗରେ ଋଣଦାତାଙ୍କୁ କାଠଫାଳିଆରେ ପିଟି ପକାଇଲା। ଜୀବନ ଯିବା ପର୍ଯ୍ୟନ୍ତ ପିଟି ଚାଲିଲା। ଗତକାଲି ରାତିରେ ଡମଣା କଲ୍ୟାଣ ମଣ୍ଡପ ବସ୍ତିରେ ଘଟିଥିବା ଏମିତି ଏକ ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ଆଜି ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତକ ହେଲେ ଚନ୍ଦକା ଅଞ୍ଚଳର ରାହାସ ବେହେରା(୪୦)। ହତ୍ୟା ଅଭିଯୁକ୍ତ ଯୁବକ ହେଲା ମଣ୍ଡପ ବସ୍ତିର ସନାତନ ମୁଣ୍ଡା(୨୭)। ଚନ୍ଦ୍ରଶେଖରପୁର ଥାନା ପୁଲିସ ଅଭିଯୁକ୍ତ ସନାତନକୁ ଗିରଫ କରି ଛାନ୍‌ଭିନ୍ ଜାରି ରଖିଛି। ନିଶା ପାଇଁ ଟଙ୍କା ଧାର ଦେବାନେବା ଛଡ଼ା ଏହି ହତ୍ୟାକାଣ୍ଡ ପଛରେ ଅନ୍ୟ କିଛି କାରଣ ଥିବା ସନ୍ଦେହ କରି ପୁଲିସ ତଦନ୍ତ ଚଳାଇଥିବା ସୂଚନା ମିଳିଛି।

Deccan Herald

ସୂଚନାନୁସାରେ, ସବୁ ଦିନ ଭଳି ଅଭିଯୁକ୍ତ ସନାତନ ଗତରାତିରେ ମଦ ପିଇବା ସହ ବ୍ରାଉନ୍‌ସୁଗାର ଖାଇ ମଣ୍ଡପ ବସ୍ତିରେ ଥିବା ଏକ ମନ୍ଦିର ଚାନ୍ଦିନୀ ଉପରେ ବସିଥିଲା। ସେତିକିବେଳେ ରାହାସ ସାଙ୍ଗରେ ମଦ ଧରି ତା’ ପାଖରେ ପହଞ୍ଚିଥିଲା। ଦୁଇଜଣ ଯାକ ମିଶି ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ ପିଇଥି‌ଲେ। ଏତିକିବେଳେ କୌଣସି କାରଣରୁ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ସନାତନ ସେଠାରେ ପଡ଼ିଥିବା ଏକ କାଠଫାଳିଆ ଉଠାଇ ରାହାସକୁ ପଟିବାରେ ଲାଗିଲା। ରାହାସ ତଳେ ପଡ଼ି ଯାଇଥିଲେ ବି ସନାତନ ପିଟି ଚାଲିଥିଲା। ତାଙ୍କ ଚିତ୍କାର ଶୁଣି ପାଖ ପଡ଼ୋଶୀ ଲୋକେମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ ଏବଂ ସନାତନକୁ କାବୁ କରି ନେଇଥିଲେ। ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ସେଠାରେ ପହଞ୍ଚିବା ପରେ ଲୋକେ ତାକୁ ପୁଲିସ ଜିମା ଦେଇଥିଲେ।

ପ୍ରାଥମିକ ତଦନ୍ତରୁ ଏହା ଏକ ପୂର୍ବ ଶତ୍ରୁତାଜନିତ ହତ୍ୟାକାଣ୍ଡ ବୋଲି ପୁଲିସ ଜାଣିବାକୁ ପାଇଛି। ସନାତନ ପରିବାର ଲୋକଙ୍କ କହିବା ଅନୁସାରେ, ସେ ଜଣେ ଅଭ୍ୟାସଗତ ନିଶାଡ଼ି। ସେ ବ୍ରାଉନସୁଗାରଠାରୁ ଆରମ୍ଭ କରି ସବୁପ୍ରକାର ନିଶା ଖାଇଥାଏ। ନିଶା ଛଡ଼ାଇବା ପାଇଁ ତାକୁ କିଛି ମାସ ପୂର୍ବେ ନିଶା ନିବାରଣ କେନ୍ଦ୍ରରେ ରଖାଯାଇଥିଲା। କିଛି ଦିନ ପରେ ସେ ସେଠାରୁ ପଳାଇ ଆସି ପୁଣି ନିଶା ଖାଇବା ଆରମ୍ଭ ‌କରିଥିଲା। ରାହାସ ତାକୁ ନିଶା ଖାଇବାପାଇଁ ଟଙ୍କା ଧାର ଦେଉଥିଲେ। ଧାର ଟଙ୍କା ଫେରସ୍ତ ପାଇଁ ରାହାସ ମଝିରେ ମଝିରେ ଗଣ୍ଡଗୋଳ କରୁଥିଲେ। ତେଣୁ ଗତକାଲି ରାତିରେ ସେମାନଙ୍କ ମଧ୍ୟରେ ସେମିତି କିଛି ବଚସା ହୋଇଥିବା ସନ୍ଦେହ କରାଯାଉଛି। ତେବେ ବିଳମ୍ବିତ ରାତିରେ ଘଟିଥିବା ଏହି କାଣ୍ଡ ପଛରେ ଅନ୍ୟ କିଛି କାରଣ ଥିବା ମଧ୍ୟ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର