ମଦ କାରବାରକୁ ନେଇ ଯୁବକଙ୍କୁ ହତ୍ୟା, ବଞ୍ଚାଇବାକୁ ଯାଇ କିଛି ମହିଳା ଆହତ

ଚୌଦ୍ବାର : ବେଆଇନ ମଦ କାରବାରକୁ ବିରୋଧ ଘଟଣାକୁ ନେଇ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଘଟଣା ଘଟିଛି ଚୌଦ୍ବାର ଥାନା ଅନ୍ତର୍ଗତ ଟିପିଏମ୍ ଫାଣ୍ତି ଅଞ୍ଚଳରେ। ଗଲା ୯ମାସ ହେବ ବେଆଇନ ମଦ କାରବାରକୁ ନେଇ ଗ୍ରାମରେ ଅସନ୍ତୋଷ ଆଉ ବିରୋଧ ଦେଖାଦେଇଥିବାବେଳେ ତାହା ଏଭଳି ରୂପ ନେଇଛି। ଏହି ଗ୍ରାମରେ ମହିଳାମାନେ ବାରମ୍ବାର ବେଆଇନ ମଦ କାରବାରକୁ ବିରୋଧ କରି ଟିପିଏମ୍ ଫାଣ୍ତିରେ ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ପାରିନଥିଲା। ପୁଲିସ ତାହାକୁ ଗୁରୁତ୍ବ ଦେଉ ନଥିଲା। କିନ୍ତୁ ପରିଣାମ ସ୍ବରୂପ ଗ୍ରାମର ସ୍ବର୍ଗତ ଗୟାଧର ସାମଲଙ୍କ ପୁଅ ସରୋଜ ସାମଲ (୩୨)ଙ୍କର ଜୀବନ ଯାଇଛି।

ସରୋଜ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଘରକୁ ଫେରୁଥିବାବେଳେ ସେଠାରେ ତାଙ୍କୁ ୮/୧୦ ଜଣ ଯୁବକ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ମୃତ ସରୋଜଙ୍କ ଭାଇ ମଣ୍ଟୁ ସାମଲଙ୍କ ସହ ଅନ୍ୟ ଯୁବକ ସାମିଲ ଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଗ୍ରାମରେ ପୂର୍ବଭଳି ବେଆଇନ ମଦ ବିକ୍ରି କରୁଥିବା କିଛି ବ୍ୟକ୍ତିଙ୍କ ନାମରେ ଟିପିଏମ୍ ଫାଣ୍ତିରେ ସ୍ଥାନୀୟ ଅଞ୍ଚଳର କେତେକ ମହିଳା ଅଭିଯୋଗ କରିବାକୁ ଯାଇଥିବା ବେଳେ ସେଠାରେ କୌଣସି ସମସ୍ୟାର ସମାଧାନ ହୋଇନଥିଲା। ମହିଳାମାନେ ଅଭିଯୋଗ କରି ଘରକୁ ଫେରିବା ପରେ ସାହି ଭିତରେ ଦୁଇଗୋଷ୍ଠୀ ମଧ୍ୟରେ ପାଟିତୁଣ୍ତ ହୋଇଥିଲା। ପରେ ସାମଲ ସାହି ନିକଟସ୍ଥ ମନ୍ଦିର ନିକଟରେ ସରୋଜ କିଛି ମହିଳାମାନଙ୍କ ସହ ଆଲୋଚନା କରିଥିଲେ। ସେହି ସମୟରେ ସରୋଜଙ୍କୁ କେତେକ ଯୁବକ ଡାକିବା ସହ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଧାରୁଆ କଟୁରୀ, କୁରାଢି ଓ ଠେଙ୍ଗାରେ ଶରୀରର ବିଭିନ୍ନ ସ୍ଥାନରେ ଚୋଟ ମାରିଥିଲେ। ଏହି ସମୟରେ ସରୋଜଙ୍କୁ ବଂଚାଇବାକୁ ଯାଇ କିଛି ମହିଳା ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଚୌଦ୍ବାର ଥାନା ପୁଲିସ ଘଟଣାସ୍ଥଳରେ ପହ‌ଞ୍ଚି ସରୋଜଙ୍କୁ କଟକ ବଡମେଡିକାଲକୁ ପଠାଇଥିଲେ ମଧ୍ୟ ସେଠାର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସରୋଜଙ୍କୁ ଆକ୍ରମଣ ଘଟଣାରେ ତାଙ୍କର ବଡଭାଇ ମଣ୍ଟୁ ସାମଲ, ତାଙ୍କ ପରିବାର କିଛି ଲୋକ ଓ ଅନ୍ୟ ବ୍ୟକ୍ତିମାନେ ସାମିଲ ଥିବା ଜଣାପଡିଛି। ପୁଲିସ ମଣ୍ଟୁକୁ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣାକୁ ନେଇ ବାଣୀପଦାରେ ଉତ୍ତେଜନା ଲାଗି ରହିଥିବାରୁ ଦୁଇ ସେକ୍ସନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଡିସିପି ପ୍ରତୀକ ସିଂ, ଏସିପି ଅମରେନ୍ଦ୍ର ପଣ୍ତା ଘଟଣାସ୍ଥଳରେ ପହ‌ଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସମ୍ବନ୍ଧିତ ଖବର