ଅନୁଗୁଳ: ଗୋଡେଇ ଗୋଡ଼େଇ ହାଣିଲେ, ଜିଅନ୍ତା ଜାଳିଲେ

ଛେଣ୍ଡିପଦା : ସାମାନ୍ୟ କଥାକୁ ନେଇ ଜଣେ ଯୁବକ ରାତି ଅଧରେ ତାଙ୍କ ସହଯୋଗୀଙ୍କୁ ବିଚ୍‌ ରାସ୍ତାରେ ଗୋଡେଇ ଗୋଡେଇ ହାଣି ହତ୍ୟା କରିବା ଘଟଣା ଛେଣ୍ଡିପଦା ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପାତ୍ରପଡା ଗାଁରେ ମଙ୍ଗଳବାର ରାତିରେ ସଂଘଟିତ ଏହି ବୀଭତ୍ସ ହତ୍ୟାକାଣ୍ଡ ପରେ ପୁଲିସ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଚଳାଇଛି।

ସୂଚନା ଅନୁସାରେ, ପାତ୍ରପଡା ଗାଁ ଗଡ଼ଭିତରସାହିର ପୀତବାସ ସାହୁ(୩୦) ସେହି ଗାଁର ଜଣେ ଅଭ୍ୟାସଗତ ଅପରାଧୀ ଜିତେନ୍ଦ୍ର ସାହୁ(୩୨)ଙ୍କ ଘନିଷ୍ଠ ସହଯୋଗୀ ଭାବେ ଦୀର୍ଘଦିନ ହେଲା କାମ କରି ଆସୁଥିଲେ। ଜିତେନ୍ଦ୍ରଙ୍କ ନାମରେ ଆଗରୁ ଅନେକ ମାମଲା ରହିଥିଲାବେଳେ ପୀତବାସ ତାଙ୍କୁ ଏଥିରେ ସାହାଯ୍ୟ କରୁଥିଲେ। କିନ୍ତୁ ସେମାନଙ୍କର ଆଉ ଜଣେ ସହଯୋଗୀଙ୍କ ବିବାହକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଗତ ରଥଯାତ୍ରା ଦିନ ସେମାନେ ଆଠମଲ୍ଲିକ ଅଞ୍ଚଳର ଜଣେ ନାବାଳିକାଙ୍କ ସହିତ ଏହି ସହଯୋଗୀଙ୍କ ବିବାହ ଯୋଜନା କରିଥିଲେ। ତେବେ କୌଣସି କାରଣରୁ ବିବାହ ହୋଇ ପାରିନଥିଲା। ବିବାହ ପାଇଁ କିଣାଯାଇଥିବା ଶାଢ଼ିଟି ଦୋକାନୀଙ୍କୁ ଫେରାଇବା ପାଇଁ ଖୋଜିବା ବେଳକୁ ଶାଢ଼ିଟି ଆଉ ମିଳିନଥିଲା। ଏହାକୁ ନେଇ ଗତକାଲି ସକାଳେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏପରିକି ଏହାକୁ ନେଇ ଦୁହେଁ ହାତାହାତି ହୋଇଥିଲେ। ଗତକାଲି ସନ୍ଧ୍ୟାରେ ଜିତେନ୍ଦ୍ର ରାଗ ରଖି ପୀତବାସଙ୍କ ଘରକୁ ଯାଇ ଆଜବେଷ୍ଟସ, ଚୁଲି ଭଙ୍ଗାରୁଜା ସହିତ ପାଣିପମ୍ପ କୂଅରେ ଫୋପାଡ଼ି ଦେଇଥିଲେ। ସେତେବେଳେ ପୀତବାସ ଘରେ ନ ଥିଲେ। ସେ ଘରକୁ ଫେରି ଏ କଥା ଜାଣିବା ପରେ ରାଗିପାଚି ଲାଲ୍‌ ହୋଇ ଯାଇଥିଲେ। ଜିତେନ୍ଦ୍ରଙ୍କୁ ରାସ୍ତାରୁ ହଟାଇବା ପାଇଁ ନିଷ୍ପତ୍ତି ନେଇ ଘରୁ ଟାଙ୍ଗିଆ ଧରି ବାହାରିଥିଲେ। ସେତେବେଳକୁ ଜିତେନ୍ଦ୍ର ଘରପାଖ ହିଙ୍ଗୁଳା ମନ୍ଦିର ନିକଟରେ କିଛି ଲୋକଙ୍କ ସହ କଥା ହେଉଥିଲାବେଳେ ପୀତବାସ ପହଂଚି ଟାଙ୍ଗିଆରେ ତାଙ୍କୁ ଆକ୍ରମଣ କରିଥିଲେ।

ଜୀବନ ବିକଳରେ ଜିତେନ୍ଦ୍ର ପାଖରେ ଥିବା ୩ଟି ଘରକୁ ଦୌଡ଼ି ଲୁଚିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୀତବାସ ଅତି ନିର୍ମମ ଭାବେ ଗୋଡେଇ ଗୋଡେଇ ତାଙ୍କୁ ହାଣି ରାସ୍ତାରେ ଗଡେଇ ଦେଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ରାତି ପ୍ରାୟ ୧୨ଟାରେ ଭାରପ୍ରାପ୍ତ ଥାନା ଅଧିକାରୀ ଡିଏସ୍‌ପି ସୁଶାନ୍ତ କୁମାର ସିଂହ, ଏସଡିପିଓ ଭବାନୀଶଙ୍କର ଉଦ୍‌ଗାତା, ବାଗେଡ଼ିଆ ଫାଣ୍ଡି ଅଧିକାରୀ ଆଶିଷ କୁମାର ଦାସ ଓ ଏସଆଇ ଅଜୟ କୁମାର ସାହୁଙ୍କ ସହିତ ଏକ ଟିମ୍ ଘଟଣାସ୍ଥଳରେ ପହଂଚି ଜିତେନ୍ଦ୍ରଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଜବତ ଜରିଥିଲେ। ଜିତେନ୍ଦ୍ରଙ୍କ ବାପା ଧରଣୀଧର ସାହୁ ଏଥିନେଇ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ୩୩୦/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ୨୯୪/୩୦୨/୫୦୬/୩୪ ଧାରାରେ ମାମଲା ରୁଜୁ ହୋଇଛି। ସାଇଣ୍ଟିଫିକ ଟିମ୍‌ ସହାୟତାରେ ତଦନ୍ତ ଚଳାଇବା ସହିତ ପୁଲିସ ହତ୍ୟା ଅଭିଯୁକ୍ତ ପୀତବାସ ସମେତ ତାଙ୍କର ଆଉ କିଛି ସହଯୋଗୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ଅନୁଗୁଳ ସହରରେ ଜଘନ୍ୟକାଣ୍ଡ
ଅନୁଗୁଳ : ଛୋଟିଆ କାରଣକୁ ନେଇ ଅନୁଗୁଳ ସହରର ରାସ୍ତାକଡ଼ରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ଜିଅନ୍ତା ଜାଳି ଦେଇଛନ୍ତି। ଏଥିରେ ଗୁରୁତର ହୋଇଥିବା ଅନୁଗୁଳ ସହରର ହାତୀଶାଳପଡ଼ା ଅଞ୍ଚଳର ଏମ୍‌ଡି ମାହବ(୪୮) ଏବେ ମରଣ ସହ ଲଢୁଥିଲାବେଳେ ଘଟଣା ପରେ ଅଭିଯୁକ୍ତ ଦିଲୀପ ସାହୁଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି। ପ୍ରତ୍ୟକ୍ଷ ଦିବାଲୋକରେ ସହରର ଜନଗହଳିପୂର୍ଣ୍ଣ ଅଂଚଳରେ ସଂଘଟିତ ଏହି ଜଘନ୍ୟକାଣ୍ଡ ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।

ମିଳିଥିବା ସୂଚନା ମୁତାବକ, ହାତୀଶାଳପଡ଼ାରେ ରହୁଥିବା ଏମ୍‌ଡି ମାହବ ଆଜି ଅପରାହ୍ଣ ପ୍ରାୟ ୪ଟା ସମୟରେ ‌ଶୈଳ ଶ୍ରୀକ୍ଷେତ୍ର ପଛପାଖ ବିକ୍ରମ୍‌ ଲଜ୍‌ଠାରୁ କିଛି ଦୂରରେ ଏକ ପିଣ୍ଡିରେ ବସିଥିଲେ। ଏହି ସମୟରେ ଏକ ଛୋଟିଆ କାରଣକୁ ନେଇ ପରଜଙ୍ଗ ଥାନା ପାଣିଭଣ୍ଡାର ଗାଁର ଦିଲୀପ ସାହୁଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ଏଥିରେ ରାଗିଯାଇ ମାହବଙ୍କ ଉପରକୁ ଦିଲୀପ ପେ‌ଟ୍ରୋଲ ଫିଙ୍ଗି ଦେଇଥିଲେ। ସେତେବେଳକୁ ମାହବ ବିଡ଼ି ଟାଣୁଥିବାରୁ ପେଟ୍ରୋଲ ପଡ଼ିବାରୁ ତାଙ୍କ ଶରୀର ହୁତହୁତୁ ହୋଇ ଜଳି ଉଠିଥିଲା। ସେ ବିକଳରେ ଚିତ୍କାର କରିଥିଲେ। ତାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଦୌଡ଼ିଆସି ଶରୀରରୁ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ପରେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ସହରରେ ଚାଞ୍ଚଲ୍ୟ ଖେଳିଯାଇଛି। ଦିନ ଦ୍ବିପହରେ ଏଭଳି ଅପରାଧ ସାଧାରଣ ଲୋକଙ୍କୁ ଭୟଭୀତ କରିଛି। ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ସନ୍ଧ୍ୟାରେ କିନ୍ନରମାନେ ଥାନାକୁ ଯାଇ ହୋ-ହଲ୍ଲା କରିଥିଲେ। ପୁଲିସ ସେମାନଙ୍କୁ ବୁଝାସୁଝା କରି ଫେରାଇ ଦେଇଛି। ପୁଲିସ ଅଭିଯୁକ୍ତ ଦିଲୀପ ସାହୁକୁ ଅଟକ ରଖି ପଚରାଉଚୁରା ଚଳାଇଛି। ତଦନ୍ତ ପରେ ଏହାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର