ଢେଙ୍କାନାଳ: ଯୁବକଙ୍କୁ ହାଣି ହତ୍ୟା

ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ବଳଦିଆ ବନ୍ଧ ଗ୍ରାମର ଜଣେ ଯୁବକଙ୍କୁ ଆଜି ସନ୍ଧ୍ୟାରେ କେତେଜଣ ଦୁର୍ବୁତ୍ତ ହାଣି ହତ୍ୟା କରିଛନ୍ତି।
ବଳଦିଆବନ୍ଧ ଗ୍ରାମର ଯୁବ ଉଦ୍ୟୋଗୀ ମିଥୁନ ଜେନା (୩୦) ଆଜି ସନ୍ଧ୍ୟା ସାଢେ ୯ଟାରେ ଗ୍ରାମ ସ୍ଥିତ ଏକ ଚକ୍ଷୁ ହସ୍ପିଟାଲ ସମୁଖରେ ନିଜ ବାଇକ ଉପରେ ବସି ମୋବାଇଲ ଦେଖୁଥିଲେ। ଏହି ସମୟରେ କେତେକ ଦୁର୍ବୃତ୍ତ ତାଙ୍କ ମୁଣ୍ଡର ପଛ ପଟକୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି।

ଖବର ପାଇ ସଦର ଏସଡିପିଓ ବିକାଶ ବେହୁରା, ସଦର ଥାନା ଅଧିକାରୀ ଅଭିନବ ଡ଼ାଳୁଆ, ଗୋବିନ୍ଦପୁର ଫାଣ୍ଡି ଅଧିକାରୀ ବବିତା ଦେହୁରୀ ପ୍ରମୁଖ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ସ୍ଥାନୀୟ ଅଂଚଳର ଅଭୟ ଜେନାଙ୍କ ପୁଅ ହେଉଛନ୍ତି ମିଥୁନ। ସେ ବାପାମା’ଙ୍କର ଗୋଟିଏ ପୁଅ। ମିଥୁନ ସ୍ଥାନୀୟ ଅଂଚଳରେ ଏକ ଢ଼ାବା କରି ପରିବାର ପୋଷଣ କରୁଥିଲେ। ସେ ବିବାହିତ ହୋଇଥିବା ବେଳେ ତାଙ୍କର ଏକ ଛୋଟ ପୁଅ ଅଛି। ଘଟଣାର ତଦନ୍ତ ଚାଲୁଥିବାରୁ ହତ୍ୟାର କରଣ ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର